ଦାମ ବ୍ୟଥା: ସଫେଇ ଦେଲେ ନବୀନ

ବିଜେପି-କଂଗ୍ରେସଠାରୁ ସମାନ ଦୂରରେ ରହିବୁ

ଭୁବନେଶ୍ୱର: କଂଗ୍ରେସ ଓ ବିଜେପିଠାରୁ ବିଜେଡି ସମଦୂରତା ବଜାୟ ରଖିଛି। ଲୋକଙ୍କ ଆଶୀର୍ବାଦରୁ ଆମେ ଓଡ଼ିଶାର ସ୍ୱାର୍ଥ ପାଇଁ ଲଢ଼େଇ ଜାରି ରଖିବୁ। ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ଦୁଇଧାଡିଆ ଟ୍ଵିଟ୍‌ କରି ବିଜେଡି-କଂଗ୍ରେସ ନିବିଡ଼ତା ସମ୍ଭାବନାର ଚର୍ଚ୍ଚାକୁ ଉଡ଼ାଇ ଦେଇଛନ୍ତି। ନବୀନଙ୍କ ଏହି ବାର୍ତା କର୍ମୀଙ୍କ ଠାରୁ ଆରମ୍ଭ କରି ମେଣ୍ଟ ବିପକ୍ଷରେ ଥିବା ବିଜେଡି ନେତାଙ୍କୁ ଆଶ୍ୱସ୍ତ କରିଛି। ଏହା ସତ୍ତ୍ୱେ ଏହି ପ୍ରସଙ୍ଗକୁ ନେଇ ବିଜେଡି ଶିବିରରେ ଚର୍ଚ୍ଚା ଆଲୋଚନା, ସମାଲୋଚନାର ଅନ୍ତଃ ଘଟିନାହିଁ। ସବଠାରୁ ବଡ଼ କଥା ହେଉଛି, ଖୋଦ୍‌ ବିଜେଡି ଉପସଭାପତି ତଥା ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ତାଙ୍କ ବକ୍ତବ୍ୟରେ ସାମାନ୍ୟ ପରିବର୍ତନ କରିଥିଲେ ହେଁ, ଆହୁରି ଥରେ ଦୋହରାଇଛନ୍ତି ଯେ କଂଗ୍ରେସ ଅଛୁଆଁ ନୁହେଁ।

ଉଲ୍ଲେଖଯୋଗ୍ୟ, ସାଂପ୍ରଦାୟିକ ଶକ୍ତିକୁ ଦୂରେଇ ରଖିବା ଲାଗି କଂଗ୍ରେସ ସହ ସଂପର୍କ ସ୍ଥାପନ ସଂପର୍କରେ ଟିପ୍‌ପଣୀ ଦେଇ ଗତକାଲି ଚା’ କପରେ ଝ଼ଡ଼ ପରିସ୍ଥିତି ସୃଷ୍ଟି କରିଥିଲେ ଡାକ୍ତର ରାଉତ। ଡାକ୍ତର ରାଉତଙ୍କ ଏହି ମନ୍ତବ୍ୟ ରାଜନୈତିକ ମହଲରେ ଆଲୋଡ଼ନ ସୃଷ୍ଟି କରିଥିଲା। ସମାନ୍ତରାଳ ଭାବେ ବିଜେଡି ଶିବିର କମ୍ପିଥିଲା। ସ୍ଥିତି ଏତେ ଗମ୍ଭୀର ରୂପ ଧାରଣ କରିଥିଲା ଯେ ୨୪ ଘଣ୍ଟା ମଧ୍ୟରେ ବିଜେଡି ମୁଖ୍ୟ ଏସଂପର୍କରେ ସ୍ପଷ୍ଟୀକରଣ ଦେବାକୁ ଆଜି ବାଧ୍ୟ ହୋଇଥିଲେ। ତେବେ ଗତବର୍ଷ ସାଂସଦ ଭର୍ତ୍ତୃହରି ମହତାବ ଓ ଗତକାଲି ମନ୍ତ୍ରୀ ଡାକ୍ତର ରାଉତଙ୍କ ଭଳି ବିଜେଡିର ଦୁଇ ଜଣ ବରିଷ୍ଠ ତଥା ଅନୁଭବୀ ନେତା କଂଗ୍ରେସ ସହିତ ସଂପର୍କ ରଖିବା ଲାଗି କାହିଁକି ଆଗ୍ରହ ଦେଖାଇଲେ, ତାକୁ ରାଜନୈତିକ ପର୍ଯ୍ୟବେକ୍ଷକ ହାଲୁକା ଭାବେ ଗ୍ରହଣ କରୁନାହାନ୍ତି। ବାସ୍ତବରେ କାହା ଇଙ୍ଗିତରେ ଏଭଳି ପ୍ରସଙ୍ଗ ବାରମ୍ବାର ଉଠୁଛି ସେ ନେଇ ତର୍ଜମା ଆରମ୍ଭ ହୋଇଛି।

କେବଳ ସେତିକି ନୁହେଁ, ବିଜେଡି ଏମିତି କାହିଁକି ଆଚରଣ କରୁଛି, ଯାହାପାଇଁ ବିଜେପି ଓ କଂଗ୍ରେସ ସହିତ ସଂପର୍କ ନେଇ ନବୀନଙ୍କୁ ବାରମ୍ବାର ସ୍ପଷ୍ଟୀକରଣ ଦେବାକୁ ପଡୁଛି, ତାହାକୁ ବି ପର୍ଯ୍ୟବେକ୍ଷକ ମହଲ ଗମ୍ଭୀରତାର ସହିତ ବିଚାର କରୁଛନ୍ତି। ବିଜେଡି-କଂଗ୍ରେସ ସଂପର୍କକୁ ନେଇ ଗତକାଲି ଦିନତମାମ ବୟାନବାଜି ପରେ ଆଜି ପୁଣି ଥରେ ଡାକ୍ତର ଦାମୋଦର ରାଉତ ଏହା ଉପରେ ତାଙ୍କ ମତ ଗଣମାଧ୍ୟମ ସାମ୍ନାରେ ରଖିଥିଲେ। ମନ୍ତବ୍ୟ ସାମାନ୍ୟ ବଦଳାଇ କହିଥିଲେ, ଅର୍ଥକୁ କାହିଁକି ଅନର୍ଥ କରାଯାଉଛି ମୁଁ ଜାଣିନି। ଓଡିଶାରେ କାହାର ସହାୟତା ଦରକାର ନାହିଁ , ଆମେ ଏକାକୀ ଲଢିପାରିବୁ। କିନ୍ତୁ କଂଗ୍ରେସ ଅଛୁଆଁ ନୁହେଁ ବୋଲି ଦୋହରାଇଥିଲେ ଦାମ। ଦୃଢୋକ୍ତି ପ୍ରକାଶ କରିଥିଲେ, ବିଜେଡି ଆସନ୍ତା ନିର୍ବାଚନରେ ୧୨୫ ଆସନରେ ଜିତିବ। ଏଥିସହିତ ସାଂପ୍ରଦାୟିକ ଶକ୍ତିକୁ ଦୂରେଇବା ଲାଗି ସମସ୍ତେ ଏକ ହେବା ସଂପର୍କରେ ବି ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ ବିଜେଡିର ଏହି ଅନୁଭବୀ ନେତା।

ଅନ୍ୟପକ୍ଷରେ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର କହିଥିଲେ, ଆମେ ସମ ଦୂରତା ରକ୍ଷା କରି ଆସିଛୁ, ଆଗକୁ ମଧ୍ୟ କରିବୁ। ଦାମବାବୁଙ୍କ ଏଭଳି ମତ ଉପରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯିବ, ତାହା ସୁପ୍ରିମୋ ବିଚାର କରିବେ। କିନ୍ତୁ ଡାକ୍ତର ରାଉତଙ୍କ କଥାକୁ ବିଜେଡିରେ କେହି ହଜମ କରିପାରୁନାହାନ୍ତି। ମନ୍ତ୍ରୀ ମହେଶ୍ୱର ମହାନ୍ତି ଓ ବରିଷ୍ଠ ନେତା ରବି ନାରାୟଣ ନନ୍ଦ କଂଗ୍ରେସ ସହ ସଂପର୍କକୁ ଏଡାଇଯାଇଥିଲେ ହେଁ, ସାଂପ୍ରଦାୟିକ ଶକ୍ତି ବିରୋଧରେ ଲଢିବା ନେଇ ଦାମଙ୍କ ମନ୍ତବ୍ୟକୁ ସମର୍ଥନ କରିଛନ୍ତି।

ଏପଟେ କଂଗ୍ରେସ-ବିଜେଡି ମେଣ୍ଟ ପ୍ରସଙ୍ଗରେ ଚାଲିଥିବା ଚର୍ଚ୍ଚା ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ। କହିଛନ୍ତି ଯେ ବିଜେପି ସହ କଂଗ୍ରେସ ହିଁ ଏକମାତ୍ର ଦଳ ମୁକାବିଲା କରିପାରିବ। ବିଳମ୍ବରେ ଦାମ ବାବୁଙ୍କ ବୁଦ୍ଧି ଉଦୟ ହୋଇଛି। ୯ ବର୍ଷ ବିଜେପି ସହ ମିଶି ଶାସନ କରୁଥିଲେ। ଏସବୁକୁ ଦେଖିଲେ ବିଜେଡି ବିଶ୍ୱାସଯୋଗ୍ୟ ନୁହେଁ। ଶ୍ରୀ ପଟ୍ଟନାୟକ କହିଲେ, କଂଗ୍ରେସ ଦେଶରେ ଧର୍ମନିରପେକ୍ଷ ଶାସନ ଦେଇପାରିବ। ଏଣୁ ବିଜେପିକୁ ହରାଇବା ପାଇଁ ଚାହୁଁଥିବା ଦଳ କଂଗ୍ରେସ ସହ ହାତ ମିଳାନ୍ତୁ। କଂଗ୍ରେସ ସହ ବିଜେଡିର ମେଣ୍ଟ ନେଇ ଦାମଙ୍କ ମନ୍ତବ୍ୟ ଉପରେ ଆଜି ପ୍ରତିକ୍ରିୟା ରଖିଛନ୍ତି ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର। ଶ୍ରୀ ମହାପାତ୍ର କହିଥିଲେ, ରାଜନୀତିରେ ସବୁ ସମ୍ଭବ। କିନ୍ତୁ ଓଡ଼ିଶାରେ ଏହି ମେଣ୍ଟ ବହୁତ କଷ୍ଟ। ବର୍ତମାନ ରାଜ୍ୟରେ ରାଜନୈତିକ ଚିତ୍ର ଅତ୍ୟନ୍ତ ଅସ୍ପଷ୍ଟ ରହିଛିା ଏଭଳି ପରିପ୍ରେକ୍ଷୀରେ ରାଜ୍ୟବାସୀଙ୍କ ସାମ୍ନାରେ ଉଭୟ ଦଳ ନିଜ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା ଦରକାର।

ସମ୍ବନ୍ଧିତ ଖବର