ଗଣେଶ ବନ୍ଦନାରୁ ଆରମ୍ଭ ହେଲା ‘ବସନ୍ତ ଉତ୍ସବ’

ଭୁବନେଶ୍ବର: ବିଘ୍ନ ବିନାଶକ ଗଣେଶଙ୍କ ବନ୍ଦନାରୁ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ। ଏହା ପରେ ଲଳିତା ଲବଙ୍ଗଲତା… ସଙ୍ଗୀତ ଓ ନୃତ୍ୟ, କବିଙ୍କ କବିତା ଆବୃତ୍ତି ଆଦି ଦର୍ଶକଙ୍କୁ ବିଭୋର କରିଥିଲା। ଅବସର ଥିଲା ‘ଧାରା ଶ୍ରୀରାଧା ଟ୍ରଷ୍ଟ’ ପକ୍ଷରୁ ଆୟୋଜିତ ‘ବସନ୍ତ ଉତ୍ସବ ୨୦୧୯’। ଆଜି ଓଡ଼ିଶୀ ଗବେଷଣା କେନ୍ଦ୍ରର ଉତ୍କଳ ରଙ୍ଗମଞ୍ଚ ପରିସରରେ ଆୟୋଜିତ ଏହି ଉତ୍ସବରେ ବିଶ୍ବଭୂଷଣ ଚମ୍ପତ୍ତିରାୟଙ୍କ ଗଣେଶ ବନ୍ଦନା, ସଙ୍ଗୀତା ଗୋସାଇଁଙ୍କ ଲଳିତା ଲବଙ୍ଗଲତାରେ ସଙ୍ଗୀତ ପରିବେଷଣ ଓ ଏହି ସଙ୍ଗୀତରେ ମମତା ଶତପଥୀଙ୍କ ନୃତ୍ୟ ପ୍ରଦର୍ଶନ ବେଶ୍‌ ମନଛୁଆଁ ଥିଲା। ଏହା ପରେ କବି ଦେବଦତ୍ତ ପତି ଓ ଅଶୋକ ପୁହାଣଙ୍କ କବିତା ଆବୃତ୍ତି ସହ ପ୍ରଫେସର ରାମହରି ଦାସଙ୍କ ପ୍ରଫୁଲ୍ଲ ଲତିକା ବଧୂ… ସଙ୍ଗୀତ ପରିବେଷଣ ଓ ନୂପୁର ନାଟ୍ୟାନୁଷ୍ଠାନର କଳାକାରଙ୍କ ଏହି ସଙ୍ଗୀତରେ ନୃତ୍ୟ ପରିବେଷଣ ବେଶ୍ ମନୋରମ ଥିଲା। ଉତ୍ସବ ଅବସରରେ ଧାରା ଶ୍ରୀରାଧା ଅନୁଷ୍ଠାନର ସ୍ମରଣିକା ‘ଦ କ୍ୟାଡେନ୍‌ସ୍‌’ ଓ କମଳାକାନ୍ତ ମହାନ୍ତିଙ୍କ ପୁସ୍ତକ ‘ବିସ୍ମୃତ ଘଟଣା ଓ ଚରିତ୍ର’ ଉନ୍ମୋଚିତ ହୋଇଛି। ଆଜିର କାର୍ଯ୍ୟକ୍ରମରେ ଇଂ ଶ୍ରୀକାନ୍ତ ନାୟକ, ସାହିତ୍ୟିକ ବୈଷ୍ଣବ ସାମଲ, ପ୍ରଫେସର ପ୍ରଫୁଲ୍ଲ ମିଶ୍ର, ପ୍ରଦ୍ୟୁମ୍ନ ଶତପଥୀ, ଅଜୟ ସ୍ବାଇଁ, ଡ. ମନୋଜ ମିଶ୍ର, ଦୁର୍ଗାଚରଣ ସାହୁ, କବି ମଙ୍ଗଳା ପ୍ରସାଦ ପ୍ରଧାନ ଓ ଅମରେନ୍ଦ୍ର ରଥ ପ୍ରମୁଖ ଅତିଥି ଭ‌ାବେ ଯୋଗ ଦେଇଥିଲେ। ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର