ସି’ଫୁଡ୍ ପାର୍କରୁ ଦାଦାବଟି ମାଗି ୨ ଗିରଫ
ଖଣ୍ଡଗିରି : ମେଣ୍ଢାଶାଳ ଡେରାସସ୍ଥିତ ସି’ଫୁଡ୍ ପାର୍କ ଚିଙ୍ଗୁଡ଼ି ପ୍ରକ୍ରିୟାକରଣ ଫ୍ୟାକ୍ଟ୍ରିରୁ ୫ଲକ୍ଷ ଟଙ୍କା ଦାଦାବଟି ମାଗିବା ଅଭିଯୋଗରେ ଚନ୍ଦକା ଥାନା ପୁଲିସ ୨ ଜଣଙ୍କୁ ଗିରଫ କରିଛି। ମଙ୍ଗଳବାର ରାତିରେ ଗିରଫ ହେବା ପରେ କୋର୍ଟଚାଲାଣ କରାଯାଇଥିବା ଅଭିଯୁକ୍ତଦ୍ବୟ ହେଲେ, ଜଗତସିଂହପୁର ଡିହସାହି ବିରିଗାଁର ତୁଷାରକାନ୍ତ ଜେନା(୨୬) ଓ ବୁଧବାର ସନ୍ଧ୍ୟାରେ ଧରାପଡ଼ିଥିବା ଅଭିଯୁକ୍ତ ହେଲେ ଚନ୍ଦକା ମଳିପଡ଼ା ଅଞ୍ଚଳର ଗଜପତି ଗଜେନ୍ଦ୍ର(୨୫)। ଗଜପତିକୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ। ଏହି ମାମଲାରେ ଅନ୍ୟ ଜଣେ ଫେରାର୍ ରହିଛି ଓ ତାକୁ ଗିରଫ କରିବା ପାଇଁ ଚଢ଼ାଉ ଜାରି ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସ ସୂଚନାନୁସାରେ ଗତ ୯ ତାରିଖ ଅପରାହ୍ଣ ପ୍ରାୟ ୨ଟା ବେଳେ ଏକ ହୋଣ୍ଡା ସିଟି କାର୍ରେ ତୁଷାର, ଗଜପତି ଓ ଅନ୍ୟ ଜଣେ ମେଣ୍ଢାଶାଳ ଡେରାସସ୍ଥିତ ସି’ଫୁଡ୍ ପାର୍କରେ ଥିବା ବି-ୱାନ୍ ଚିଙ୍ଗୁଡ଼ି କାରଖାନାରେ ପହଞ୍ଚିଥିଲେ। କାରଖାନା ପରିଚାଳନା କରୁଥିବା ମ୍ୟାନେଜର ଆଶୁତୋଷ ସାହୁଙ୍କୁ ଧମକ ଦେଇଥିଲେ। ବଟି ବାବଦରେ ୫ ଲକ୍ଷ ଟଙ୍କା ନ ଦେଲେ ପରିଣତି ଭୟଙ୍କର ହେବ ବୋଲି ଚେତାବନୀ ଦେଇଥିଲେ। ବଟି ନ ଦେଲେ ବନ୍ଧୁକ ଓ ବୋମାର ଖେଳ ହେବ ବୋଲି କହିଥିଲେ। ସେମାନେ ଧମକ ଦେଇ ଚାଲିଯିବା ପରେ ମ୍ୟାନେଜର ଶ୍ରୀ ସାହୁ ତୁରନ୍ତ ମାଲିକଙ୍କୁ ଜଣାଇବା ସହ ତାଙ୍କ ପରାମର୍ଶକ୍ରମେ ମେଣ୍ଢାଶାଳ ଫାଣ୍ଡି ଓ ଚନ୍ଦକା ଥାନାରେ ଅଭିଯୋଗ କରିଥିଲେ। ତେବେ ଏହି ଅଭିଯୋଗ କେବଳ ଚନ୍ଦକା ଥାନା ପୁଲିସ ନିକଟରେ ସୀମିତ ରହିନଥିଲା।
ରାଜ୍ୟ ସରକାର ଶିଳ୍ପାୟନ ବୃଦ୍ଧି ପାଇଁ ସି’ଫୁଡ୍ ପାର୍କ ପ୍ରତିଷ୍ଠା କରି ଶିଳ୍ପୋଦ୍ୟୋଗୀମାନଙ୍କୁ ଆମନ୍ତ୍ରଣ କରୁଥିବା ବେଳେ ଦାଦାବଟି ଭଳି ଘଟଣା ଏହାର ପ୍ରତିବନ୍ଧକ ହେବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା। ଫଳରେ ଏହି ମାମଲା ରାଜ୍ୟ ଶିଳ୍ପ ବିଭାଗ ତଥା ଇଡ୍କୋ ପାଇଁ ମଧ୍ୟ ମୁଣ୍ଡବିନ୍ଧାର କାରଣ ପାଲଟିଥିଲା। ତେଣୁ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ପୁଲିସ ଉପରେ ପ୍ରବଳ ଚାପ ପଡ଼ିଥିଲା। ଚନ୍ଦକା ଥାନା ପୁଲିସ କାରଖାନାର ସିସିଟିଭି ଫୁଟେଜ୍ ଯାଞ୍ଚ କରି ଚନ୍ଦକା ମଳିପଡ଼ା ଅଞ୍ଚଳରୁ ଉକ୍ତ କାର୍କୁ ଠାବ କରିଥିଲା। ଗତ ରାତିରେ କାର୍ ସହ ଅଭିଯୁକ୍ତ ତୁଷାରକୁ ପୁଲିସ ଉଠାଇଥିଲା ଓ ଆଜି ସନ୍ଧ୍ୟାରେ କଳିଙ୍ଗନଗରରୁ ଗଜପତିକୁ ଗିରଫ କରାଯାଇଛି।