ଜାନକୀବାବୁ-ଏକ ଅଭୁଲା ସ୍ମୃତି

ସୁରେଶ ଚନ୍ଦ୍ର ମନ୍ତ୍ରୀ

0

୧୯୩୦ ମସିହାରେ ‘ଦ ଲଣ୍ତନ ଇକୋନୋମିଷ୍ଟ୍’ର ଏକ ଅଗ୍ରଲେଖରେ ପ୍ରକାଶିତ ହୋଇଥିଲା- ଏହା ଏକ ବିଡ଼ମ୍ବନାର ବିଷୟ ଯେ ଅର୍ଥନୀତି କ୍ଷେତ୍ରରେ ଆମର ଅଗ୍ରଗତି ସହିତ ରାଜନୀତି କ୍ଷେତ୍ରରେ ସାଧିତ ପ୍ରଗତି ସମତାଳ ଦେଇ ଚାଲିପାରି ନ ଥିବାରୁ ଉଭୟଙ୍କ ମଧ୍ୟରେ ଏକ ସ˚ଘର୍ଷମୟ ପରିସ୍ଥିତି ସୃଷ୍ଟି ହୋଇଛି। ଭାରତ ଭଳି ଏକ ବିକାଶୋନ୍ମୁଖୀ ରାଷ୍ଟ୍ରରେ ରାଜନୀତି କ୍ଷେତ୍ରରେ କାର୍ଯ୍ୟରତ ନେତୃମଣ୍ତଳୀଙ୍କ ପାଇଁ ଆଜି ମଧ୍ୟ ଏହା ଏକ ବିରାଟ ପ୍ରଶ୍ନବାଚୀ ହୋଇରହିଛି। ଆମର ବ୍ୟକ୍ତିଗତ ଜୀବନ ଓ ସାମାଜିକ ବ୍ୟବସ୍ଥାର ସମ୍ପୂର୍ଣ୍ଣ ରାଜନୀତିକରଣ ଏକ ଭୟାବହ ପରିସ୍ଥିତି ସୃଷ୍ଟି କରିଛି ଏବ˚ ଲାଗୁଛି ଯେ ସମାଜରେ କେବଳ ରାଜନୀତି ବ୍ୟତୀତ ଅନ୍ୟ କିଛିର ଗୁରୁତ୍ବ ନାହିଁ। ସାଧାରଣତଃ ରାଜନୈତିକ ନେତାମାନଙ୍କୁ ଆମେଚର ପଲିଟିସିଆନ ବା ସୌଖୀନ ରାଜନେତା ଭାବେ ଦେଖାଯାଇଥାଏ। ସେଦିନ ବ୍ରିଟେନର ପ୍ରଧାନମନ୍ତ୍ରୀ ରାମସେ ମାଗଡୋନାଲଡ ତାଙ୍କ ବୈଦେଶିକ ବିଭାଗ ମନ୍ତ୍ରୀଙ୍କୁ ନିଜସ୍ବ କାର୍ଯ୍ୟାଳୟରେ ଝୁଲୁଥିବା ଏକ ପୃଥିବୀ ମାନଚିତ୍ରରେ ବ୍ରିଟିଶ ଉପନିବେଶଗୁଡ଼ିକୁ ଚିହ୍ନାଇବାକୁ କହିଥିଲେ। ଏଥିରେ ବୈଦେଶିକ ମନ୍ତ୍ରୀ ହଡ଼ବଡେ଼ଇ ଯାଇଥିଲେ ଏବ˚ ସେ ତାଙ୍କ ସେକ୍ରେଟାରୀଙ୍କୁ ଡାକି ଏ ବିଷୟରେ ତାଙ୍କର ସହାୟତା ଲୋଡ଼ିଥିଲେ। ଏହା ସୂଚାଇ ଦେଉଛି- ରାଜନୀତିଜ୍ଞମାନେ ଜଣେ ଜଣେ ବିଶେଷଜ୍ଞ ବ୍ୟକ୍ତି ହେବା ନିହାତି ଜରୁରୀ ନୁହେଁ। କିନ୍ତୁ, ସେମାନେ ନିଶ୍ଚିତ ଭାବେ ଏକ ବହୁମୁଖୀ ପ୍ରତିଭାର ଅଧିକାରୀ ହେବା ସହିତ ସୂକ୍ଷ୍ମଦୃଷ୍ଟି, ମାନବିକ ମୂଲ୍ୟବୋଧ, ଅନୁଭବ ଓ ଆବେଗକୁ ନେଇ ଆଗକୁ ବଢ଼ିବାର ଇଚ୍ଛାଶକ୍ତିର ଅଧିକାରୀ ହେବା ବାଞ୍ଝନୀୟ। ଏହିଭଳି ଏକ ଉଚ୍ଚାଦର୍ଶ ଓ ଉଚ୍ଚ ମୂଲ୍ୟବୋଧର ବ୍ୟକ୍ତି ଥିଲେ ପୂଜ୍ୟ ଜାନକୀବଲ୍ଲଭ ପଟ୍ଟନାୟକ।

ପ୍ରତ୍ୟକ ମହାନ ବ୍ୟକ୍ତିଙ୍କ ଆବିର୍ଭାବ ସମାଜ ଓ ଜାତି ପାଇଁ ଏକ ବିଶେଷ ଅବଦାନ। ପ୍ରତ୍ୟେକ ଜାତିର ଇତିହାସ ଥାଏ, ଭୂଗୋଳ ବି। ପୁନଶ୍ଚ ଏକ ଜାତିର ବଞ୍ଚିବା ଓ କ୍ରମ ଅଭିବୃଦ୍ଧି ବର୍ଷା ଓ ବାୟୁର ପ୍ରବାହ ବା ସୂର୍ଯ୍ୟ ଓ ତାରକାପୁଞ୍ଜର ଶକ୍ତି ଉପରେ ନିର୍ଭରଶୀଳ ନୁହେଁ, ବର˚ ଏହା ଜନସାଧାରଣଙ୍କ ଆବେଗ, ଉତ୍ସାହ ଓ ଆଦର୍ଶ ଉପରେ ଆଧାରିତ। ଏକ ଜାତିକୁ ବଞ୍ଚିବା ପାଇଁ ଏହା ସର୍ବଦା ଖୋରାକ ଯୋଗାଇଥାଏ ଏବ˚ ଜାତିକୁ ସର୍ବଦା ସଜୀବ ଓ ଅଧିକ ଜୀବନ୍ତ କରି ଗଢ଼ି ତୋଳିବାରେ ସହାୟକ ହୋଇଥାଏ। ଇତିହାସ ଆମକୁ ଶିକ୍ଷାଦିଏ ଯେ ଗୋଟିଏ ଗୋଟିଏ ମୁହୂର୍ତ୍ତ ଅଧିକା˚ଶ ସମୟରେ ଇତିହାସର ମୋଡ଼ ବଦଳାଇ ଦେବାରେ ସକ୍ଷମ ହୋଇଥାଏ ଏବ˚ ଗୋଟିଏ ଗୋଟିଏ ଭାବନା ବା ଚିନ୍ତନ ନିୟୁତ ନିୟୁତ ଲୋକଙ୍କୁ ଆନ୍ଦୋଳିତ କରିଦେଇପାରେ। ପୁଣି ଜଣେ ବ୍ୟକ୍ତି ମହାତ୍ମା ଗାନ୍ଧୀଙ୍କ ପରି ଗୋଟିଏ ଜାତିକୁ ମଧ୍ୟ ପରିବର୍ତ୍ତନ କରିବା ପାଇଁ ସକ୍ଷମ ହୋଇଥାଏ। ପୂଜ୍ୟ ଜାନକୀବଲ୍ଲଭ ପଟ୍ଟନାୟକ ତାଙ୍କ ଜୀବନ କାଳରେ ଏଭଳି ଏକ କାଳଜୟୀ ପରିବର୍ତ୍ତନର ମୁହୂର୍ତ୍ତ ସୃଷ୍ଟିକରି ଓଡ଼ିଶାର ରାଜନୈତିକ, ସାମାଜିକ ଓ ସା˚ସ୍କୃତିକ ଜୀବନକୁ ଦୀର୍ଘ ପଚାଶ ବର୍ଷ ଧରି ପରିପୃଷ୍ଠ କରିବାରେ ସକ୍ଷମ ହୋଇଥିଲେ। ତାଙ୍କର ବହୁମୁଖୀ ପ୍ରତିଭାକୁ ଏକ କ୍ଷୁଦ୍ର ପୃଷ୍ଠାରେ ସ୍ଥାନିତ କରିବା ଦୂରୁହ ବ୍ୟପାର। ଜାନକୀବାବୁଙ୍କ ସହିତ ପ୍ରତ୍ୟକ୍ଷ ଏବ˚ ପରୋକ୍ଷ ଭାବରେ ୧୯୭୩ ମସିହା ଠାରୁ ୨୦୧୫ ମସିହା ପର୍ଯ୍ୟନ୍ତ ଦୀର୍ଘ ବୟାଳିଶ ବର୍ଷ ଧରି କାମ କରିବା ସମୟର ମୋର କିଛି ଅନୁଭୂତି ଉପରେ ଏହି ସନ୍ଦର୍ଭଟି ପର୍ଯ୍ୟବଶିତ।

ଏହି ଲେଖକ ଓଡ଼ିଶା ଭବନରେ ଡେପୁଟି ଲିଆସନ କମିଶନର ଥିଲା ସମୟରେ କେତେକ ଘଟଣା ଏଠାରେ ଉଲ୍ଳେଖନୀୟ। ୧୯୮୫ ମସିହା ମାର୍ଚ୍ଚ ମାସ ମଧ୍ୟଭାଗରେ ଜାନକୀବାବୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହେଲେ ଏବଂ ରାଜଭବନରେ ଶପଥପାଠ ଉତ୍ସବ ପରେ ପରେ ଅପରାହ୍ନରେ ବିମାନରେ ଦିଲ୍ଲୀ ଯାତ୍ରା କରିଥିଲେ। ଜାନକୀବାବୁ ବିମାନ ଭିତରକୁ ପ୍ରବେଶ କରିବା ସମୟରେ ପ୍ରଥମ ସିଟରେ ବସିଥିଲେ ବିଜୁବାବୁ। ତାଙ୍କୁ ସମ୍ମାନ ପ୍ରଦର୍ଶନପୂର୍ବକ କିଛି ସମୟ ତାଙ୍କ ପାଖରେ ଅଟକି ଯାଇଥିଲେ ଏବ˚ ବିଜୁବାବୁ ତାଙ୍କୁ ତାଙ୍କ ନିକଟରେ ବସିବାକୁ ଇସାରା ଦେଇଥିଲେ। ଲେଖକ ପଛରେ ବସି ତାହା ଲକ୍ଷ୍ୟ କରିଥିଲେ। ଏହା ଥିଲା ନୂତନ ଏବ˚ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ସୌଜନ୍ୟତାର ନିଦର୍ଶନ। ବିଜୁବାବୁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ହସ୍ତାନ୍ତର କଲା ପରେ କିଛି ଦିନ ଓଡ଼ିଶା ଭବନରେ ରହିଥିଲେ। ଦିନକର ଘଟଣା! ଜାନକୀବାବୁ ରାଜ୍ୟ ଯୋଜନା ଅଟକଳ ସମ୍ପର୍କୀୟ ଏକ ବୈଠକରେ ଦିଲ୍ଲୀରେ ଯୋଗ ଦେଇ ଚାଣକ୍ୟପୁରୀସ୍ଥିତ ଓଡ଼ିଶାଭବନକୁ ଆସୁଥିବା ସମୟରେ ବିଜୁବାବୁ ଲିଫଟକୁ ଆସୁଥିଲେ ଏବ˚ ଦୁଇଜଣଙ୍କର ସେହି ସମୟରେ ଅଭ୍ୟର୍ଥନା କାଉଣ୍ଟରରେ ସାମନାସାମନି ହୋଇଥିଲା। ବିଜୁବାବୁ ଜାନକୀବାବୁଙ୍କୁ ଦେଖି ପଚାରିଥିଲେ, ଜାନକୀ- ଏ ବର୍ଷ ରାଜ୍ୟ ଯୋଜନା ଅଟକଳ କେତେ ସ୍ଥିର ହେଲା? ଉତ୍ତରରେ ଜାନକୀବାବୁ କହିଥିଲେ- ପ୍ରାୟ ପନ୍ଦର ହଜାର କୋଟି। ବିଜୁବାବୁ ତତକ୍ଷଣାତ କହିଥିଲେ- ଆମେ ବି ସେୟା ରଖିଥିଲୁ। ସେଦିନ ଦୁଇଜଣ ନେତାଙ୍କ ମଧ୍ୟରେ ଏକ ସଦଭାବମୂଳକ ମନୋଭାବ ଏହି ଲେଖକ ଏବ˚ ସେଠାରେ ଅନ୍ୟ ଯେଉଁମାନେ ଉପସ୍ଥିତ ଥିଲେ ଲକ୍ଷ୍ୟ କରିଥିଲେ।

ଅନ୍ୟ ଏକ ଦିନ ଦିଲ୍ଲୀରେ ବିଶିଷ୍ଟ ଚଳଚ୍ଚିତ୍ର ତାରକା ତଥା ପାର୍ଲ୍ଲାମେଣ୍ଟ୍ ସଦସ୍ୟ ରାଜେଶ ଖାନ୍ନାଙ୍କ ସରକାରୀ ବାସଭବନରେ ପଚାଶରୁ ଅଧିକ ନାମୀଦାମୀ ଫିଲ୍ମଷ୍ଟାର ଏବ˚ ଦିଲ୍ଲୀର କିଛି ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ଏକ ସୁଇମିଙ୍ଗ୍ ପୁଲ ଉଦ୍‌ଘାଟନ କରିବା ପାଇଁ ନିମନ୍ତ୍ରଣ ହୋଇ ଜାନକୀବାବୁ ଯାଇଥିଲେ ଏବ˚ ତାଙ୍କ ବକ୍ତବ୍ୟରେ ସେ ସଲମନ ରୁସିଦଙ୍କ ଉକ୍ତିକୁ ଉଦ୍ଧାର କରି କହିଥିଲେ- Like war politics is total’ ଅର୍ଥାତ ରାଜନୀତି ଆମ ସମଗ୍ର ଜୀବନକୁ ପ୍ରଭାବିତ କରିରଖିଛି; ଯାହା ଫିଲ୍ମଷ୍ଟାରଙ୍କ କ୍ଷେତ୍ରରେ ଅଲଗା। ଏହା ସଭାସ୍ଥଳରେ ହାସ୍ୟରୋଳ ସୃଷ୍ଟି କରିଥିଲା। ପୁଣି ରୁଡୟାଡ୍ କିପଲିଙ୍ଗଙ୍କ ଉକ୍ତିକୁ ଉଦ୍ଧାର କରି ସେ କହିଥିଲେ ‘ରାଜାଙ୍କ ସାଙ୍ଗରେ ଚାଲ କିନ୍ତୁ ସାଧାରଣ ଲୋକଙ୍କ ସାଙ୍ଗ ଛାଡ଼ନାହିଁ’ ଏବ˚ ସେଦିନ ‘ଟାଇମ୍‌ସ ଅଫ ଇଣ୍ତିଆ’’ର ଶେଷପୃଷ୍ଠାରେ ମୁଖ୍ୟମନ୍ତ୍ରୀ ଜାନକୀବାବୁଙ୍କ ସହିତ ପ୍ରଭୁ ଚାୱାଲାଙ୍କ ସାକ୍ଷାତକାର ପ୍ରକାଶିତ ହୋଇଥିଲା, ଯାହାକି ସମସ୍ତଙ୍କୁ ଆହ୍ଲାଦିତ କରିଥିଲା। ଅନ୍ୟ ଏକ ଦିନର ଘଟଣା। ଦିଲ୍ଲୀର ପ୍ରଗତି ମଇଦାନଠାରେ ଅନୁଷ୍ଠିତ ହୋଇଥିଲା ଏକ ବିଶ୍ବସ୍ତରୀୟ ପୁସ୍ତକମେଳା। ପୁସ୍ତକମେଳାରେ ଯୋଗଦେବା ଜାନକୀବାବୁଙ୍କ ପାଇଁ ଥିଲା ଏକ ନିଶା। ଘଣ୍ଟା ଘଣ୍ଟା ଧରି ସେ ପୁସ୍ତକମେଳାରେ ସମୟ ବିତାଉଥିଲେ। ଏକ ଷ୍ଟଲରେ ରୁଷର ନୋବେଲ ପୁରସ୍କାରପ୍ରାପ୍ତ ସାହିତ୍ୟିକ ‘ଡୋଷ୍ଟୋଭସ୍‌ଟି’ଙ୍କ ଲିଖିତ ଏକ ବହି ‘Crime and Punishment’ ର ଏକ ପଙ୍‌କ୍ତିକୁ ଚିହ୍ନିତ କରି ବହିଟିକୁ ସେଦିନ ସେ କିଣିଥିଲେ। ଏହି ପଙ୍‌କ୍ତିଟି ଥିଲା ‘Much unhappiness has come into this world because of bewilderment and things left unsaid’ ଆହୁରି ଗୋଟେ ଧାଡ଼ି ଯାହାକି ଥିଲା ‘A hundred suspicions don’t make a proof’।ଏହାକୁ ଜାନକୀବାବୁ କଲମରେ ଚିହ୍ନିତ କରିଥିବାର ମୁଁ ସେଦିନ ଦେଖିଥିଲି। ବହିରେ ଥିଲା ତାଙ୍କର ଜୀବନ ଏବ˚ ବିଭିନ୍ନ ପୁସ୍ତକ ତଥା ଧର୍ମ, ସ˚ସ୍କୃତି, ଇତିହାସ, ସାହିତ୍ୟ ଆଦି ବିଷୟରେ ତାଙ୍କର ଅଗାଧ ପାଣ୍ତିତ୍ୟ।

ଓଡ଼ିଶା ପ୍ରଶାସନିକ ସେବା ଅଫିସରଙ୍କ ବାର୍ଷିକ ଅଧିବେଶନରେ ମୁଖ୍ୟଅତିଥି ରୂପେ ବିଭିନ୍ନ ସମୟରେ ଜାନକୀବାବୁଙ୍କ ଅଭିଭାଷଣ ବାସ୍ତବିକ ପ୍ରଣିଧାନର ଯୋଗ୍ୟ। ବେଞ୍ଜାମିନ ଡିଜରାଇଲଙ୍କ ଉକ୍ତିକୁ ଉଧାର କରି ସେ କହୁଥିଲେ- ‘All power is a Trust that we are accountable for its exercise’। ସେ ପୁଣି କହୁଥିଲେ ଦେଶରେ ପରିର୍ବନ ଆଣିବାକୁ ହେଲେ ଆବଶ୍ୟକ ତିନିଟି ଉପାଦାନ- ଏକ ଉତ୍ତମ ଚିନ୍ତାଧାରା, ଦୃଢ଼ ନେତୃତ୍ବ ଏବ˚ ସମସ୍ତ ପାରିପାର୍ଶିକ ସୁବିଧା ଓ ସୁଯୋଗର ଉପଯୁକ୍ତ ଉପଲବ୍ଧ। ଯଦି ଏସବୁର ସଠିକ୍‌ ଉପଯୋଗ ଆମେ ନ କରିବା ତେବେ ଆମେ ଅନ୍ୟମାନଙ୍କ ପଛରେ ପଡ଼ିଯିବା। ତାଙ୍କ ବକ୍ତବ୍ୟରେ କହୁଥିଲେ- ସାମାଜିକ ନ୍ୟାୟ ପ୍ରଦାନ ହେଉଛି ଆମ ସମ୍ବିଧାନର ଆତ୍ମା ଓ ବିବେକ। ତେଣୁ ପ୍ରଶାସନିକ ଅଧିକାରୀମାନେ କାର୍ଯ୍ୟ କଲାବେଳେ ସାମାଜିକ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଗୁରୁତ୍ବ ଦେବା ଉଚିତ। ୨୦୧୦ ମସିହାରେ ଆସାମର ରାଜ୍ୟପାଳ ଥିଲାବେଳେ ଜାନକୀବାବୁ ‘ସମାଜ’ର ୯୨ତମ ପ୍ରତିଷ୍ଠା ଦିବସ ଅବସରରେ କଟକର ଇନଡେ଼ାର ଷ୍ଟାଡ଼ିୟମଠାରେ କର୍ମଚାରୀ, ସାମ୍ବାଦିକବୃନ୍ଦ, ବୁଦ୍ଧିଜୀବୀ ଓ ବିଶିଷ୍ଟ ବ୍ୟକ୍ତିଙ୍କୁ ଦେଇଥିବା ଉଦବୋଧନ ଆଜି ବି ମନେଅଛି। ତାଙ୍କ ମତରେ ସମ୍ବାଦପତ୍ର ସମାଜକୁ ପରିବର୍ତ୍ତନ କରିବା ପାଇଁ ଏକ ଅସ୍ତ୍ର। ନିକଟରେ ସୁପ୍ରିମକୋର୍ଟର ମାନ୍ୟବର ମୁଖ୍ୟ ବିଚାରପତି ଶ୍ରୀଯୁକ୍ତ ରଞ୍ଜନ ଗୋଗୋଇ କହିଥିଲେ ଯେ ବଡ଼ପାଟିରେ କହୁଥିବା ‘ଜଜ୍’ ଏବ˚ ନିରପେକ୍ଷ ସାମ୍ବାଦିକମାନେ ହିଁ ଗଣତନ୍ତ୍ରର ପ୍ରଥମ ସୁରକ୍ଷା ପ୍ରହରୀ। ଏହି ମତ ସହିତ ଜାନକୀବାବୁ ପୂରା ଏକମତ ଥିଲେ।

ଜାନୀବାକୁ ଥିଲେ ସବୁ କ୍ଷେତ୍ରରେ ସମସ୍ତଙ୍କର ଅଗ୍ରଣୀ ଏବ˚ ରୋଲ୍‌ ମଡେ଼ଲ। ଏକ ପୂର୍ଣ୍ଣାଙ୍ଗ ଓ ସଫଳ ବ୍ୟକ୍ତିତ୍ବ। ନୋବେଲ ବିଜେତା ଦେଶମଣ୍ତ ଟୁଟୁଙ୍କ ଭାଷାରେ କୁହାଯାଇପାରେ- କାଲି ବି ସୂର୍ଯ୍ୟ ଉଇଁବ, ପର ଦିନ ବି, କିନ୍ତୁ ଆସନ୍ତାକାଲି ଓ ପର ଦିନର ସୂର୍ଯ୍ୟ, ହୁଏତ ଆଜିର ସୂର୍ଯ୍ୟ ପରି ତେଜିୟାନ ହୋଇ ନ ପାରେ। ଆଜି ତାଙ୍କର ବିୟୋଗରେ ‘ଏକ ସ୍ବପ୍ନ ଅଧାରେ ରହିଗଲା, ସଙ୍ଗୀତ ନିରବି ଗଲା, ଏକ ଅଗ୍ନିଶିଖା କେଉଁ ଅଜଣା ପଥରେ ହଜିଗଲା।’ ସେ ଯେଉଁଠି ଥିଲେ ବି ଆମର ପଥ ପ୍ରଦର୍ଶନ ହୋଇ ଧ୍ରୁବତାରା ପରି ଆମକୁ ଦିଗ୍‌ଦର୍ଶନ ଦେଉଥିବେ।

ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ଅଧିକାରୀ
ମୁଖ୍ୟ ସ˚ଯୋଜକ, ‘ସମାଜ’
ଫୋନ-୯୪୩୭୦୯୫୯୯୪

ସମ୍ବନ୍ଧିତ ଖବର

Leave A Reply

Your email address will not be published.