ୟୁପି ପୌର ନିର୍ବାଚନ: ୨୬,୩୧୪ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ବନ୍ଦ, କାଁ ଭାଁ ହିଂସା

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ପୌର ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ବୁଧବାର ଭୋଟ୍‌ ଗ୍ରହଣ ଶାନ୍ତିପୂର୍ଣ୍ଣ ରହିଥିଲା। କାଁ ଭାଁ ଛୋଟମୋଟ ହିଂସାକୁ ବାଦଦେଲେ ମତଦାନ ସବୁ ଅଂଚଳରେ ସୁୁରୁଖୁରୁରେ ସଂପନ୍ନ ହୋଇଥିବା ଜଣାପଡ଼ିଛି। ପ୍ରଥମ ପର୍ଯ୍ୟାୟରେ ୨୪ଟି ଜିଲ୍ଲାରେ ୨୩୦ଟି ନଗର ନିଗମରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୨୬ ହଜାର ୩୧୪ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ବନ୍ଦ ହୋଇଯାଇଛି। ଏଥିରେ ୫ ନଗର ନିଗମ, ୭୧ ନଗରପାଳିକା, ଏବଂ ୧୫୪ ନଗର ପଂଚାୟତ ସାମିଲ ଅଛି। ଆଗ୍ରାରେ କେତେକ ମତଦାନ କେନ୍ଦ୍ରରେ ସମାଜବାଦ ପାର୍ଟି ଏବଂ ବିଜେପି ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ଯୋଗୁଁ କିଛି ସମୟ ପାଇଁ ମତଦାନ ବ୍ୟାହତ ହୋଇଥିଲା। ଆଉ କେତେକ ସ୍ଥାନରେ ବିଜେପି ଓ ବିଏସ୍‌୍‌ପି ସମର୍ଥକମାନେ ମଧ୍ୟ ମୁହାଁମୁହିଁ ହୋଇଥିବା ଖବର ମିଳିଛି। ମିରଟ୍‌ରେ ଗଣ୍ଡଗୋଳକାରୀଙ୍କୁ ଘଉଡ଼ାଇବା ପାଇଁ ପୁଲିସକୁ ଲାଠିମାଡ଼ କରିବାକୁ ପଡ଼ିଥିଲା। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁରରେ ମତଦାନ କରିଥିଲେ। ବିଜେପି ସାଂସଦ ସାକ୍ଷୀ ମହାରାଜଙ୍କ ନାମ ଭୋଟ୍‌ର ଲିଷ୍ଟ୍‍ରୁ ଗାଏବ ହୋଇଯାଇଥିବାରୁ ଏଥିରେ ସେ କ୍ଷୁବ୍ଧ ହୋଇଥିଲେ ଏବଂ ଏହା ତାଙ୍କ ବିରୋଧରେ ଏକ ଷଡ଼ଯନ୍ତ୍ର ବୋଲି କହିଥିଲେ।

ସମ୍ବନ୍ଧିତ ଖବର