ବିଜେଡି କ୍ରମାଗତ ନାଟକବାଜି କରୁଛି: ବିଜେପି

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗରେ ବିଜେଡିର ସମାଲୋଚନାର ଜବାବ୍‌ ଦେଇଛି ବିଜେପି। ଦଳ ପକ୍ଷରୁ କୁହାଯାଇଛି, ମହାନଦୀକୁ ନେଇ ଶାସକ ବିଜେଡି କେବଳ ରାଜନୀତି କରୁଛି। ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ନୁହେଁ, ବରଂ ଦଳୀୟ ସ୍ୱାର୍ଥ ରକ୍ଷା ପାଇଁ ଆଗେଇ ଆସିଛନ୍ତି ବିଜେଡିର ଛାମୁଆ ନେତା। ଦୀର୍ଘ ବର୍ଷ ଶାସନ କ୍ଷମତା ପରେ ମଧ୍ୟ ମହାନଦୀ ସମେତ ରାଜ୍ୟରେ ପ୍ରବାହିତ ହେଉଥିବା ଅନ୍ୟ ନଦୀ ଜଳର ଟୋପାଟିଏ ମଧ୍ୟ ସଂରକ୍ଷଣ କରି ରଖିବାରେ ବିଫଳ ହୋଇଥିବା ବିଜେଡି କ୍ରମାଗତ ନାଟକବାଜି କରି ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରିଚାଲିଛି। ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି, ବିଜେଡିର ଯେଉଁ ନେତାମାନେ ମନ୍ତ୍ରୀ ପଦ ଛାଡ଼ି ସାମ୍ବାଦିକ ସମ୍ମିିଳନୀ କରୁଛନ୍ତି, ସେହି ନେତାମାନେ ଅତୀତରେ ଚିଟ୍‌ଫଣ୍ଡ୍‌, ପିସି କାରବାର, ବେନିୟମ ଖଣି ଖନନ ଆଦି ବିଭିନ୍ନ ଦୁର୍ନୀତିମୂଳକ କାର୍ଯ୍ୟରେ ବ୍ୟସ୍ତ ରହି ରାଜ୍ୟର ସ୍ୱାର୍ଥକୁ ଅଣଦେଖା କରିଛନ୍ତି। ଏହି ସମସ୍ତ ଘଟଣା ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ପ୍ରୋତ୍ସାହନରେ ହୋଇଛି। ଏପରି ଦୁର୍ନୀତିମୂଳକ କାର୍ଯ୍ୟରେ ଲିପ୍ତ ଥିବାରୁ ରାଜ୍ୟର ବିକାଶ ବାଧାପ୍ରାପ୍ତ ହେବା ସହ ବହୁ କ୍ଷତି ହୋଇଛି। ନେଡ଼ି ଗୁଡ଼ କହୁଣୀକୁ ବୋହି ଗଲା ପରେ ଶାସକ ବିଜେଡି ନିଜ ଅପାରଗତାକୁ ଲୁଚାଇବା ପାଇଁ ବର୍ତ୍ତମାନ ମହାନଦୀକୁ କେବଳ ରାଜନୈତିକ ପ୍ରସଙ୍ଗ କରି ନିଜ ଅସ୍ତିତ୍ୱକୁ ବଞ୍ଚାଇବା ପାଇଁ ହୀନ ଉଦ୍ୟମ କରୁଛି। ଏପରି କାର୍ଯ୍ୟରୁ ବିରତ ରହି ଟ୍ରିବ୍ୟୁନାଲ୍‌ରେ ଠିକ୍‌ ଦସ୍ତାବିଜ୍‌ ଦାଖଲ କରି ରାଜ୍ୟବାସୀଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖିବାକୁ ଶ୍ରୀ ମହାନ୍ତି ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର