ବୁଲବୁଲ୍ କ୍ଷତିଗ୍ରସ୍ତ ଚାଷୀଙ୍କ ଲାଗି ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ; ୨୪ ତାରିଖ ସୁଦ୍ଧା ସହାୟତା ବଣ୍ଟନ ଲାଗି ନିର୍ଦ୍ଦେଶ

ଭୁବନେଶ୍ବର: ବାତ୍ୟା ବୁଲ୍‌ବୁଲ୍‌ରେ ରାଜ୍ୟବାସୀ କେତେ ପ୍ରଭାବିତ ହୋଇଛନ୍ତି ତାହା ସମୀକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଆକାଶ ମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କରି ଫେରିବା ପରେ ବାତ୍ୟା କ୍ଷତିଗ୍ରସ୍ତଙ୍କ ଲାଗି ପ୍ୟାକେଜ ଘୋଷଣା କରିଛନ୍ତି। ସ୍ଥିତି ସମୀକ୍ଷା କରିବା ସହ ମୁଖ୍ୟମନ୍ତ୍ରୀ ମୁଖ୍ୟଶାସନ ସଚିବ ଓ ସ୍ବତନ୍ତ୍ର ରିଲିଫ୍‌ କମିସନଙ୍କ ସହ ଏ ସଂପର୍କରେ ଆଲୋଚନା କରି ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳଙ୍କୁ ୧୮ ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେିଛନ୍ତି । ଏଥିସହ ୨୪ ତାରିଖ ସୁଦ୍ଧା ପ୍ରଭାବିତ ସହାୟତା ବଣ୍ଟନ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

Aviation; Renewable Energy

ବୁଲବୁଲ କ୍ଷତିଗ୍ରସ୍ତଙ୍କ ଲାଗି ପ୍ୟାକେଜ ଘୋଷଣା କରିଛନ୍ତି ନବୀନ। ଅଣଜଳସେଚିତ ଜମି ପାଇଁ ହେକ୍ଟର ପିଛା ୬୮୦୦ ଟଙ୍କାର ସହାୟତା ମିଳିବ। ୩୩%ରୁ ଅଧିକ ଫସଲ କ୍ଷତି ହୋଇଥିଲେ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏହି ସହାୟତା ପାଇବେ। ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୩,୫୦୦ ଟଙ୍କା ଓ ସବୁଦିନିଆ ଫସଲ ପାଇଁ ହେକ୍ଟର ପିଛା ୧୮ ହଜାର ଟଙ୍କାର ସହାୟତା ଘୋଷଣା କରିଛନ୍ତି ରାଜ୍ୟ ସରକାର । ହେକ୍ଟର ପିଛା ସର୍ବନିମ୍ନ ସହାୟତା ରାଶି ହଜାରେ ଟଙ୍କା ହୋଇଥିବା ବେଳେ ସବୁଦିନିଆ ଫସଲ ପାଇଁ ସର୍ବନିମ୍ନ ସହାୟତା ୨ ହଜାର ଟଙ୍କା  ମିଳିବ। ସେହିପରି ରବି ଫସଲ ପାଇଁ କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିବ ୫୦ ହଜାର ବିହନର  ମିନିକିଟ ଦିଆଯିବ । ଏଥିସହ  କ୍ଷତିଗ୍ରସ୍ତ ଚାଷୀଙ୍କୁ ୫୦% ରିହାତିରେ ୩ ହଜାର ସ୍ପ୍ରେୟର ଏବଂ ୭୫୦ ଟଙ୍କାର ରିହାତିରେ ହସ୍ତଚାଳିତ ସ୍ପ୍ରେୟର  ଯୋଗାଇ ଦିଆଯିବ। ରବିଋତୁରେ ପରିବା ଫସଲ ପାଇଁ ୧୦ ହଜାର ମିନିକିଟ୍‌, ପାନବରଜ ପୁନରୁଦ୍ଧାର ପାଇଁ ୧୫ ହଜାର ଟଙ୍କା, କ୍ଷତିଗ୍ରସ୍ତ ଛତୁଚାଷୀଙ୍କ ପାଇଁ ୪୦ ହଜାର ଟଙ୍କାର ସହାୟତା ଘୋଷଣା କରାଯାଇଛି।

ଏସ୍‌ଆର୍‌ସି ପ୍ରଦୀପ ଜେନା ସୂଚନା ଦେଇ କହିଛନ୍ତି ଯେ ‘ବାତ୍ୟା ବୁଲ୍‌ବୁଲ୍‌ ପରେ ଓଡ଼ିଶାର କ୍ଷୟକ୍ଷତି ସମୀକ୍ଷା କରିବା ପାଇଁ ଚଳିତ ମାସ ୧୪ ତାରିଖରେ ଓଡ଼ିଶା ଆସିବେ କେନ୍ଦ୍ରୀୟ ଟିମ୍‌। ପ୍ରଭାବିତ  ଜିଲ୍ଲାକୁ ୧୪ ଓ ୧୫ ତାରିଖରେ ସେମାନେ ଗସ୍ତ କରିବେ । ପ୍ରଭାବିତ ଜିଲ୍ଲା ପରିଦର୍ଶନ କରି ୧୬ ତାରିଖରେ ପୁଣି ଦିଲ୍ଲୀ ଫେରିଯିବେ। ବୁଲ୍‌ବୁଲ୍‌ ପରେ ହୋଇଥିବା କ୍ଷୟକ୍ଷତି ଆକଳନ କରିବାକୁ ଏହି  କେନ୍ଦ୍ରୀୟ ଟିମ୍‌ ଆସିବେ ବୋଲି ସୂଚନା ରହିଛି।

ସମ୍ବନ୍ଧିତ ଖବର