ବିଜେପୁରରେ ବିଜେଡି-ବିଜେପି ଛକାପଞ୍ଝା

ବିଦ୍ରୋହୀଙ୍କୁ କବ୍‌ଜା ଲାଗି ରଣନୀତି, କୋଣଠେସା ହେଉଛନ୍ତି ସ୍ଥାନୀୟ ନେତା

ବିଜେପୁର ଉପନିର୍ବାଚନରେ ବହୁ ଭୋଟରେ ବିଜୟ ଲାଭ କରିବୁ। ଆଜି ନୂଆଦିଲ୍ଲୀ ଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ଏଭଳି ଦୃଢୋକ୍ତି ପ୍ରକାଶ କରିଛନ୍ତି। ଏହା ପୂର୍ବରୁ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ମଧ୍ୟ ଜୋର ଦେଇ କହିଥିଲେ ଯେ ସେମାନେ ଏହି ଉପନିର୍ବାଚନରେ ନିଶ୍ଚିତ ବିଜୟ ଲାଭ କରିବେ। ଖାଲି ତିନି ଦଳର ପ୍ରାର୍ଥୀ କି ଶୀର୍ଷ ନେତୃତ୍ୱ ନୁହନ୍ତି, ନିର୍ବାଚନ ପରିଚାଳନାର ପୁରଭାଗରେ ଥିବା ପ୍ରତି ଦଳର ମୁଣ୍ଡିଆଳ ଓ କାର୍ପଟଦାରମାନେ ମଧ୍ୟ ଅନୁରୂପ ଯୁକ୍ତି ରଖୁଛନ୍ତି। କିଏ କେଉଁ ବ୍ଲକ ବା ଏନ୍‌ଏସିରେ କେତେ ଭୋଟରେ ଜିତିବେ, ସେ ନେଇ ମଧ୍ୟ ପୂର୍ବାନୁମାନ ଲଗାଇଲେଣି।

ହେଲେ ଆଜି ଦିନରେ ଏହି ନିର୍ବାଚନମଣ୍ଡଳୀର ଚିତ୍ରକୁ ପର୍ଯ୍ୟାଲୋଚନା କଲେ କିିଛି ଅଲଗା ସଙ୍କେତ ମିଳୁଛି। କୌଣସି ଦଳ ନିର୍ବାଚନକୁ ଏକତରଫା ଭାବେ ନିଜ କରାୟତକୁ ନେବା ସ୍ଥିତିକୁ ଆସିନାହାନ୍ତି। ନିର୍ବାଚନମଣ୍ଡଳୀ ଚିତ୍ରରେ ମଧ୍ୟ ଦ୍ରୁତ ପରିବର୍ତ୍ତନର ଆଭାସ ମିଳୁଛିି। ନିଜ ନିଜ ଦଳର ବିଦ୍ରୋହୀଙ୍କୁ ମନାଇବା ଲାଗି ନେତାମାନେ ଯେତିକି କସରତ ଚଳାଇଛନ୍ତି, ଅନ୍ୟ ଦଳର ବିଦ୍ରୋହୀଙ୍କୁ ନିଜ କବ୍‌ଜାକୁ ନେବା ଲାଗି ତା ଠାରୁ ଢେର୍‌ ଅଧିକ ଉଦ୍ୟମ କରୁଥିବା ଦେଖିବାକୁ ମିଳିଛି। ବରଗଡର ବିଭିନ୍ନ ହୋଟେଲରେ ଦିନତମାମ ଗୁପ୍ତ ଆଲୋଚନା ଚାଲିଥିବା ଖବର ମିଳିଛି।

ଶିବରାତ୍ରି ପାଇଁ ଆଜିି ପ୍ରଚାର ଅନ୍ୟ ଦିନ ଅପେକ୍ଷା ମାନ୍ଦା ଥିଲା। ଏହା ସତ୍ତ୍ୱେ ଶିବମନ୍ଦିର ସାମ୍ନାରେ ରହି ତିନି ପ୍ରମୁଖ ରାଜନୈତିକ ଦଳ ଓ ପ୍ରାର୍ଥୀ ଭୋଟରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଭୁଲିନାହାନ୍ତି। ସେପଟେ ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ଛାଟ ମାଡ଼ ଆରମ୍ଭ ହୋଇଛି। ଆଜି ବିଜେଡି ନିର୍ବାଚନ ହିସାବକୁ ନେଇ ପର୍ଯ୍ୟବେକ୍ଷକ ଘଣ୍ଟାଚକଟା କରିଛନ୍ତି।

ଅନ୍ୟପଟେ ବିଜେଡି ଓ ବିଜେପିର ହାଇପ୍ରୋଫାଇଲ୍‌ ପ୍ରଚାର ଭିତରେ ସ୍ଥାନୀୟ କର୍ମୀ ରୁନ୍ଧି ହୋଇଗଲେଣି। ଉଭୟ ଦଳରେ ଏ ସମସ୍ୟା ଧୀରେ ଧୀରେ ମୁଣ୍ଡ ଟେକିବା ଆରମ୍ଭ କରିଛି। ବିଜୁ ଜନତା ଦଳର ବଚ୍ଛା ବଚ୍ଛା ଟାଣୁଆ ନେତା ବିଜେପୁର, ଗାଇସିଲାଟ, ବରପାଲିରେ ଡେରା ପକାଇଛନ୍ତି। ପ୍ରତି ପଞ୍ଚାୟତ ଜଗିଛନ୍ତି ବିଧାୟକ ପ୍ରାର୍ଥୀ ବା ବିଧାୟକ। ଏମାନଙ୍କୁ ସହଯୋଗ ଲାଗିି ବିଜେଡି ଛାମୁଆ ସଂଗଠନ କର୍ମକର୍ତ୍ତାଙ୍କୁ ନିୟୋଜିତ କରାଯାଇଛି। ଯେଉଁଥିରେ ସ୍ଥାନୀୟ ନେତା ବା ଆଗଧାଡିର କର୍ମୀ କୋଣଠେସା ହୋଇପଡ଼ୁଛନ୍ତି। ଏହାଛଡ଼ା ବିଜେପି ବା କେନ୍ଦ୍ର ସରକାରଙ୍କ ବିରୋଧରେ ପ୍ରସଙ୍ଗ ରଖି ଭୋଟରଙ୍କୁ ବିଜେଡି ନେତା ପ୍ରଭାବିତ କଲାଭଳି ମନେହେଉ ନାହିଁ। ଦଳୀୟ ନେତାମାନେ ସରକାରଙ୍କ ସଫଳତା ସାମ୍ନାରେ ରଖି ପ୍ରଚାର କରିବା କାରଣରୁ ପ୍ରତିପକ୍ଷ ଗୋଷ୍ଠୀ ସେତେଟା କ୍ଷତିଗ୍ରସ୍ତ ହେଉନଥିବା କୁହାଯାଉଛି।

ବିଜେପିରେ ମଧ୍ୟ ଦୁଇଟି ସମାନ୍ତରାଳ ସାଂଗଠନିକ ପ୍ରକ୍ରିୟାରେ ପ୍ରଚାର ଚାଲିିଛି। ବିଜେପିିର ମୂଳ ସଂଗଠନ ଓ ଅନ୍ୟ ଦଳରୁ ଆସି ବିଜେପିରେ ଯୋଗଦେଇଥିବା ନେତାମାନେ ପୃଥକ୍‌ ପୃଥକ୍‌ ତରିକାରେ ପ୍ରଚାର ଚଳାଇଛନ୍ତି। ଏହାକୁ ନେଇ ମୂଳ ବିଜେପିରେ ଅସନ୍ତୋଷ ପଦାକୁ ଆସିଲାଣି। ସ୍ଥିତି ଗମ୍ଭୀର ଆଡକୁ ଯାଉଥିବା ଲକ୍ଷ୍ୟ କରି ଆଜି ବିଜେପି ରଣନୀତିି ବଦଳାଇଛି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ନିଜ କୋର୍‌ ଟିମ୍‌ରେ ରଖିଥିବା ଉପକୂଳିଆ ନେତାଙ୍କୁ ଆୟୁଧ କରି ଅସନ୍ତୋଷକୁ ପ୍ରଶମିତ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ୬୯ ଜଣ ନେତାଙ୍କର ଏକ ତାଲିକା ପ୍ରସ୍ତୁତ କରି ପ୍ରତି ପଞ୍ଚାୟତରେ ତନାଘନା କରିବା ଲାଗି ସ୍ଥିର ହୋଇଥିବା ସୂଚନା ମିଳିଛିି। ସବୁଠାରୁ ବଡ଼ କଥା ହେଉଛି, ଭୁବନେଶ୍ୱରରେ ଦଳ ସରକାର ବିରୋଧରେ ତମ୍ବିତୋଫାନ କରୁୁଥିଲେ ହେଁ, ବିଜେପୁର ନିର୍ବାଚନମଣ୍ଡଳୀରେ ସେ ତାତି ଅନୁଭୂତ ହେଉନାହିଁ। ବ୍ୟାନର, ପୋଷ୍ଟର ବା ପ୍ରଚାର ଶୈଳୀ ବି ଏମିତି ଏକ ଧାରଣାକୁ ଦୃଢୀଭୂତ କରୁଛି। ସେହିଭଳି ଉଭୟ ଦଳ ପ୍ରାର୍ଥୀଙ୍କ ସପକ୍ଷରେ ଯଥେଷ୍ଟ ହାଓ୍ଵା ନାହିଁଁ। ଏଣୁ ନିର୍ବାଚନୀ ମଇଦାନରେ କଂଗ୍ରେସ ପ୍ରାର୍ଥୀ ଏ ଦୃଷ୍ଟିରୁ ଯଥେଷ୍ଟ ଗ୍ରହଣୀୟ ହେଉଥିବା ଲକ୍ଷ୍ୟ କରାଯାଉଛି।

କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ଏକ ନିଆରା ତରିକାରେ ପ୍ରଚାର ଚଳାଇଛନ୍ତି। ପିସିସି ତାଙ୍କୁ ସାଥ୍‌ ଦେଉନାହିଁଁ, ଏହାକୁ ନେଇ ଚର୍ଚ୍ଚା ହେଲାଣି। ବିଶେଷକରି ପଶ୍ଚିମ ଓଡ଼ିଶାର କଂଗ୍ରେସ ନେତାମାନେ ପ୍ରଚାରକୁ ନ ଆସିବା ଘଟଣାକୁ ଖୋଦ୍‌ କଂଗ୍ରେସ କର୍ମୀ ହଜମ କରିିପାରୁନାହାନ୍ତି। ଏହା ଧୀରେ ପ୍ରଣୟଙ୍କ ସପକ୍ଷରେ ଅନୁକମ୍ପା ସୃଷ୍ଟି ଲାଗି ଏକ ସୁଯୋଗ ସୃଷ୍ଟି କରୁଛି। ପ୍ରଚାରରେ ଯଥେଷ୍ଟ ପଛୁଆ ଅଛି କଂଗ୍ରେସ। ବ୍ୟାନର, ପୋଷ୍ଟର କଦବା କେଉଁଠି ଦେଖିବାକୁ ମିଳୁଛି। ଏକ କାର୍ଡ ଧରି ଦୁଆର ଦୁୁଆର ବୁୁଲି ପ୍ରଣୟ ପ୍ରଚାର ଚଳାଇଛନ୍ତି। ମୂଳ କଂଗ୍ରେସ କର୍ମୀ, ବିଦ୍ରୋହୀ ବିଜେଡି ଓ ବିଜେପି ନେତା ଏବଂ କୁୁଲତା ସମାଜକୁ ନଜର ରଖି କଂଗ୍ରେସ ଗୋଟିଚାଳନା କରୁଛି।

ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ ନିର୍ବାଚନୀ ଉଷ୍ମତା ବେଶ୍‌ ପ୍ରକଟ ହେଉଛି ସତ, କିନ୍ତୁ ବିଜେପୁର ନିର୍ବାଚନମଣ୍ଡଳୀ ସଂପର୍କରେ ସ୍ପଷ୍ଟ ଚିତ୍ର ଆଙ୍କିବାକୁ ହେଲେ ଶେଷ ମୁହୂର୍ତ ଯାଏ ଅପେକ୍ଷା କରିବାକୁ ପଡିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେପି କେନ୍ଦ୍ରୀୟ ନେତାଙ୍କ ପ୍ରଚାର ଏ କ୍ଷେତ୍ରରେ ଯଥେଷ୍ଟ ଗୁରୁତ୍ୱ ରଖୁଛି। ଉଭୟ ଦଳର ଶୀର୍ଷ ନେତୃତ୍ୱ ଯେତେ ଅଧିକ ଭୋଟରଙ୍କୁ ପ୍ରଭାବିତ କରିପାରିବେ, ତାହା ସେ ଦଳକୁ ସହଯୋଗ କରିିପାରେ।

ବିଜେପୁରରୁ ଭବାନୀ ଶଙ୍କର ତ୍ରିପାଠୀ

ସମ୍ବନ୍ଧିତ ଖବର