୫ ଦିନରେ ୩୨ ହଜାର ଶୌଚାଳୟ ତିଆରି କରି ‘ଇଣ୍ଡିଆ ବୁକ୍‌ ଅଫ୍‌ ରେକଡ୍‌ର୍ସ’ରେ ସ୍ଥାନ ପାଇଲା ୟୁପିର ଗୋଣ୍ଡା ଜିଲ୍ଲା

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଗୋଣ୍ଡା ଜିଲ୍ଲାରେ ସ୍ୱଚ୍ଛ ଭାରତ ଅଭିଯାନର ଏକ ଉତ୍ସାହୀ ଓ ତ୍ୱରିତ ପଦକ୍ଷେପର ନମୂନା ଦେଖିବାକୁ ମିଳିଛି। ଷୋହଳଟି ବ୍ଲକ୍‌ର ପ୍ରାୟ ପନ୍ଦର ହଜାର ଗାଁରେ ମାତ୍ର ପାଞ୍ଚ ଦିନ ମଧ୍ୟରେ ବତିଶ ହଜାର ଶୌଚାଳୟ ନିର୍ମାଣ କରାଯାଇଛି। ଶୌଚାଳୟ ନିର୍ମାଣ ପାଇଁ ଗଣସଚେତନତା ସୃଷ୍ଟି ଏବଂ ଲୋକଙ୍କ ପାଖରେ ସ୍ୱଚ୍ଛତାର ବାର୍ତ୍ତା ପହଞ୍ଚାଇବା ଲକ୍ଷ୍ୟରେ ଜିଲ୍ଲା ସ୍ୱାସ୍ଥ୍ୟ କମିଟି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିଲା। ଗଠନ କରାଯାଇଥିଲା ‘ମିଶନ୍‌୩୨’; ଅର୍ଥାତ୍‌ ବତିଶ ହଜାର ଶୌଚାଳୟକୁ ପାଞ୍ଚ ଦିନରେ ନିର୍ମାଣ କରିବା।

ନିଜ ଜିଲ୍ଲାକୁ ଖୋଲାରେ ମଳତ୍ୟାଗ-ମୁକ୍ତ ଜିଲ୍ଲାଭାବେ ପରିଣତ କରିବାର ନିଶା ଗ୍ରାମବାସୀଙ୍କୁ ଘାରିଥିଲା। ସମସ୍ତେ ଦିନରାତି ଲାଗିପଡ଼ି ନିଜ ନିଜ ଘର-ବାରିରେ ଗାତ ଖୋଳିବା ସହିତ ଅନ୍ୟାନ୍ୟ ଉପକରଣ ଯୋଗାଡ଼ କରିଥିଲେ। ଗାଁ ମୁଖିଆମାନେ କାମ ତଦାରଖ କରିଥିଲେ। ପ୍ରାୟ ଚାରି ହଜାର ଶ୍ରମିକ ସ୍ୱେଚ୍ଛାକୃତ ସହଯୋଗ କରିଥିଲେ। ଏହା ଦ୍ୱାରା ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଆହୁରି ଅଧିକ ପଞ୍ଚଷଠିଟି ଶୌଚାଳୟ ନିର୍ମାଣ ହୋଇଥିବା ଜଣାଯାଏ। ବ୍ୟକ୍ତିଗତ ଶୌଚାଳୟ ନିର୍ମାଣ କ୍ଷେତ୍ରରେ ଏହି ବିରଳ ସଫଳତା ପାଇଁ ଗୋଣ୍ଡା ଜିଲ୍ଲାର ନାଁ ‘ଇଣ୍ଡିଆ ବୁକ୍‌ ଅଫ୍‌ ରେକଡ୍‌ର୍ସ’ରେ ସ୍ଥାନିତ ହୋଇଛି।

ସମ୍ବନ୍ଧିତ ଖବର