ନୂଆଦିଲ୍ଲୀ: ତିରଙ୍ଗପୁର କୋଟଲା ଗାଆଁରେ ମୋବାଇଲ୍ ଟାଓ୍ଵରର ତ୍ରୁଟିକୁ ସୁଧାରିବା ପାଇଁ ଜଣେ ଇଞିନିୟର୍ କାମ କରୁଥିଲେ। ସେହି ସମୟରେ ତାଙ୍କ ପାଦକୁ ଗୋଟିଏ କୁକୁର କାମୁଡ଼ି ଦେଲା। କୁକୁରର ଆକ୍ରମଣାତ୍ମକ ଭଙ୍ଗୀ ଦେଖି ଇଞିନିୟର୍ ଭୟଭୀତ ହୋଇଗଲେ।ଏହାପରେ ସେ ସାଙ୍ଗେ ସାଙ୍ଗେ ମୋବାଇଲ ଟାଓ୍ଵର ଉପରକୁ ଚଢିଗଲେ। ସେ ପାଟି କରିଥିଲେ ବି କୁକୁର ସେଠାରୁ ଯାଇ ନଥିଲା। ବାଧ୍ୟହୋଇ ସେ ୧୫ ମିନିଟ ଯାଏଁ ମୋବାଇଲ ଟାଓ୍ଵର ଉପରେ ରହିଥିଲେ । ଅବଶ୍ୟ ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ କୁକୁରକୁ ସେଠାରୁ ଘଉଡ଼ାଇଥିଲେ ଓ ଇଂଜିନିୟର ଜଣକ ଟାଓ୍ଵାରରୁ ତଳକୁ ଓହ୍ଲାଇଥିଲେ।
ଏହି ଇଞିନିୟର୍ ଜଣକ ହେଲେ ପୁଷ୍ପେନ୍ଦ୍ର ସିଂହ (୨୮)। ସେ ସପରିବାର ଶିବରାମ ପାର୍କରେ ରହନ୍ତି। ପେଷାରେ ସେ ଜଣେ ମୋବାଇଲ କଂପାନିର ଇଞିନିୟର୍ । ତାଙ୍କ କହିବା ଅନୁଯାୟୀ ରବିବାର ସକାଳ ପ୍ରାୟ ୯ଟା ବେଳେ ଏଭଳି ଘଟଣା ଘଟିଥିଲା। ୧୫ ମିନିଟ୍ ଯାଏଁ ତାଙ୍କୁ ମୋବାଇଲ ଟାଓ୍ଵାର ଉପରେ ରହିବାକୁ ପଡ଼ିଥିଲା। ହସ୍ପିଟାଲ ଯାଇ ସେ ଇଂଜେକ୍ସନ୍ ନେଇଥିଲେ।ଏବେ ସେ ସୁସ୍ଥ ଅଛନ୍ତି ।