ନିଜ ଗଡ଼ ରଖିପାରିଲେନି ପ୍ରସାଦ

ଦଳ ଛାଡ଼ି ଚାଲିଗଲେ କଂଗ୍ରେସ ନେତା

ଭୁବନେଶ୍ୱର : କଂଗ୍ରେସରେ ସ୍ଥାଣୁତା, ନେତୃତ୍ୱ ବିରୋଧରେ ଅସନ୍ତୋଷ ଦିନକୁ ଦିନ ଭୟାନକ ରୂପ ନେବାରେ ଲାଗିଛି। ସ୍ଥିତିରେ ପରିବର୍ତନ ନ ହେଲେ ଆସନ୍ତା ନିର୍ବାଚନ ବେଳକୁ ଦଳ ରାଜ୍ୟରେ ଅସ୍ତିତ୍ୱ ହରାଇ ସାରିଥିବ, ସେ ନେଇ ଏବେ ସମଗ୍ର ରାଜ୍ୟରେ କଳ୍ପନାଜଳ୍ପନା, ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଗଲାଣି। ସ୍ଥିତି ଏତେ ଗମ୍ଭୀର ଯେ କଂଗ୍ରେସ ସହିତ ଯୋଡ଼ି ହୋଇ ରହିବା ଲାଗି ଆଉ ନେତା ବା କର୍ମୀ କାହାର ଆଗ୍ରହ ନାହିଁ। ଏକଥା ପ୍ରତିଦ୍ୱନ୍ଦ୍ୱୀ ରାଜନୈତିକ ଦଳର ମିଶ୍ରଣ ପର୍ବକୁ ନିରେଖି ଦେଖିଲେ ସହଜରେ ବୁଝି ହେଉଛି।

ଖୋଦ୍‌ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ଅସହାୟତା ଆଜି ଧରାପଡିଗଲା। ତାଙ୍କ ପ୍ରତିଷ୍ଠା, ପତିଆରା, ନେତୃତ୍ୱ ଉପରେ ଏକ ବଡ଼ ପ୍ରଶ୍ନବାଚୀ ଲାଗିଛି। କାରଣ ନିଜ ଜିଲ୍ଲା ପୁରୀର ନେତା ଓ କର୍ମୀଙ୍କୁ ବି ସେ ଦଳରେ ରଖିପାରିଲେ ନାହିଁ। କଂଗ୍ରେସ ସହିତ ଦଶନ୍ଧି ଧରି ସଂପର୍କ ଯୋଡି ରହିଥିବା ଲୁଲୁ ମହାପାତ୍ରଙ୍କ ପରିବାରକୁ ତ ଛାଡିଲେ, ଲୁଲୁ ସେନା, ସ୍ଥାନୀୟ ବ୍ଲକ କଂଗ୍ରେସ ନେତାଙ୍କୁ ବି ଅଟକାଇ ପାରିଲେ ନାହିଁ। ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ କଂଗ୍ରେସ ସଭାପତି ବିଶ୍ୱମ୍ଭର ସାମନ୍ତରାୟ, କୃଷ୍ଣପ୍ରସାଦ ବ୍ଲକ କଂଗ୍ରେସ ସଭାପତି ସତ୍ୟପ୍ରିୟ ଜେନା, ପୁରୀ ସଦର ବ୍ଲକ ସଭାପତି ପ୍ରଫୁଲ୍ଲ କୁମାର ପ୍ରଧାନ ନିଜ ନିଜ ସମର୍ଥକମାନଙ୍କ ସହିତ କଂଗ୍ରେସ ଛାଡ଼ି ଆଜି ବିଜେପିରେ ମିଶିଛନ୍ତି। ସେହିପରି ଜିଲ୍ଲାରୁ କଂଗ୍ରେସ ହାତ ଛାଡ଼ିଥିବା କର୍ମକର୍ତାମାନଙ୍କ ଭିତରେ ଅଛନ୍ତି କଣାସ ଅଞ୍ଚଳର ପ୍ରଦୀପ ମହାରଥୀ, ଡେଲାଙ୍ଗ ଅଞ୍ଚଳର ପ୍ରଫୁଲ୍ଲ କୁମାର ହରିଚନ୍ଦନ, ଜିଲ୍ଲା କୃଷକ ମୋର୍ଚା ସଭାପତି ପୂର୍ଣ୍ଣଚନ୍ଦ୍ର ନନ୍ଦ ପ୍ରମୁଖ। ଆଜି ସେମାନଙ୍କ ସମେତ ନିଆଳି, ଖୋର୍ଧା ଆଦି ଅଞ୍ଚଳର କର୍ମୀ ବି ବିଜେପି ମୁହାଁ ହୋଇଛନ୍ତି।

ଏହି ନେତାମାନେ କଂଗ୍ରେସ ଛା଼ଡିବା ସଂପର୍କରେ ଦୀର୍ଘ ଦିନ ଧରି ଚର୍ଚ୍ଚା ଚାଲିଥିଲା। ତା ସତ୍ତ୍ୱେ ଦଳକୁ ରକ୍ଷା କରିବା ପାଇଁ ଅଥବା ସେମାନଙ୍କୁ ମନେଇବା ପାଇଁ ଆଦୌ ଉଦ୍ୟମ ହୋଇନଥିବା ସୂଚନା ମିଳିଛି। ପିସିସି ସଭାପତିଙ୍କୁ ଏ ମିଶ୍ରଣ କେତେ ବ୍ୟଥିତ କରିଛି, ତାହା ଜଣାପଡିନାହିଁ। ମାତ୍ର ଦଳର ବହୁ କଂଗ୍ରେସ ନେତା କିନ୍ତୁ ତୀବ୍ର ଅସନ୍ତୋଷ ପ୍ରକଟ କରିଛନ୍ତି। କିଛି ନେତା ସୋସିଆଲ ମିଡିଆରେ ମଧ୍ୟ ଏହାକୁ ନାପସନ୍ଦ କରିଛନ୍ତି ଓ କଂଗ୍ରେସର ଭବିଷ୍ୟତ ନେଇ ଆଶଙ୍କା ବ୍ୟକ୍ତ କରିଛନ୍ତି। ରାଜ୍ୟରେ ପିସିସି ସଭ୍ୟ ଚୟନକୁ ନେଇ ନେତାମାନଙ୍କ ମଧ୍ୟରେ ଅସନ୍ତୋଷ କୁହୁଳୁଥିବା ବେଳେ ଏହି ଘଟଣା ରାଜ୍ୟର ପ୍ରମୁଖ ବିରୋଧୀ ଦଳର ଅସ୍ତିତ୍ୱ ନେଇ ସନ୍ଦେହ ସୃଷ୍ଟି କରିବା ଅପ୍ରାସଙ୍ଗକି ନୁହେଁ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ମତ ରଖିବା ଆରମ୍ଭ କଲେଣି।

ଉଲ୍ଲେଖଯୋଗ୍ୟ, ନେତୃତ୍ୱ ବିରୋଧରେ ଅସନ୍ତୋଷ ପ୍ରକଟ କରିବାକୁ ଯାଇ ଓଡ଼ିଶା କଂଗ୍ରେସରେ ଜଣେ ପରେ ଜଣେ ନେତା ନିଜର ଅନୁଗତଙ୍କୁ ଧରି ଅନ୍ୟ ଦଳକୁ ଡେଇଁବା ଆରମ୍ଭ କରିଛନ୍ତି। ଗତକିଛି ମାସ ଧରି ଏ ପ୍ରକ୍ରିୟା ଲାଗି ରହିଛି। ପୂର୍ବରୁ କିଛି ଜିଲ୍ଲା ସଭାପତି ଦଳ ଛାଡ଼ିଥିଲେ। ଢେଙ୍କାନାଳ, ନୟାଗ଼ଡ଼ଠାରୁ ଆରମ୍ଭ କରି କେନ୍ଦୁଝର, ଯାଜପୁର ସବୁଆଡେ ମୁହଁ ମୋଡିଥିଲେ କଂଗ୍ରେସ ନେତା। ଗତ ଜୁନ୍‌ ୧୯ରେ ଦଳରୁ ଇସ୍ତଫା ଦେଇଥିଲେ ମୁଖପାତ୍ର ସୁଲୋଚନା ଦାସ। ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକ, ଯୁବ ନେତା ବିଶ୍ୱରଂଜନ ମଲ୍ଲିକ, ବବିତା ମଲ୍ଲିକ, ଛାତ୍ର କଂଗ୍ରେସର ପୂର୍ବତନ ସଭାପତି ସତ୍ୟଜିତ ପଟ୍ଟନାୟକ ପ୍ରମୁଖ ବି କଂଗ୍ରେସଠାରୁ ଦୂରେଇ ନେଇଛନ୍ତି।

କଂଗ୍ରେସ ରାଜ୍ୟର ମୁଖ୍ୟ ବିରୋଧୀ ଦଳ। କିନ୍ତୁ ଗତ ପଞ୍ଚାୟତ ନିର୍ବାଚନରେ ଶୋଚନୀୟ ପ୍ରଦର୍ଶନ ପରେ କଂଗ୍ରେସ ତୃତୀୟ ସ୍ଥାନକୁ ଖସିଆସିଛି। ଏହା ସତ୍ତ୍ୱେ ହାଇକମାଣ୍ଡଙ୍କର ହରି-ପ୍ରସାଦଙ୍କ ଉପରୁ ମୋହ ତୁୁଟୁନାହିଁ।

ସମ୍ବନ୍ଧିତ ଖବର