ଗୁଜରାଟ ନିର୍ବାଚନ

ବିକାଶବାଦ ଉପରେ ଭାରି ପଡ଼ୁଛି ଜାତିବାଦ

ଅହମଦାବାଦ: ଗୁଜରାଟର ସହର ବଜାର ଓ ଗାଁ ଗଣ୍ଡାରେ ଏବେ ବିକାଶ ଓ ହିନ୍ଦୁତ୍ୱ ପ୍ରସଙ୍ଗ ଗୌଣ ହୋଇଯାଇଛି ଏବଂ ଜାତିବାଦର ପ୍ରାଧାନ୍ୟ ଅଚାନକ ବଢ଼ିଯାଇଛି। ବିକାଶବାଦ ଉପରେ ଜାତିବାଦ ଭାରି ପଡ଼ୁଥିବାରୁ ଏଥର ଗୁଜରାଟ ବିଧାନସଭା ନିର୍ବାଚନ ଭିନ୍ନ ପରିବେଶ ସୃଷ୍ଟି କରିଛି। ୧୯୮୫ ପରେ ପ୍ରଥମ ଥର ପାଇଁ କଂଗ୍ରେସ ବିକାଶ ଓ ଓ ଅନ୍ୟ ପ୍ରସଙ୍ଗକୁ ଛାଡ଼ି ଜାତିବାଦ ମାଧ୍ୟମରେ ବିଜେପିର ମୁକାବିଲା ପାଇଁ ନିଜକୁ ତୟାର କରିଛି। ସାଧାରଣ ଭୋଟର୍‌ ମଧ୍ୟ ଜାତିବାଦର ଦୃଷ୍ଟିକୋଣରୁ ନିର୍ବାଚନକୁ ଦେଖୁଥିବାରୁ ବିଜେପି ଏବେ ବିରାଟ ଚ୍ୟାଲେଂଜ ସାମ୍ନା କରୁଛି। ପଟିଦାର ସଂପ୍ରଦାୟରେ ଫାଟ ସତ୍ତ୍ୱେ ଏହାର ସିଂହଭାଗ ଭୋଟ୍‌ ବିଜେପି ବିରୋଧରେ ଯିବ ବୋଲି ତଥ୍ୟାଭିଜ୍ଞ ମହଲରେ ଆଲୋଚନା ହେଉଛି ।

ବିଜେପି ନିଜ ଗଡ଼ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚେହେରା ଏବଂ ବିକାଶର ଦାବିକୁ ଅସ୍ତ୍ର କରି ଆଗକୁ ବଢ଼ିବାକୁ ଚାହୁଥିବା ବେଳେ କଂଗ୍ରେସ ଜାତିଗତ ସମୀକରଣ ଆଧାରରେ ବିଜେପିର ଦୁର୍ଗ ପତନ ଘଟାଇବାକୁ ଉଦ୍ୟମ କରୁଛି। ଦଳିତ, ପଟିଦାର ଏବଂ ଓବିସି ଯୁବନେତାମାନେ ଏବେ କଂଗ୍ରେସ କ୍ୟାମ୍ପ୍‌କୁ ଆସିଛନ୍ତି। ତେବେ ଏହି ନେତାଙ୍କୁ ମନାଇ ଭୋଟ୍‌ ହାସଲ ଲକ୍ଷ୍ୟ ରଖିଥିବା କଂଗ୍ରେସ ସଂରକ୍ଷଣ ନେଇ କୌଣସି ପ୍ରତିଶ୍ରୁତି ଦେଇପାରୁନାହିଁ। ତେବେ ଓବିସି ଏବଂ ପଟିଦାରଙ୍କ ସମର୍ଥନ ହାସଲ କରିବା ପାଇଁ କଂଗ୍ରେସ ଯେଉଁ ଚାଲ ଖେଳୁଛି ତାହା ମହଙ୍ଗା ପଡ଼ିବ ଏବଂ ଉଭୟ ସଂପ୍ରଦାୟର ଦାବି ପରସ୍ପରରର ବିରୋଧୀ ଥିବାରୁ ଏହା କଂଗ୍ରେସର ବିପର୍ଯ୍ୟୟ ଘଟାଇବ ବୋଲି ବିଜେପି ନେତାମାନେ କହିଛନ୍ତି। ପଟିଦାର ନେତା ହାର୍ଦ୍ଦିକ ପଟେଲ ଗତକାଲି କଂଗ୍ରେସକୁ ପଟିଦାର ସଂପ୍ରଦାୟର ସଂରକ୍ଷଣ ଦାବି ନେଇ ୯ ନଭେମ୍ବର ସୁଦ୍ଧା ନୀତି ସ୍ପଷ୍ଟ କରିବାକୁ କହିଛନ୍ତ। ତେବେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପଟିଦାରଙ୍କ ସଂରକ୍ଷଣ ଦାବି ନେଇ ଯେଉଁ ନିଷ୍ପତ୍ତି ନେବେ ତାହା ସେ ମାନିନେବେ ବୋଲି କହିଥିବାରୁ ଏହି ସମୟସୀମାର କିଛି ଅର୍ଥନାହିଁ ବୋଲି କୁହାଯାଉଛି । ସଂରକ୍ଷଣ ନୀତିକୁ ନେଇ ପଟିଦାର ଏବଂ ଓବିସି ସଂପ୍ରଦାୟ ମଧ୍ୟରେ କିଭଳି ସନ୍ତୁଳନ ରକ୍ଷା କରାଯିବ ସେ ନେଇ ଏବେ କଂଗ୍ରେସ ରାସ୍ତା ଖୋଜୁଛି।

ସମ୍ବନ୍ଧିତ ଖବର