ବିଜେଡି ବିଜୁ ଯୋଜନା ଦଳ ହୋଇଛି: ନିରଞ୍ଜନ

ଜଳସେଚନ ବାବଦ କୋଟି କୋଟି ଯାଉଛି କୁଆଡ଼େ?

ଭୁବନେଶ୍ୱର : ଚାଷକାମ ପାଇଁ ମୌସୁମୀ ବର୍ଷା ଉପରେ ନିର୍ଭରଶୀଳ ରାଜ୍ୟର ଚାଷୀ ସ୍ୱଳ୍ପବୃଷ୍ଟି ଯୋଗୁଁ ମରୁଡ଼ି ପରିସ୍ଥିତି ଉପୁଜି ଫସଲହାନି ଘଟିଲେ ଆତ୍ମହତ୍ୟା କରୁଛି। ରାଜ୍ୟର ଅନେକ ଚାଷୀ ଆତ୍ମହତ୍ୟା କରିଥିବା ବେଳେ ଆହୁରି ଅଧିକ ସଂଖ୍ୟକ ଚାଷୀ ଅନ୍ୟ ରାଜ୍ୟଗୁଡ଼ିକୁ ଯାଇ ଦୟନୀୟ ଭାବେ କାମ କରିବାକୁ ବାଧ୍ୟ ହେଉଛନ୍ତି। ଏଣୁ, ଜଳସେଚନ ବାବଦରେ ଖର୍ଚ ହେଉଥିବା କୋଟି କୋଟି ଯାଉଛି କୁଆଡ଼େ ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି। କେବଳ ଖର୍ଚ ନୁହେଁ, ବିଜୁ ଜନତା ଦଳ(ବିଜେଡି) ଲୋକଙ୍କ କଲ୍ୟାଣ ଚିନ୍ତା କରିବା ପରିବର୍ତେ ଯୋଜନା ପରେ ଯୋଜନାର ଭେଳିକି ଦେଖାଇ ବିଜୁ ଯୋଜନା ଦଳରେ ପରିଣତ ହୋଇଥିବା ସେ କଟାକ୍ଷ କରିଛନ୍ତି।

ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଏକ ବିବୃତିରେ କହିଛନ୍ତି, ରାଜ୍ୟର ପ୍ରବାହିତ ନଦୀଗୁଡ଼ିକର ଜଳକୁ ସଠିକ୍‌ ବ୍ୟବହାର ହୋଇପାରୁନାହିଁ। ସବୁଠାରୁ ବଡ଼ ନଦୀ ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ସରକାର ବନ୍ଧ ବାନ୍ଧିବା ଫଳରେ ଓଡ଼ିଶାବାସୀଙ୍କ ପାଇଁ ଦୁର୍ଦିନ ମାଡ଼ିଆସୁଛି। ୨୦୧୫-୧୬ରେ ସ୍ୱଳ୍ପବୃଷ୍ଟି ଓ ମରୁଡ଼ି ପରିସ୍ଥିତି ଯୋଗୁଁ ବ୍ୟାପକ ଫସଲହାନି ହୋଇଥିଲା। ୨୭ଟି ଜିଲ୍ଲା ପ୍ରଭାବିତ ହୋଇଥିଲା। ଖରିଫ ଫସଲ ନଷ୍ଟ ହେବା କାରଣରୁ ସେହି ବର୍ଷ ବହୁସଂଖ୍ୟକ ଚାଷୀ ଋଣବୋଝ ପରିଶୋଧ କରିନପାରି ଆତ୍ମହତ୍ୟା କରିଥିଲେ। ସ୍ୱତନ୍ତ୍ର ରିଲିଫ କମିସନରଙ୍କ ରିପୋର୍ଟ ଅନୁଯାୟୀ ରାଜ୍ୟରେ ୪୧ଜଣ ଚାଷୀ ଆତ୍ମହତ୍ୟା କରିଥିଲେ।

ଶ୍ରୀ ପଟ୍ଟନାୟକ ଆହୁରି ଦର୍ଶାଇଛନ୍ତି, ୨୦୦୦ରୁ ୨୦୧୩ ମଧ୍ୟରେ ପ୍ରାୟ ୩୬୦୦ ଚାଷୀ ଆତ୍ମହତ୍ୟା କରିଛନ୍ତିି। ୨୦୧୬ ଫେବ୍ରୁଆରି ସୁଦ୍ଧା ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି ଆଦି ଜିଲ୍ଲାର ପ୍ରାୟ ୩୦ ହଜାର ଚାଷୀ କାମଧନ୍ଦା ନ ପାଇ ପଡ଼ୋଶୀ ରାଜ୍ୟଗୁଡ଼ିକୁ ଚାଲିଯାଇ ସେଠାରେ ଇଟାଭାଟି ଓ ଅନ୍ୟ ସ୍ଥାନରେ ଦୟନୀୟ ଭାବେ କାମ କରୁଛନ୍ତିି। ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ଜଳସଂପଦ ବିଭାଗ ପକ୍ଷରୁ ୨୦୧୬-୧୭ରେ ୭୭୨୭ କୋଟି, ୨୦୧୭-୧୮ରେ ୯୨୧୬ କୋଟି ଓ ୨୦୧୮-୧୯ରେ ୧୦୧୯୬ କୋଟି ଟଙ୍କାର ଯୋଜନା କରାଯାଇଛି। ବିପୁଳ ଅର୍ଥ ଖର୍ଚ ହେବା ସତ୍ତ୍ୱେ କାହିଁକି ଚାଷୀଙ୍କୁ ଜଳସେଚନ ସୁବିଧା ଉପଲବ୍ଧ କରାଯାଉନାହିଁ ବୋଲି ବରିଷ୍ଠ କଂଗ୍ରେସ ନେତା ପ୍ରଶ୍ନ କରିଛନ୍ତିି। ଏଥର ନିଅଣ୍ଟିଆ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଉଛି। ଯଦି କୌଣସି କାରଣରୁ ରାଜ୍ୟରେ ଚାଷୀ ଆତ୍ମହତ୍ୟା ଘଟଣାର ପୁନରାବୃତ୍ତି ହୁଏ, ତେବେ କଂଗ୍ରେସ ରାଜରାସ୍ତାକୁ ଓହ୍ଳାଇବ ବୋଲି ସେ ସରକାରଙ୍କୁ ସତର୍କ କରାଇ ଦେଇଛନ୍ତିି।

ସମ୍ବନ୍ଧିତ ଖବର