ବାଇକ୍‌ ଇଞ୍ଜିନ୍‌ ହେଲା ଫ୍ଲାଇଙ୍ଗ ମେସିନ୍‌, ଉଡୁଛି ୧୦ ହଜାର ଫୁଟ ଉଚ୍ଚରେ

ହରିୟାଣା: ହରିୟାଣାର ଆଦମପୁର କସବେରେ ବସବାସ କରୁଥିବା ଯୁବକ ନିଜ ଇଚ୍ଛା ଓ ଚେଷ୍ଟାଶକ୍ତି ବଳରେ ଏକ ଫ୍ଲାଇଙ୍ଗ ମେସିନ୍‌ ପ୍ରସ୍ତୁତ କରିବାରେ ସଫଳ ହୋଇଛନ୍ତି। ଏହି ଯୁବକଙ୍କ ନାମ ହେଉଛି କୁଲଦୀପ ଟାକ। କୁଲଦୀପ ଇଞ୍ଜିନିୟରିଂ ଶେଷ କରିବା ପରେ ଏକ ଫ୍ଲାଇଙ୍ଗ ମେସିନ୍‌ ପ୍ରସ୍ତୁତ କରିବା ପାଇଁ ସ୍ଥିର କରିଥିଲେ। ତେବେ ଆଶ୍ଚର୍ଯ୍ୟର କଥା ହେଉଛି କୁଲଦୀପ ନିଜର ଫ୍ଲାଇଙ୍ଗ ମେସିନ୍‌ ପାଇଁ ବାଇକ୍‌ ଇଞ୍ଜିନ୍‌କୁ ବ୍ୟବହାର କରିଛନ୍ତି। ଏହି ପ୍ୟାରଗଲାଇଡିଙ୍ଗ ଫ୍ଲାଇଙ୍ଗ ମେସିନ୍‌ ଏକ ଲିଟର ପେଟ୍ରୋଲରେ ପାଖାପାଖି ୧୨ମିନିଟ ପର୍ଯ୍ୟନ୍ତ ୧୦,୦୦୦ଫୁଟ ଉଚ୍ଚକୁ ଉଡି ପାରୁଛି।

ଆସନ୍ତୁ ଜାଣିବା କୁଲଦୀପଙ୍କୁ ଏହି ଫ୍ଲାଇଙ୍ଗ ମେସିନ୍‌ ପ୍ରସ୍ତୁତ କରିବାର ଚିନ୍ତା କିପରି ଆସିଥିଲା ଏବଂ ଏହାକୁ ତିଆରି କରିବା ପାଇଁ କେତେ ଦିନ ଲାଗିଥିଲା।

କୁଲଦୀପଙ୍କୁ ଏହି ମେସିନ୍‌ ବନାଇବା ପାଇଁ ତିନିବର୍ଷ ଧରି ବହୁ କଷ୍ଟ କରିବାକୁ ପଡ଼ିଛି। ତା’ପରେ ଯାଇ ସେ ଏହି ସଫଳତାର ସ୍ୱାଦ ଚାଖିଛନ୍ତି। ଏହି ମେସିନ୍‌ ପ୍ରସ୍ତୁତ କରିବା ପାଇଁ ତାଙ୍କୁ ପାଖପାଖି ଅଢ଼େଇ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି। କୁଲଦୀପ ତାଙ୍କ ଫ୍ଲାଇଙ୍ଗ ମେସିନ୍‌ରେ ବାଇକ୍‌ର ୨୦୦ସିସି ଇଞ୍ଜିନ ଲାଗାଇଛନ୍ତି। ଏଥିସହିତ ସେ ଏଥିରେ କାଠର ଫଙ୍ଖା ଓ ଛୋଟ ଟାୟାର ଏବଂ ପେରଗଲାଇଡର ଖଞ୍ଜିଛନ୍ତି। ଯାହା ଉଡିବା ସହିତ ସୁରକ୍ଷିତ ଭାବରେ ଲେଡିଂ କରିବାରେ ସହାୟକ ହେବ । ଏଥିରେ ପାଞ୍ଚଲିଟର ପର୍ଯ୍ୟନ୍ତ ତେଲ ଭରା ଯାଇପାରିବ। କୁଲଦୀପଙ୍କ ଏହି ମେସିନ୍‌ରେ କେବଳ ଜଣେ ବ୍ୟକ୍ତି ବସି ପାରିବାର ସୁବିଧା ରହିଛି।

କୁଲଦୀପ ପାଖପାଖି ୬ମାସ ପୂର୍ବରୁ ଗୋଆରେ ତିନି ମାସ ପର୍ଯ୍ୟନ୍ତ ପାୟଲଟିଂର ପ୍ରଶିକ୍ଷଣ ନେଇଥିଲେ। ଏହି ମେସିନ୍‌ ପ୍ରସ୍ତୁତ କରିବା ପୂର୍ବରୁ କୁଲଦୀପ ଆଉ ଏକ ଫ୍ଲାଇଙ୍ଗ ମେସିନ୍‌ ତିଆରି କରିଥିଲେ କିନ୍ତୁ ଏହା ପରୀକ୍ଷା ସମୟରେ ସମ୍ପୁର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିଲା। ଦ୍ୱିତୀୟଥର ପାଇଁ ପୁଣି ଫ୍ଲାଇଙ୍ଗ ମେସିନ୍‌ ଆରମ୍ଭ କରିବା ପରେ କୁଲଦୀପଙ୍କୁ ସଫଳତା ମିଳିଛି। ଏବେ କୁଲଦୀନ ଏହି ନୂଆ ଫ୍ଲାଇଙ୍ଗ ମେସିନ୍‌କୁ ଆହୁରି ଶକ୍ତିଶାଳୀ କରିବାରେ ଲାଗିପଡ଼ିଛନ୍ତି।

କୁଲଦୀପଙ୍କ ପିତା ପ୍ରହାଦ ସିଂହ ଜଣେ ଚାଷୀ। ଆଇନଗର ନିବାସୀ ସତିଶ କୁମାର ମଧ୍ୟ ଏହି ମେସିନ୍‌ ପ୍ରସ୍ତୁତ କରିବାରେ କୁଲଦୀପଙ୍କୁ ସାହାଯ୍ୟ କରିଥିଲେ।

ସମ୍ବନ୍ଧିତ ଖବର