‘ହାତରେ ନ ମାରି ଭାତରେ ମାରିବା’ ବୋଲି ଓଡ଼ିଆରେ ଗୋଟିଏ ରୁଢ଼ି ଅଛି। ଏବେ ତାର ଉଦାହରଣ ଦେଖିବାକୁ ମିଳିଛି ଦେଶର ସବୁଠାରୁ ମର୍ଯ୍ୟାଦାଜନକ ଉଚ୍ଚ ଶିକ୍ଷାନୁଷ୍ଠାନ ଜବାହାରଲାଲ ନେହରୁ ବିଶ୍ବବିଦ୍ୟାଳୟ (ଜେଏନ୍ୟୁ)ରେ। ଜେଏନ୍ୟୁ ପ୍ରତି କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ଯେ ଅନୁକୂଳ ନୁହେଁ, ଏ କଥା ବେଶ୍ ଜଣାଶୁଣା। ସେ ଦୃଷ୍ଟିରୁ ଏବେ ଜେଏନ୍ୟୁ ଉପରେ କରାଯାଇଥିବା ପ୍ରଚ୍ଛନ୍ନ ଆକ୍ରମଣ ଆଲୋଚନା ସାପେକ୍ଷ।
Sambad is now on WhatsApp
Join and get latest news updates delivered to you via WhatsApp
କଥାଟି ଆରମ୍ଭ ହୁଏ ଗଲା ମାସର ଶେଷ ସପ୍ତାହରେ ଯେତେବେଳେ ଅଚାନକ ଜେଏନ୍ୟୁ କର୍ତ୍ତୃପକ୍ଷ ହଷ୍ଟେଲ ଅନ୍ତେବାସୀଙ୍କ ବିଭିନ୍ନ ଫି’ରେ ୬୦୦% ବୃଦ୍ଧି କରନ୍ତି। ତା ସହ ବିଦ୍ୟୁତ୍ ଓ ପାଣି ବିଲ୍ (ଯାହା ମାଗଣା ଥିଲା) ମଧ୍ୟ ଯୋଡ଼ି ଦିଆଯାଏ। ଫଳେର ପୂର୍ବରୁ ବର୍ଷକୁ ପ୍ରାୟ ୮ ହଜାର ଟଙ୍କାର ହଷ୍ଟେଲ ଖର୍ଚ୍ଚ ୫୦ ହଜାର ଟଙ୍କାକୁ ବୃଦ୍ଧି ପାଏ। କେବଳ ସେତିକି ନୁହେଁ, କର୍ତ୍ତୃପକ୍ଷଙ୍କ ଦ୍ବାରା ହଷ୍ଟେଲରୁ ବାହାରକୁ ଯିବା ଆସିବା ସମୟ ଉପରେ ଓ ହଷ୍ଟେଲରେ ଛାତ୍ରୀମାନଙ୍କ ପୋଷାକ ପିନ୍ଧା ନେଇ କଟକଣା ଲାଗୁ କରାଯାଏ। ପୁଣି କୌଣସି ନୂଆ ନିୟମ ଲାଗୁ କରିବା ପୂର୍ବରୁ ଛାତ୍ର ସଂସଦ ଓ ହଷ୍ଟେଲର ଛାତ୍ର ପ୍ରତିନିଧିଙ୍କ ସହ ଆଲୋଚନା କରାଯିବାର ପରମ୍ପରାକୁ ମଧ୍ୟ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଅଣଦେଖା କରନ୍ତି। ସ୍ବାଭାବିକ ଭାବେ, ଜେଏନ୍ୟୁ ଭଳି ଏକ ମୁକ୍ତ ଚିନ୍ତନ ଓ ଉନ୍ନତ େଶୖକ୍ଷିକ ବାତାବରଣର ପରମ୍ପରା ବହନ କରୁଥିବା ପ୍ରସିଦ୍ଧ ବିଶ୍ବବିଦ୍ୟାଳୟ ଲାଗି ଏହା ଆଦୌ ଗ୍ରହଣୀୟ ହୋଇପାରେ ନାହିଁ। ଏହା ବିରୋଧରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଅତ୍ୟନ୍ତ ତୀବ୍ର ରୂପ ଧାରଣ କରେ।
ମନେ ରଖିବାକୁ ହେବ ଯେ ଜେଏନ୍ୟୁ ଏକ ସାଧାରଣ ବିଶ୍ବବିଦ୍ୟାଳୟ ନୁହେଁ। ଅଭିଜିତ ବାନାର୍ଜୀ ନୋବେଲ ପୁରସ୍କାର ପାଇବା ବେଳେ ତାଙ୍କ ପୁରୁଣା ଶିକ୍ଷାୟତନ ଭାବେ ଜେଏନ୍ୟୁ ଚର୍ଚ୍ଚାର ପରିସରକୁ ଆସିଥିଲା। ବର୍ତ୍ତମାନର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଏସ୍.ଜୟଶଙ୍କର ମଧ୍ୟ ଜେଏନ୍ୟୁର ଉପଜ। ରାଷ୍ଟ୍ର ତଥା ବିଶ୍ବର ବିଭିନ୍ନ କ୍ଷେତ୍ର ଓ ସ୍ତରର ଉତ୍କର୍ଷରେ ଜେଏନ୍ୟୁର ଛାତ୍ରଛାତ୍ରୀଙ୍କ ଅବଦାନ ରହିଛି। ପୁଣି ଏହା ହେଉଛି ଦେଶର ଏକମାତ୍ର ବିଶ୍ବବିଦ୍ୟାଳୟ ଯେଉଁଠି ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ପ୍ରାୟ ୪୦%। ହଷ୍ଟେଲ ଫି’ କମ୍ ଥିବାରୁ ଏଭଳି ଆର୍ଥିକ ଭାବେ ପଛୁଆ ବର୍ଗର ପିଲାମାନେ ଜେଏନ୍ୟୁରେ ପଢନ୍ତି ଓ ନିଜ ସ୍ବପ୍ନ ଚରିତାର୍ଥ କରନ୍ତି। ଏବେ କର୍ତ୍ତୃପକ୍ଷଙ୍କ ଏ ନୂଆ ନୀତି ଜେଏନ୍ୟୁର ଏହି ବିଶେଷତ୍ବକୁ କ୍ଷୁଣ୍ଣ କରିବାକୁ ବସିଛି।
ତେବେ ପ୍ରଶ୍ନ ଉଠୁଛି ଯେ କେନ୍ଦ୍ର ସରକାରଙ୍କ ଏଭଳି ଅଚାନକ ନିଷ୍ପତ୍ତି ପଛର ଉଦ୍ଦେଶ୍ୟ କ’ଣ? କୁହାଯାଉଛି ଯେ ଜେଏନ୍ୟୁ ହଷ୍ଟେଲ ଲାଗି ବାର୍ଷିକ ବ୍ୟୟ କରାଯାଉଥିବା ୧୦ କୋଟି ଟଙ୍କାର ଭରଣା ଏଇ ଉପାୟରେ କରାଯିବ। କିନ୍ତୁ ଏହା ପଛରେ ଅନ୍ୟ ଅଭିସନ୍ଧି ଅଛି ବୋଲି ଅନେକ ମହଲରେ ସନ୍ଦେହ କରାଯାଏ। ସ୍ମରଣରେ ଥାଇ ପାରେ, ପ୍ରାୟ ସାଢ଼େ ତିନି ବର୍ଷ ତଳେ ଜେଏନ୍ୟୁ ପରିସରରେ ଆୟୋଜିତ ଏକ ସଭାରେ କିଛି ଛାତ୍ରଛାତ୍ରୀ ରାଷ୍ଟ୍ର ବିରୋଧୀ ସ୍ଲୋଗାନ ଦେବା ଅଭିଯୋଗକୁ ନେଇ ତମ୍ବିତୋଫାନ ହୋଇଥିଲା। ଏଥି ଯୋଗୁଁ ସରକାରଙ୍କ ରୋଷର ଶିକାର ହୋଇଥିଲେ ଜେଏନ୍ୟୁର ଛାତ୍ରନେତା କହ୍ନେୟା କୁମାର। ତାଙ୍କ ବିରୋଧରେ ‘ଦେଶଦ୍ରୋହ’ର ଅଭିଯୋଗ ଅଣାଯାଇଥିଲା, ଯାହାର ପ୍ରମାଣ ଏ ଯାବତ୍ ପୁଲିସ ଯୋଗାଡ଼ କରିପାରିନି। କହ୍ନୈୟା କୁମାର ବା ତାଙ୍କ ସତୀର୍ଥମାନେ ବାମପନ୍ଥୀ ଆଦର୍ଶର ଅନୁଗାମୀ ହୋଇଥିବାରୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତି ଓ ଦକ୍ଷିଣପନ୍ଥୀ ଆଦର୍ଶର ଘୋର ସମାଲୋଚକ। ତେଣୁ ସେମାନେ ସରକାରଙ୍କ ବିଷ ଦୃଷ୍ଟିରେ। ଏହା ମଧ୍ୟ ଦେଖିବାକୁ ମିଳିଛି ଯେ ଦକ୍ଷିଣପନ୍ଥୀ ଆଦର୍ଶରେ ବିଶ୍ବାସୀ ଛାତ୍ର ସଂଗଠନ ‘ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ’ ଦ୍ବାରା ଜେଏନ୍ୟୁ ଛାତ୍ରସଂସଦକୁ ଅକ୍ତିଆର କରିବାର ଉଦ୍ୟମ ହେଉଛି, ଯାହା ଏ ଯାବତ୍ ସଫଳ ହୋଇ ପାରିନାହିଁ। ଏହା ସହିତ ନେହରୁଙ୍କ ନୀତି ଏବଂ ତାଙ୍କର ନାମର ଔଜ୍ଜ୍ବଲ୍ୟକୁ ନିଷ୍ପ୍ରଭ କରିବାକୁ ନେହରୁଙ୍କ ନାମରେ ନାମିତ ଏହି ଅନୁଷ୍ଠାନକୁ ନିଶାଣ କରାଯାଇଛି ବୋଲି ମଧ୍ୟ କୁହାଯାଉଛି। ତେବେ, ଇତି ମଧ୍ୟରେ ଜେଏନୟୁ ପରିସର ଭିତରେ ଥିବା ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦିଆଯାଇଥିବା ଘଟଣା ଛାତ୍ର ଆନ୍ଦୋଳନ ସଂଦର୍ଭରେ ଏକ ନୂଆ ବିବାଦକୁ ଜନ୍ମ ଦେଇଛି। ସଂଶୟ ପ୍ରକାଶ ପାଇଲାଣି ଯେ ଜେଏନ୍ୟୁ ଛାତ୍ର ଆନ୍ଦୋଳନ ପଥଚ୍ୟୁତ ହେବାର ଉପକ୍ରମ କଲାଣି କି? ଯଦିଓ ଆନ୍ଦୋଳନକାରୀ ନେତାମାନେ ଏ ନେଇ ସଂପୃକ୍ତିକୁ ମନା କରିଛନ୍ତି, ତଥାପି ଏହା ଯେ ଏକ ଭୁଳ ସଂକେତ ଦେଇଛି, ତାହା କହିବା ବାହୁଳ୍ୟ ମାତ୍ର।
ଭୁଲିଗଲେ ହେବ ନାହିଁ ଯେ ଜେଏନ୍ୟୁର ମେଧାବୀ ଛାତ୍ରଛାତ୍ରୀମାନେ ଆମ ଦେଶ ନିର୍ମାଣରେ ବିଶେଷ ଭୂମିକା ନିର୍ବାହ କରିଛନ୍ତି ଓ ଆଗକୁ କରିବେ ମଧ୍ୟ। ଦେଶର ମେଧାବୀ ଯୁବକଯୁବତୀଙ୍କୁ ଶିକ୍ଷା ପ୍ରଦାନ କରିବା ସରକାରଙ୍କ ଏକ କର୍ତ୍ତବ୍ୟ ଏବଂ ସେମାନଙ୍କର ଏକ ଅଧିକାର ମଧ୍ୟ। ମାତ୍ର ଏଠାରେ ବିପରୀତଟି ଘଟିଛି। ଛାତ୍ରଛାତ୍ରୀଙ୍କ ଉପରୁ ବିନିଯୋଗ ପ୍ରତ୍ୟାହାର କରିବାକୁ ସରକାର ବ୍ୟାକୁଳ। ଯଦି ବୈଚାରିକ ବିଦ୍ବେଷ କାରଣରୁ ଜେଏନ୍ୟୁ ଉପରେ ଅଦୃଶ୍ୟ ଆକ୍ରମଣ କରାଯାଉଥାଏ, ତେବେ ବିଚାରର ବିବିଧତାକୁ ପ୍ରଶ୍ରୟ ଦେଇ ଆସିଥିବା ଭାରତରେ ଏହା କେବେହେଲେ ସଫଳ ହେବ ନାହିଁ।
ମୋ: ୯୪୩୭୦୮୨୫୨୬
[email protected]