ହକି ବିଶ୍ୱକପ୍‌ ପାଇଁ ଟ୍ରାଫିକ୍‌ର ପ୍ରସ୍ତୁତି ବୈଠକ

ଭୁବନେଶ୍ୱର: ଆସନ୍ତା ନଭେମ୍ବର ଓ ଡିସେମ୍ବର ମାସରେ ଅନୁଷ୍ଠିତ ହେବାକୁ ଥିବା ହକି ବିଶ୍ୱକପ ପାଇଁ ଆଜି ଟ୍ରାପିକ୍‌ ପରିଚାଳନା ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସ୍ମାର୍ଟର ଲିମିଟେଡର ଅଧିକାରୀ ଓ କମିସନରେଟ ପୁଲିସର ଅଧିକାରୀମାନେ ଉପସ୍ଥିତ ଥିଲେ। ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆଙ୍କଠାରୁ ମିଳିଥିବା ସୂଚନା ମୁତାବକ, ବିମାନବନ୍ଦରଠାରୁ ନନ୍ଦନକାନନ ପର୍ଯ୍ୟନ୍ତ ଥିବା ସମସ୍ତ ଟ୍ରାଫିକ୍‌ ଛକ, ସଚିବାଳୟ ମାର୍ଗ ଓ ଜନପଥରେ ଟ୍ରାଫିକ୍‌ ସିଗନାଲ ସିଷ୍ଟମ ଓ ଛକର ରୂପରେଖ ଉପରେ ଆଲୋଚନା କରାଯାଇଥିଲା। କେଉଁକେଉଁ ଛକରେ ସିଗନାଲ ସିଷ୍ଟମ ଠିକ ଭାବେ ଚାଲୁଛି କିମ୍ବା ନାହିଁ ତାର ସମୀକ୍ଷା କରାଯାଇଥିଲା। ସେହିପରି ବିମାନବନ୍ଦରରୁ ଏଜି, ରାଜଭବନ, ପାଓ୍ଵାରହାଉସ, ନିକୋପାର୍କ, କଳିଙ୍ଗଷ୍ଟାଡିୟମ, ଜୟଦେବବିହାର, କଳିଙ୍ଗ ହସ୍ପିଟାଲ ଆଦି ଛକର ରୂପରେଖ ଉପରେ ମଧ୍ୟ ଆଲେଚନା କରାଯାଇଥିଲା। କମିସନର ଶ୍ରୀ ଖୁରାନିଆଙ୍କ କହିବା ଅନୁଯାୟୀ ବିଭିନ୍ନ ଛକରେ ଜେବ୍ରା କ୍ରସିଂ ଲିଭି ଗଲାଣି। ଅନେକ ଛକରେ ଲାଗିଥିବା ଟ୍ରାଫିକ୍‌ ସିଗନାଲ ମଧ୍ୟ ଅଚଳ ହୋଇ ପଡ଼ିଛି। ସହର ଭିତରେ ପାର୍କିଂ ବ୍ୟବସ୍ଥା ମଧ୍ୟ ନାହିଁ। ତେଣୁ ବିଶ୍ୱକପ ପୂର୍ବରୁ ଏସବୁ ପ୍ରସ୍ତୁତ କରିବାକୁ ପୁଲିସ କମିସନର ଖୁରାନିଆ ପରାମର୍ଶ ଦେଇଛନ୍ତି। ଏହା ଛଡ଼ା ବିଭିନ୍ନ ବିଭାଗ ବିଭାଗ ମଧ୍ୟରେ ତାଳମେଳ ରଖି କାମ କରିବାକୁ ମଧ୍ୟ କୁହାଯାଇଛି। ବୈଠକରେ ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆ ଅଧ୍ୟକ୍ଷତା କରିଥିଲେ। ଏଥିରେ ଭୁବନେଶ୍ୱର ସ୍ମାର୍ଟସିଟି ଲମିଟେଡ ସିଇଓ ଭୀନିଲ୍‌ କ୍ରିଷ୍ଣା, ପରିଚାଳନା ନିର୍ଦେଶକ କିଷନ କୁମାର, ଡିସିପି ଅନୁପ ସାହୁ, ଟ୍ରାପିକ୍‌ ଏସିପି ଜତୀନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର