ଶାନ୍ତି ପାଇବାର ବାଟ
କଥାଟିଏ - ଯାଯାବର
ଜଣେ ବ୍ୟକ୍ତି ଶାନ୍ତି ଟିକିଏ ପାଇବା ଲାଗି ବହୁତ କାମ କଲେ। କିନ୍ତୁ ଶାନ୍ତି ମିଳିଲା ନାହିଁ। ଦିନେ ସେ ଗୋଟିଏ ବହି ଦେଖିଲେ ଯାହାର ଶୀର୍ଷକ ଥିଲା- ଶାନ୍ତି ପାଇବାର ମାର୍ଗ। ସେ ସାଙ୍ଗେସାଙ୍ଗେ ବହିଟିକୁ କିଣିନେଲେ ସେଥିରେ ଥିବା ଶାନ୍ତି ପାଇବାର ହଜାରେ ବାଟକୁ ମୁଖସ୍ଥ କରି ପକାଇଲେ। ବହିଟି ହୋଇଗଲା ତାଙ୍କର ସବୁଠାରୁ ପ୍ରିୟ ପୁସ୍ତକ। ଏବେ ଶାନ୍ତି ପାଇବାର ସେ ଏକ ହଜାର ବାଟ ପାଇଯାଇଥିଲେ। କିନ୍ତୁ ହାୟ, ମନକୁ ଶାନ୍ତି ମିଳୁ ନ ଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ସେଇ ସମୟରେ ହଠାତ୍ ଖବର ପାଇଲେ ଯେ ବହିର ଲେଖକ ତାଙ୍କ ସହରକୁ ବୁଲିବାକୁ ଆସୁଛନ୍ତି। ସେ ଲେଖକଙ୍କୁ ଭେଟିବାକୁ ସ୍ଥିର କଲେ। ଲେଖକ ମହାଶୟଙ୍କ ସହିତ ତାଙ୍କର ଭେଟ ବେଳେ ସେ ପଚାରିଲେ- ଆଜ୍ଞା, ଆପଣଙ୍କ ପୁସ୍ତକଟି ଚମତ୍କାର। ବହୁତ ଭଲ ଲାଗିଲା। ଏବେ ଶାନ୍ତି ପାଇବାର ସବୁ ବାଗ ମୁଁ ଜାଣିଛି, କିନ୍ତୁ ଶାନ୍ତି ମିଳୁନି।
ଲେଖକ ମହାଶୟ କହିଲେ- ତାହା ହେଲେ ଆପଣ ବହିଟିର ସବା ଶେଷ ପୃଷ୍ଠାକୁ ପଢ଼ି ନାହାନ୍ତି। ସେଥିରେ ଅସଲ ବାଟଟି ଲେଖାଯାଇଛି। ଭଦ୍ରଲୋକ ବିସ୍ମିତ ହୋଇଗଲେ। ତାଙ୍କ ପାଖରେ ବହିଟି ଥିଲା। ସେ ସାଙ୍ଗେ ସାଙ୍ଗେ ଶେଷ ପୃଷ୍ଠାଟି ଖୋଲି ପଢ଼ିଲେ। ସତରେ ସେ ସେଇ ପୃଷ୍ଠାରେ ଥିବା ଧାଡ଼ିଏ ବାକ୍ୟକୁ ନଜରଅନ୍ଦାଜ କରିଥିଲେ। ସେଇ ବାକ୍ୟଟି ଥିଲା- ପଢ଼ି ସାରିବା ପରେ ବହିଟିକୁ ଅଳିଆ ଗଦାରେ ପକାଇ ଦେବ।
ଭଦ୍ରଲୋକ ପଚାରିଲେ- ଏହାର ଅର୍ଥ?
ଲେଖକ ତାଙ୍କୁ ବୁଝାଇ କହିଲେ- ଏହାର ଅର୍ଥ ଆପଣ ଯାହାକୁ ଭଲ ପାଆନ୍ତି ତାର ଆକର୍ଷଣର ଡୋରି ନ କାଟିଲା ପର୍ଯ୍ୟନ୍ତ ଶାନ୍ତି ମିଳିବ ନାହିଁ। ଆପଣଙ୍କୁ ମାୟା ମୁକ୍ତ ହେବାକୁ ପଡ଼ିବ। କିନ୍ତୁ ତାହା ଭାରି କଷ୍ଟ। ଆପଣ ଏହି ବହିଟିକୁ ଫିଙ୍ଗି ଦେଇ ପାରିବେ କି?
ଭଦ୍ରଲୋକ ଆଉ କିଛି ନ କହି ବହିଟିକୁ ଧରି ଘରକୁ ଫେରିଲେ।