ଛଅମାସ ହେବ ପ୍ରତିଦିନ ପୋଷାକ ଦୋକାନକୁ ଏହି କାରଣରୁ ଆସୁଛି ଗାଈ

କଡପା: ଆନ୍ଧ୍ରପ୍ରଦେଶର କଡପା ଜିଲ୍ଲାରେ ମୈଦୁକୁର କସେଓ୍ଵରେ ଗତ ଛଅମାସ ହେବ ଏକ ଗାଈର ଅଦ୍ଭୁତ ଅଭ୍ୟାସ ଚର୍ଚ୍ଚାକୁ ଆସିଛି। ଏହି ଗାଈ ପ୍ରତିଦିନ କିଛି ଘଣ୍ଟା ପାଇଁ ସ୍ଥାନୀୟ ମାକେର୍ଟସ୍ଥିତ ଏକ ପୋଷାକ ଦୋକାନକୁ ବିଶ୍ରାମ ନେବାକୁ ଆସିଥାଏ। ‘ଶ୍ରୀ ସାଇରାମ କ୍ଲଥ ସୋ’ରୁମ୍‌ ମାଲିକ ଏହି ଗାଈକୁ ନିଜ ବ୍ୟବସାୟ ପାଇଁ ବି ଶୁଭ ମାନୁଛନ୍ତି।

ଦୋକାନ ମାଲିକ ପି ଓବଇୟାଙ୍କ କହିବାନୁସାରେ, ଚଳିତ ବର୍ଷ ଗରମ ଦିନରେ ଆକସ୍ମିକ ଭାବେ ଏକ ଗାଈ ଦୋକାନ ଭିତରୁ ପଶି ଆସି ପଙ୍ଖା ତଳେ ବସି ଯାଇଥିଲା। ଦୁଇ-ତିନି ଘଣ୍ଟା ବିଶ୍ରାମ ନେବା ପରେ ସେ ଆପଣାଛାଏଁ ସେଠାରୁ ଉଠି ଚାଲି ଯାଇଥିଲା। ପ୍ରଥମେପ୍ରଥମେ ଗାଈକୁ ଏଭଳି ଦୋକାନ ଭିତରେ ପ୍ରବେଶ କରିବାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉଥିଲେ। ଲୋକମାନେ ଗାଈକୁ ଏଠାରୁ ଉଠାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ଗାଈ ଉପରେ ଏହାର କୌଣସି ପ୍ରଭାବ ପଡ଼ି ନ ଥିଲା। ଧୀରେଧୀରେ ଏହା ଗାଈର ଅଭ୍ୟାସରେ ପରିଣତ ହୋଇଯାଇଥିଲା।

ଦୋକାନ ମାଲିକଙ୍କ କହିବାନୁସାରେ, ଆମର ଦୋକାନକୁ ଆସିବା ଏହି ଗାଈର ଅଭ୍ୟାସ ହୋଇଯାଇଛି। ପ୍ରଥମେ ପ୍ରଥମେ ଗାଈର ଏଭଳି ପ୍ରବେଶ ଆମ ବ୍ୟବସାୟରେ ଅସୁବିଧା ପରିଲକ୍ଷିତ ହେବ ବୋଲି ମନେ ହେଉଥିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ଗାଈ ଦୋକାନ ଭିତରେ ପ୍ରବେଶ କରିଥିଲେ ହେଁ କେବେ ବି ଅପରିସ୍କାର କରିନାହିଁ।

ଓବଇୟାଙ୍କ ପତ୍ନୀ ପ୍ରତିଦିନ ଦୋକାନରେ ଗାଈର ଏଭଳି ପ୍ରବେଶକୁ ଶୁଭ ସଂଙ୍କେତ ବୋଲି ମାନିଛନ୍ତି। ସେ ଏହି ଗାଈର ପୂଜା କରିବା ବି ଆରମ୍ଭ କରି ଦେଇଛନ୍ତି।

ସମ୍ବନ୍ଧିତ ଖବର