୨୬ରେ କଂଗ୍ରେସ ପାଳିବ କଳା ଦିବସ

ଭୁବନେଶ୍ବର : ଆଜି କଂଗ୍ରେସ ଭବନରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ରାଜ୍ୟ ପଞ୍ଚାୟତ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଦେଶରେ ଗଣତନ୍ତ୍ରକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ କଂଗ୍ରେସ ପଞ୍ଚାୟତ ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତନ ଆଣିଥିଲା। ଏଥିପାଇଁ ୭୨ତମ ଓ ୭୩ତମ ସମ୍ବିଧାନର ସଂଶୋଧନ ଆଣିଥିଲା। କିନ୍ତୁ ବିଜେଡି ସରକାର ପଞ୍ଚାୟତ ବ୍ୟବସ୍ଥାକୁ ଧ୍ବଂସ କରିବାକୁ ବସିଛନ୍ତି। ଏଣୁ ଆସନ୍ତା ୨୬ ତାରିଖରେ କଂଗ୍ରେସ ପକ୍ଷରୁ ପଞ୍ଚାୟତ ବ୍ୟବସ୍ଥାର ସୁରକ୍ଷା ଦିବସ ପାଳନ କରାଯିବ। ବିଜେଡି ସରକାରଙ୍କ ପଞ୍ଚାୟତ ବିରୋଧୀ କାର୍ଯ୍ୟଧାରା ବିରୁଦ୍ଧରେ କଳା ଦିବସ ମଧ୍ୟ ପାଳନ କରାଯିବ।

ଆଜି ରାଜ୍ୟ ପଞ୍ଚାୟତ ସମ୍ମିଳନୀ ଅବସରରେ କଂଗ୍ରେସ ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ପିସିସି ପ୍ରବକ୍ତା ସୁଦର୍ଶନ ଦାସଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ବିଜେଡି ସରକାରଙ୍କ ମାଧ୍ୟମରେ ପଞ୍ଚାୟତ ବ୍ୟବସ୍ଥା କିପରି ଧ୍ବଂସ ହେଉଛି ସେ ସଂପର୍କରେ ଆଲୋଚନା କରାଯାଇଥିଲା। ସମ୍ମିଳନୀରେ ପଞ୍ଚାୟତ ପ୍ରତିନିଧିଙ୍କ ଭତ୍ତା ବୃଦ୍ଧି, ଜିଲ୍ଲା ପରିଷଦ ଏବଂ ପଞ୍ଚାୟତ ସମିତି ସଦସ୍ୟମାନଙ୍କୁ ହାତପାଣ୍ଠି, ସମ୍ବିଧାନର ୭୩ତମ ସଂଶୋଧନ ସୁପାରିସ ଅନୁଯାୟୀ ପଞ୍ଚାୟତକୁ ଅଧିକ କ୍ଷମତା ଆଦି ପ୍ରସ୍ତାବ ଅନୁମୋଦନ ଲାଭ କରିଥିଲା। ଏଥିରେ ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ବାଳ, ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳ, ବରିଷ୍ଠ ନେତା ଭକ୍ତଚରଣ ଦାସ, ସେବା ଦଳ ସଂଯୋଜକ ମନୋଜ ଜେନା ପ୍ରମୁଖଙ୍କ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୧୨୦୦ରୁ ଅଧିକ ପଞ୍ଚାୟତ ପ୍ରତିନିଧି ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର