ମଦ ନିଶାରେ ସାପକୁ ଜୀବନ୍ତ ଗିଳି ଦେଲା ଏହି ବ୍ୟକ୍ତି, ଭିଡିଓ ଭାଇରାଲ

ଲକ୍ଷ୍ମୌ: ଉତ୍ତରପ୍ରଦେଶର ଉମରୋହା ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ମଦ ନିଶାରେ ଏକ ସାପକୁ ଜୀବନ୍ତ ଗିଳି ଦେଇଛନ୍ତି। ଏହାର ଚାରିଘଣ୍ଟା ପରେ ଉକ୍ତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। ମୃତକର ନାମ ମହିପାଲ ସିଂହ ଓ ବୟସ ୪୦ବର୍ଷ ବୋଲି ଜଣାପଡ଼ିଛି। ସାପକୁ ଗିଳୁଥିବାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ସ୍ଥାନୀୟ ଲୋକଙ୍କ କହିବାନୁସାରେ, ମହିପାଲ ଜଣେ ଦିନ ମଜୁରିଆ। ଘଟଣା ଘଟିବା ସମୟରେ ସେ ପ୍ରଚୁର ମାତ୍ରରେ ମଦପାନ କରିଥିଲେ। ରାସ୍ତା ପାର୍ଶ୍ୱରେ ବୁଲୁଥିବା ଏକ ସାପକୁ ସେ ଦେଖିଥିଲେ, ତାକୁ ହାତରେ ଧରି ଖେଳୁଥିଲେ। ଏହି ଦୃଶ୍ୟ ଦେଖି ଗ୍ରାମଲୋକେ ଘଟଣାସ୍ଥଳରେ ଏକାଠି ହୋଇଥିଲେ ଓ ମହିପାଲ ସାପ ସହିତ ଖେଳୁଥିବା ଦୃଶ୍ୟକୁ କ୍ୟାମେରାରେ କୈଦ୍‌ କରୁଥିବା ସମୟରେ ସେମାନଙ୍କ ମଧ୍ୟରୁ କେହି ଜଣେ ମହିପାଲଙ୍କୁ ଚ୍ୟାଲେଞ୍ଜ ଦେଇ କହିଥିଲା କି କ’ଣ ତୁମେ ସାପକୁ ମୁହଁରେ ରଖି ପାରିବ। ଏହି ଚ୍ୟାଲେଞ୍ଜ ସ୍ୱୀକାର କରି ମହିପାଲ ସାପକୁ ଯେମିତି ମୁହଁ ପାଖରେ ରଖିଛି ସେ ସିଧା ତାଙ୍କ ଗଳାକୁ ଚାଲି ଯାଇଥିଲା। ମହିପାଲ ବାନ୍ତି କରିଥିଲେ ମଧ୍ୟ ସାପଟି ବାହାରି ନଥିଲା। ସଙ୍ଗେସଙ୍ଗେ ତାଙ୍କୁ ଡାକ୍ତରଖାନାରେ ନିଆଯାଇଥିଲେ ହେଁ ୪ଘଣ୍ଟା ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ମହିପାଲଙ୍କ ପତ୍ନୀ, ଗୋଟିଏ ପୁଅ ଓ ତିନି ଝିଅ ଅଛନ୍ତି।

ପୁଲିସ ଘଟଣା ଓ ଭିଡିଓକୁ ଯାଞ୍ଚ କରି ମହିପାଲଙ୍କୁ କିଏ ଏଭଳି କରିବାକୁ ଉସୁକାଇ ଥିଲା ସେ ନେଇ ତଦନ୍ତ କରୁଛି। ମହିପାଲଙ୍କ ପରିବାର ପକ୍ଷରୁ କୌଣସି ଅଭିଯୋଗ ମିଳି ନାହିଁ।

ସମ୍ବନ୍ଧିତ ଖବର