ମାରାଥନ୍‌ ଦୌଡ଼ିଲେ ୨୬/୧୧ ଆକ୍ରମଣରେ ରେ ୪ ଗୁଳି ଖାଇବା ପରେ ୫ ଥର ଅପରେସନ୍‌ ହୋଇଥିବା ପୂର୍ବତନ ନୌସେନା କମାଣ୍ଡୋ

ମୁମ୍ବାଇ: ୨୦୦୮ ମସିହା, ନଭେମ୍ବର ୨୬ ତାରିଖ ରାତିରେ ଦକ୍ଷିଣ ମୁମ୍ବାଇ ଅନ୍ତର୍ଗତ ତାଜ ମହଲ ପାଲେସ୍‌ ହୋଟେଲ୍‌କୁ ଧାଇଁ ଆସ ବୋଲି ଡାକାରା ପାଇବାର କେଇ ଘଣ୍ଟା ଆଗରୁ ମେରାଇନ୍‌ କମାଣ୍ଡୋ ପ୍ରବୀଣ ତେଓତିଆ ଲିଓପୋଲ୍‌ଡ୍‌ କାଫେ ପାର୍ଶ୍ୱରେ ଥିବା ଜଣେ ମୋବାଇଲ୍‌ ଦୋକାନୀ ସହ ଗପସପ କରୁଥିଲେ। ସେଦିନ ରାତିରେ ପାକିସ୍ତାନୀ ଆତଙ୍କବାଦୀମାନେ ଆକ୍ରମଣ କରିଥିବା ଅଞ୍ଚଳଗୁଡ଼ିକ ମଧ୍ୟରେ ସେ ଅଞ୍ଚଳ ଥିଲା ଗୋଟିଏ।

ଉତ୍ତର ପ୍ରଦେଶର ବୁଲନ୍ଦସରରୁ ଆସିଥିବା ତେଓତିଆ ମନେପକାଇ କହନ୍ତି ଯେ ତାଙ୍କ ୟୁନିଟ୍‌ର ଅନ୍ୟମାନେ କ୍ରିକେଟ୍‌ ମ୍ୟାଚ୍‌ ଦେଖିବାକୁ ବସିଥିବା ବେଳେ ସେ ମଧ୍ୟରାତ୍ରୀ ସିଫ୍‌ଟ୍‌ରେ ଯିବା ପୂର୍ବରୁ ସେ ଟିକେ ଶୋଇପଡ଼ିବାକୁ ମନ ବଳାଇଥିଲେ। ଆତଙ୍କବାଦୀମାନେ ଦକ୍ଷିଣ ମୁମ୍ବାଇରେ ଖେଦି ଯାଇଛନ୍ତି ଏବଂ ବରିଷ୍ଠ ପୁଲିସ ଅଧିକାରୀଙ୍କ ପ୍ରାଣ ଯାଇଥିବା ଖବର ଶୁଣି ସେ ଉଠିପଡ଼ିଲେ। ସେତିକିବେଳେ ହିଁ ତାଙ୍କର ମନେପଡ଼ିଲା ଯେ ଦେଶକୁ ରକ୍ଷା କରିବାର ଉଚିତ ସମୟ ଆସିଛି। ନୌସେନାବାଲା ହୋଇଥିବାରୁ ଆମେ ଏ ଭଳି ସୁଯୋଗ ଅପେକ୍ଷାରେ ଥାଉ ବୋଲି କହନ୍ତି ତେଓତିଆ।

ଜୁଲାଇ ୨୦୦୨ରେ ତେଓତିଆ ମାତ୍ର ୧୮ ବର୍ଷ ବୟସରେ ଭାରତୀୟ ନୌସେନାରେ ଯୋଗ ଦେଇଥିଲେ। ନଭେମ୍ବର ୨୬ ତାରିଖରେ ତାଙ୍କ ୟୁନିଟ୍‌ର ୨୯ ଜଣ ମେରାଇନ୍‌ସ୍‌ଙ୍କ ସହ ତାଜ୍‌ ମହଲ ପାଲେସ୍‌ ହୋଟେଲ୍‌ରେ ଉଦ୍ଧାର ଅଭିଯାନ ଚଳାଇବାକୁ ନିର୍ଦେଶ ପାଇଥିଲେ। ହୋଟେଲ୍‌ ମଧ୍ୟକୁ ପ୍ରବେଶ କରିଥିବା ତୃତୀୟ ଦଳର ପଏଣ୍ଟ୍‌ ମ୍ୟାନ୍‌ ଥିଲେ ତେଓତିଆ। ଆତଙ୍କବାଦୀମାନେ ଛପିଥିବା ହୋଟେଲ୍‌ର ଦ୍ୱିତୀୟ ମହଲାରେ ଥିବା ଡାଇନିଙ୍ଗ୍‌ ରୁମ୍‌ ଆଡ଼କୁ ସେମାନେ ଚାଲିଲେ।

ସେ କହନ୍ତି: ସାତ ଆଠ ପାହୁଣ୍ଡ ଯାଇଛି କି, ନାହିଁ ଏକେ-୪୭ର ଦୁଇଟି ସେଫ୍‌ଟି କ୍ୟାଚେସ୍‌ର ଶବ୍ଦ ଶୁଣିଲି। ଗୁଳି ଚୋଟରେ ମୋ ବାମ କାନ ଉଡ଼ିଗଲା। ତଳେ ପଡ଼ିବା ପୂର୍ବରୁ ମୁଁ ଚାରି ପାଞ୍ଚ ରାଉଣ୍ଡ୍‌ ଗୁଳି ଫୁଟାଇ ସାରିଥିଲି। ସେଥିରେ ଜଣେ ଆତଙ୍କବାଦୀ ଆହତ ହୋଇଥିଲା।
ଗୁଳି ବିନିମୟ ଚାଲିଲା ଏବଂ ତେଓତିଆଙ୍କ ଛାତି ଏବଂ ମୁହଁର ବାମ ପାର୍ଶ୍ୱ, ଦକ୍ଷିଣ ପଟ ଫୁସ୍‌ଫୁସ୍‌ ଏବଂ ଗୋଟାଏ କାନ ଗୁଳି ଚୋଟରେ ନଷ୍ଟ ହୋଇଗଲା।

ସେ ପୁଣି କହନ୍ତି: ଅନ୍ୟ ଦରଜା ବାଟେ ଆତଙ୍କବାଦୀମାନେ ହୋଟେଲ୍‌ର ରୋଷେଇଘରକୁ ପଳାଇବା ପରେ ମୁଁ କୋଠରିରୁ ବାହାରିବାକୁ ଉଦ୍ୟମ କଲି, ତା’ପରେ କ’ଣ ହେଲା ମୁଁ ଜାଣେନାହିଁ। ପରଦିନ ଜାଣିଲି ମୁଁ ଡାକ୍ତରଖାନାରେ ପଡ଼ିଛି।

ତାଙ୍କ ଦେହରେ ୫ ଥର ଅପରେସନ୍‌ କରାଗଲା। ତାଙ୍କର ଶ୍ରବଣ ଶକ୍ତି ମଧ୍ୟ କିଛି ମାତ୍ରାରେ ପ୍ରଭାବିତ ହେଲା। ୫ ମାସ ପରେ ତାଙ୍କୁ ଡାକ୍ତରଖାନାରୁ ଛଡ଼ାଗଲା। ତାଙ୍କ ବଞ୍ଚିବା ଏକ ଅଲୌକିକ ଘଟନା ବୋଲି ଡାକ୍ତରମାନେ କହିଲେ। ସେ ଡିୟୁଟିକୁ ଫେରିବା ପରେ ତାଙ୍କୁ ଅଫିସ୍‌ କାମ ଦିଆଗଲା ଏବଂ ସୂର୍ଯ୍ୟଚକ୍ରରେ ସମ୍ମାନିତ କରାଗଲା। ଅଫିସ୍‌ କାମରେ ରୁନ୍ଧି ହୋଇପଡୁଥିବା ତେଓତିଆ ୨୦୧୪ ମସିହାରେ ଡାକ୍ତରୀ ଚେକ୍‌-ଅପ୍‌ ପରେ ତାଙ୍କୁ ଓଜନ କମାଇବାକୁ କୁହାଯିବାରୁ ସେ ମାରାଥନ୍‌ ବା ଦୌଡ଼ରେ ଆଗ୍ରହ ଦେଖାଇଲେ। ନେଭିରେ କାମ କରୁଥିବାରୁ ତାଙ୍କୁ ଦୌଡ଼ରେ ତାଲିମ୍‌ ନେବାକୁ ଓ ଅଂଶଗ୍ରହଣ କରିବାକୁ ଅନୁମତି ନ ମିଳିବାରୁ ସେ ୨୦୧୭ରେ ଚାକିରିରୁ ସ୍ୱେଚ୍ଛାକୃତ ଅବସର ଗ୍ରହଣ କଲେ।
ସେବେଠାରୁ ତେଓତିଆ ‘ଖରଦଙ୍ଗ୍‌ ଲା ଚାଲେଞ୍ଜ୍‌ ଭଳି କଠିନ ମାରାଥନ୍‌ ଦୌଡ଼ରେ ଭାଗ ନେଲେ। ୨୦୧୮ରେ ଦକ୍ଷିଣ ଆଫ୍ରିକାରେ ଟ୍ରାଇଥାଲନ୍‌ ଚାମ୍ପିୟାନ୍‌ସିପ୍‌ରେ ଲୌହମାନବ ଟାଇଟଲ୍‌ ଜିଣିଛନ୍ତି। ଯଦିବା ଏବେ ସେ ନୌବାହିନୀ ପୋଷାକ ପରିଧାନ କରୁ ନାହାନ୍ତିଁ, ତଥାପି ସେ ଦେଶ ସେବା କରୁଛନ୍ତି ବୋଲି କହୁଛନ୍ତି।

ସମ୍ବନ୍ଧିତ ଖବର