ବିପ୍ଳବୀ ଚକରା ବିଷୋୟୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ

ଭୁବନେଶ୍ୱର : ଇତିହାସରେ ବିପ୍ଳବୀ ଚକରା ବିଷୋୟୀଙ୍କ ଭଳି ଅନେକ ସ୍ୱାଧୀନତା ସଂଗ୍ରାମୀ ଅଛନ୍ତି ଯାହାଙ୍କୁ ନା’ ଆମେ ନା’ ଆମ ସରକାର ସ୍ୱାଧୀନତା ଦିବସ ବା ଗଣତନ୍ତ୍ର ଦିବସରେ ମନେ ପକାଉଛେ ନା ଜୟନ୍ତୀ ପାଳନ କରୁଛେ। ସେମାନେ ଓ ସେମାନଙ୍କ ବୀରତ୍ୱ ଇତିହାସ ପୃଷ୍ଠାରେ କେଉଁଠି ଲୀନ। ଏହି ଭଳି ବୀରମାନଙ୍କୁ ମନେ ପକାଇବା ତଥା ସେମାନଙ୍କ ସମ୍ମାନାର୍ଥେ ରାଜଧାନୀ ମାର୍ଗକୁ ସେମାନଙ୍କ ନାମରେ ନାମିତ କରିପାରିଲେ, ଏ ଜାତି ସେମାନଙ୍କୁ ମନେ ରଖିପାରନ୍ତା। ଆଜି ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଚକରା ବିଷୋୟୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ଏଭଳି ମତବ୍ୟକ୍ତ କରିଛନ୍ତି ଉପସ୍ଥିତ ଅତିଥିମାନେ।

ସୂଚନା ଓ ଲୋକସମ୍ପର୍କ ବିଭାଗ ତଥା ଭଞ୍ଜନଗର ‘ତରୁଣ କଳାକାର ସଂସ୍ଥା’ ମିଳିତ ଆନୁକୂଲ୍ୟରେ ଜୟଦେବ ଭବନଠାରେ ଏହି ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ବିଧାୟକ ଦୁଗୁନୀ କହଁର, ରାଜୀବ ପାତ୍ର ଓ ଯାକବ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟବକ୍ତା ଭାବେ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ କୃତ୍ତିବାସ ବିଶ୍ୱାଳ ଯୋଗ ଦେଇଥିଲେ। ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ ଲକ୍ଷ୍ମୀଧର ମହାନ୍ତି ଏଥିରେ ସ୍ୱାଗତ ଭାଷଣ ଦେଇଥିଲେ। ଏହି ଅବସରରେ ଚକରା ବିଷୋୟୀଙ୍କ ଜୀବନୀ ଆଧାରିତ ଏକ କଣ୍ଢେଇ ନାଚ ବଡ଼କୋଦଣ୍ଡାସ୍ଥିତ ‘ମା’ ଜଗଜ୍ଜନନୀ କଣ୍ଢେଇ ଥିଏଟର’ ଦ୍ୱାରା ପରିବେଷଣ କରାଯାଇଥିଲା। ଶେଷରେ ବକ୍ତତା ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ତରୁଣ କଳାକାର ସଂସ୍ଥାର ସଭାପତି ମନ୍ମଥ ଶତପଥୀ ଧନ୍ୟବାଦ ଜଣାଇଥିଲେ।

ସମ୍ବନ୍ଧିତ ଖବର