ଏବେ ଦେଖିବାକୁ ମିଳୁଛି ଯେ, ଡାକ୍ତରମାନେ ରୋଗୀଙ୍କ ଚିକିତ୍ସା କରିବା ବଦଳରେ ଟଙ୍କା ପଛରେ ଧାଇଁବାରେ ଲାଗିଛନ୍ତି। ଏମିତିକି ଟଙ୍କା ପାଇଁ ଗରିବ ରୋଗୀମାନଙ୍କର ସେବାକୁ ହତାଦର କରିବାକୁ ପଛାଉ ନାହାନ୍ତି। ଏଥିସହିତ ଏପରି ଘଟଣାମାନ ମଧ୍ୟ ନଜରକୁ ଆସୁଛି ଯେ, ଟଙ୍କା ପାଇଁ ଡାକ୍ତର ରୋଗୀଙ୍କ ଶବକୁ ମଧ୍ୟ ଛାଡୁନାହାନ୍ତି। ତଥାପି ବର୍ତ୍ତମାନ ସମାଜରେ ଏମିତି କିଛି ଡାକ୍ତର ଅଛନ୍ତି ଯେଉଁମାନଙ୍କ ଭିତରେ ମାନବିକତା ଏବେବି ବଞ୍ଚି ରହିଛି। ସେମାନେ ଗରିବ ଓ ଅସହାୟମାନଙ୍କର ସେବାରେ ନିଜକୁ ଉତ୍ସର୍ଗୀକୃତ କରିଦେଇଛନ୍ତି। ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ପୁନେର ଏକ ଡାକ୍ତର ଦମ୍ପତି।
Sambad is now on WhatsApp
Join and get latest news updates delivered to you via WhatsApp
ପୁନେର ଏହି ଡାକ୍ତର ଦମ୍ପତି ଅଭିଜିତ ଓ ମନୀଷା ସୋନବାନେ ଟଙ୍କା ନୁହେଁ ବରଂ ଅସହାୟଙ୍କୁ ଚିକିତ୍ସା ଯୋଗାଇ ଦେବାକୁ ଜୀବନର ବ୍ରତ ଭାବେ ଧରିନେଇଛନ୍ତି। ସେମାନେ ଏଥିପାଇଁ ସୋହମ ନାମକ ଏକ ସଂଗଠନ ଗଢ଼ିଛନ୍ତି। ଯେଉଁଠାରେ ଗରିବ ଓ ଅସହାୟମାନଙ୍କର ମାଗଣା ଚିକିତ୍ସା କରାଇଥାନ୍ତି। ଏଥିସହିତ ଡାକ୍ତର ଅଭିଜିତ ନିଜେ ପ୍ରତ୍ୟେକ ଦିନ ସକାଳୁ ବିଭିନ୍ନ ଧାର୍ମିକ ସ୍ଥଳ ବୁଲିବା ସହ ବାହାରେ ବସିଥିବା ଭିକାରୀଙ୍କ ଅବସ୍ଥା ବିଷୟରେ ପଚାରି ବୁଝିଥାନ୍ତି ଆଉ ଯେଉଁମାନଙ୍କୁ ରୋଗ ହୋଇଥିବାର ଜାଣିଲେ ସଙ୍ଗେ ସଙ୍ଗେ ଚିକିତ୍ସା ଆରମ୍ଭ କରି ଦେଇଥାନ୍ତି। କେବଳ ସେମାନଙ୍କର ଚିକିତ୍ସା କରନ୍ତିନି ବରଂ ଦରକାର ପଡ଼ିଲେ ସେମାନଙ୍କୁ ସରକାରୀ ହସ୍ପିଟାଲରେ ମଧ୍ୟ ଭର୍ତ୍ତି କରିଥାନ୍ତି ଆଉ ଏଥିପାଇଁ ଆବଶ୍ୟକ ପଡ଼ୁଥିବା ସମସ୍ତ ଖର୍ଚ୍ଚ ସେ ନିଜେ ବହନ କରିଥାନ୍ତି।
ଘରୁ ବାହାରିବା ବେଳେ ଅଭିଜିତ ସାଙ୍ଗରେ ଔଷଧ ନେବାକୁ ଆଦୌ ଭୁଲନ୍ତି ନାହିଁ। ସେ ସୋମବାରରୁ ଶନିବାର ପର୍ଯ୍ୟନ୍ତ ସକାଳ ୧୦ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚିକିତ୍ସା କରିଥାନ୍ତି। ଅଭିଜିତଙ୍କ ପତ୍ନୀ ମନୀଷା ମଧ୍ୟ ପେଶାରେ ଜଣେ ଡାକ୍ତର। ୨୦୧୪ ମସିହାରେ ଏହି ଡାକ୍ତର ଦମ୍ପତି ସୋହମ ଟ୍ରଷ୍ଟ ନାମକ ଏକ ସଙ୍ଗଠନ କରିଥିଲେ ଆଉ ସେବେଠାରୁ ଗରିବ ଓ ବେସାହାରାଙ୍କ ପାଇଁ ଏହି ଡାକ୍ତର ଦମ୍ପତି ପାଲଟି ଯାଇଛନ୍ତି ଭଗବାନ। ଅଭିଜିତଙ୍କ କହିବା ଅନୁଯାୟୀ, ସମାଜ ପାଇଁ କିଛି କରିବା ମଧ୍ୟ ତାଙ୍କର ଦାୟିତ୍ୱ। ମୁଁ ପ୍ରଥମେ ଗରିବ, ବେସାହାରା ଓ ଭିକାରୀମାନଙ୍କ ଚିକିତ୍ସା କରି ସେମାନଙ୍କୁ ଭଲ କରିଥାଏ ଓ ପରେ ସେମାନଙ୍କୁ ଭିକ ମାଗିବା ଛାଡ଼ିବାକୁ କହିବା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ କହିଥାଏ।
ଅଭିଜିତ ନିଜକୁ ଭିକାରୀଙ୍କ ଡାକ୍ତରଙ୍କ କହିବାକୁ ଆଦୌ ପଛଘୁଞ୍ଚା ଦିଅନ୍ତି ନାହିଁ। ଏପରିକି ମଝିରେ ମଝିରେ ମେଡ଼ିକାଲ କ୍ୟାମ୍ପ କରାଇ ଭିକାରୀମାନଙ୍କର ମୋତିଆ ବିନ୍ଦୁ ଅପରେସନ ମଧ୍ୟ କରିଥାନ୍ତି। ଅଭିଜିତଙ୍କ ଲକ୍ଷ୍ୟ ହେଉଛି, ମାଗଣାରେ ଏଭଳି ବ୍ୟକ୍ତିଙ୍କର ଚିକିତ୍ସା କରିବା। କାରଣ ଏମାନଙ୍କର ଦେଖାଶୁଣା କରିବାକୁ କେହି ଆଗକୁ ଆସିନଥାନ୍ତି। ଆଉ ଏଭଳି ପରିସ୍ଥିତିରେ ଅଭିଜିତଙ୍କ ଏହି କାର୍ଯ୍ୟ ଡାକ୍ତରମାନଙ୍କ ପ୍ରତି ଥିବା ସାଧାରଣ ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଆଣିବ। ଏହାସହ ଅନ୍ୟ ଡାକ୍ତରଙ୍କ ପାଇଁ ପ୍ରେରଣା ମଧ୍ୟ ପାଲଟିବ।