ସୋନିଆ ଗାନ୍ଧୀଙ୍କ ସାଇକେଲ୍‌ ଚଲା ଫଟୋ ଭାଇରାଲ୍‌, କେଉଁଠି ସାଇକେଲ୍‌ ଚଳାଉଛନ୍ତି କଂଗ୍ରେସ ନେତ୍ରୀ?

ପାଣାଜୀ: ଗୋଆରେ ଛୁଟି କାଟିବାକୁ ଯାଇ ସାଇକେଲ୍‌ ଚଳାଉଛନ୍ତି କଂଗ୍ରେସର ଶୀର୍ଷ ନେତ୍ରୀ ସୋନିଆ ଗାନ୍ଧୀ। ତାଙ୍କର ଏହି ସାଇକେଲ୍‌ ଚଳାଇବା ବେଳର ଏକ ଫଟୋ ଭାଇରାଲ୍‌ ହେବା ପରେ ସୋସିଆଲ୍‌ ମିଡିଆରେ ବେଶ୍‌ ଚର୍ଚ୍ଚା ପାଲଟିଛି। ସୋନିଆଙ୍କ ଏହି ଫଟୋକୁ ରିତେଶ ଦେଶମୁଖ ମଧ୍ୟ ସୋସିଆଲ୍‌ ମିଡିଆରେ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି। ଏଠାରେ ଜାଣି ରଖନ୍ତୁ ଯେ କଂଗ୍ରେସର ୧୩୩ ତମ ସ୍ଥାପନ ଦିବସ ଅବସରରେ ଗୁରୁବାର ଦିନ ପ୍ରଥମ ଥର ପାଇଁ କଂଗ୍ରେସର ଅଧ୍ୟକ୍ଷ ଭାବେ ରାହୁଲ ଗାନ୍ଧୀ ଦଳୀୟ କର୍ମୀଙ୍କୁ ସମ୍ବୋଧନ କରିଛନ୍ତି।

ଫଟୋଟିରେ ସୋନିଆ ଏକ ଧଳା କୁର୍ତ୍ତା ଏବଂ କଳା ଲେଗିନ୍‌ସରେ ଦେଖିବାକୁ ମିଳିଛନ୍ତି। ସୋନିଆ ସାଇକେଲ୍‌ ଚଳାଉଥିବା ସମୟରେ ସ୍ଥାନୀୟ ଲୋକେ ସୋନିଆଙ୍କୁ ଘେରଉ କରି ପକାଇଥିଲେ। ପୂର୍ବରୁ ସୋନିଆ ଏହିପରି ଭାବେ କେବେ ସର୍ବସାଧାରଣରେ ନଜର ଆସିନଥିଲେ। ତେବେ, ଜାଣିବାକୁ ମିଳିଛି ଯେ ସୋନିଆ ଏବେ ଗୋଆର ଲୀଲା ହୋଟୋଲ୍‌ରେ ରହିଛନ୍ତି। ସେ ଜାନୁଆରି ପ୍ରଥମ ସମପ୍ତାହରେ ଦିଲ୍ଲୀ ଫେରିବେ।

ଏହି ଫଟୋଟିକୁ ସିନେ କଳାକାର ରିତେଶ ଦେଶମୁଖ ନିଜ ଟୁଇଟର୍‌ ଆକାଉଣ୍ଟ୍‌ରେ ପୋଷ୍ଟ୍‌ କରି ଲେଖିଛନ୍ତି, ‘କିଛି ଫଟୋ ଆପଣଙ୍କୁ ଖୁସି ଦେଉଥିବ। ଏହି ଫଟୋ ସେ ଭିତରୁ ଗୋଟାଏ। ଆପଣଙ୍କର(ସୋନିଆ) ସୁସ୍ଥ ଜୀବନ କାମନା କରୁଛୁ।’

ଉଲ୍ଲେଖଯୋଗ୍ୟ, ଗତ ୧୬ ତାରିଖରେ କଂଗ୍ରେସର ଅଧ୍ୟକ୍ଷ ଭାବେ ରାହୁଲ ଗାନ୍ଧୀ ମଙ୍ଗ ଧରିଥିଲେ। କଂଗ୍ରେସର ଅଧ୍ୟକ୍ଷ୍ୟା ପଦରୁ ସୋନିଆ ଗାନ୍ଧୀ ଅବସର ନେଇଛନ୍ତି।

ସମ୍ବନ୍ଧିତ ଖବର