ବାରମ୍ବାର ଗୋଟିଏ ତେଲରେ ଖାଦ୍ୟ ସାମଗ୍ରୀ ଛାଣିଲେ ବେପାରୀମାନଙ୍କ ବିରୋଧରେ ରୁଜୁ ହେବ ଅପରାଧିକ ମାମଲା!

ବଦଳୁଛି ଯୁଗ। ତା’ସହିତ ତାଳଦେଇ ବଦଳୁଛି ମଧ୍ୟ ମଣିଷ ରୁଚି ଓ ଚାଲିଚଳନ। ଆଜିର କର୍ମବ୍ୟସ୍ତ ଜୀବନରେ ଅନେକ ଘର ଅପେକ୍ଷା ବଜାରରେ ଖାଇବାକୁ ଅଧିକ ପସନ୍ଦ କରୁଛନ୍ତି। ଏପରିକି ତେଲରେ ଛଣା ହୋଇଥିବା ଖାଦ୍ୟ ସାମଗ୍ରୀ ଖାଇବାକୁ ଅଧିକ ପସନ୍ଦ କରିଥାନ୍ତି। ବେପାରୀମାନେ ବାରମ୍ବାର ଗୋଟିଏ ତେଲରେ ଅନେକ ସାମଗ୍ରୀ ଛାଣୁଛନ୍ତି, ଯାହାକି ଖାଇବା ଦ୍ୱାରା ମଣିଷର ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡିବା ସହ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଉଛି। ଏହାକୁ ଦୃଷ୍ଟିରେ ରଖି ସରକାର ଏବେ ବେପାରୀମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛନ୍ତି।

ତେଲରେ ଛଣା ହୋଇଥିବା ଖାଦ୍ୟ ସାମଗ୍ରୀ ଖାଇବାକୁ ସମସ୍ତେ ଭଲ ପାଇଥାନ୍ତି ଆଉ ଏହି ଷ୍ଟଲ ଗୁଡିକରେ ଲୋକମାନଙ୍କର ଭିଡ ମଧ୍ୟ ଦେଖିବାକୁ ମିଳିଥାଏ ଏବଂ ଏହାର ଫାଇଦା ନେଇଥାନ୍ତି ସମ୍ପୃକ୍ତ ବ୍ୟବସାୟୀ। କୌଣସି ପର୍ବପର୍ବାଣୀ ତଥା ଅନ୍ୟ କୌଣସି ଗହଳି ସମୟରେ ବେପାରିମାନେ ଗୋଟିଏ ତେଲରେ ବାରମ୍ବାର ଅନେକ ସାମଗ୍ରୀ ଛାଣି ବିକ୍ରି କରିଥାନ୍ତି। ଏଥିରେ ଏବେ ଗୁଜୁରାଟ ରାଜ୍ୟ ସରକାର ରୋକ ଲଗାଇଛନ୍ତି। ଯଦି ବ୍ୟବସାୟୀଙ୍କ ଦ୍ୱାରା ଏପରି କରାଯାଉଥିବା ପରିଲକ୍ଷିତ ହୁଏ ତେବେ ସମ୍ପୃକ୍ତ ବେପାରିଙ୍କ ବିରୋଧରେ ଏତଲା ଦାୟର କରାଯିବ।

ଖାଦ୍ୟ ଏବଂ ଔଷଧ ବିଭାଗ ଅନୁଯାୟୀ, ବ୍ୟବସାୟୀମାନେ ଗୋଟିଏ ତେଲକୁ ବାରମ୍ବାର ବ୍ୟବହାର କରିଥାନ୍ତି। ଯାହାକି ଲୋକମାନଙ୍କର ସ୍ୱାସ୍ଥ୍ୟବସ୍ଥାକୁ ପ୍ରଭାବିତ କରିଥାଏ। ତେଲ ଖରାପ ଅଛି ନା ଭଲ ତାହା ଯାଞ୍ଚ କରିବା ପାଇଁ ଏକ ମେସିନ ବିକଶିତ କରାଯାଇଛି। ମାତ୍ର ୫ ସେକେଣ୍ଡରେ ମେସିନ ଜରିଆରେ ତେଲର ଗୁଣାବତ୍ତା ଯାଞ୍ଚ କରାଯାଇପାରିବ। ତେଲର ସମୁଦାୟ ପୋଲରାଇଜେସନ ଯଦି ୨୫ ପ୍ରତିଶତ ଉପରେ ହେବ ତେବେ ତୁରନ୍ତ ସମ୍ପୃକ୍ତ ବ୍ୟବସାୟୀଙ୍କ ଉପରେ ଅପରାଧିକ ମାମଲା ଦାୟର କରାଯିବ। ଏହା ପରେ ତାଙ୍କୁ ଗିରଫ କରାଯିବ। ଆସନ୍ତା ଜୁଲାଇ ମାସ ୧ ତାରିଖରୁ ଏହି ନୂଆ ଲାଗୁ କରାଯିବ।

ସମ୍ବନ୍ଧିତ ଖବର