ଦିଲ୍ଲୀ ଏମ୍‌ସ ପରେ କୋଲକାତାରେ ହେଲା ଆଉ ଏକ ଯୋଡା ଶିଶୁଙ୍କ ସଫଳ ଅସ୍ତ୍ରୋପଚାର!

ଦିଲ୍ଲୀ ଏମ୍‌ସରେ ଓଡ଼ିଶାର ଯମଜ ଶିଶୁ ଜଗାବଳିଆଙ୍କ ଯୋଡାମୁଣ୍ଡ ସଫଳ ଅସ୍ତ୍ରୋପଚାର ପରେ ଏବେ ପୁଣି କୋଲକାତାରେ ସଫଳତାର ସହ କରାଯାଇଛି ଆଉ ଏକ ଯୋଡା ଶିଶୁଙ୍କ ଅସ୍ତ୍ରୋପଚାର। ପେଟ ଯୋଡି ହୋଇ ରହିଥିବା ଏକ ପରାଙ୍ଗପୁଷ୍ଟ ଶିଶୁକୁ ଅସ୍ତ୍ରୋପଚାର କରିଛନ୍ତି ଓଡିଆ ଡାକ୍ତର। ଶିଶୁ ଶଲ୍ୟ ବିଭାଗର ଡାକ୍ତର ପ୍ରଫୁଲ୍ଲ ମିଶ୍ରଙ୍କ ଉଦ୍ୟମରେ ସଫଳ ହୋଇଛି ଏଭଳି ବିରଳ ଅପରେସନ୍‌। ଶିଶୁଟି ସୁସ୍ଥ ଥିବାବେଳେ ଅତିରିକ୍ତ ହାତ, ଗୋଡ ଓ ପେଟକୁ ଅଲଗା କରାଯାଇ ପାରିଛି।

ଜଗା ବଳିଆଙ୍କ ମୁଣ୍ଡ ଯୋଡି ହେବା ପରି ଏହି ଜମଜ ଶିଶୁଙ୍କ ପେଟ ଯୋଡିହୋଇ ରହିଛି। ହେଲେ ଗୋଟିଏ ମୁଣ୍ଡ କିନ୍ତୁ ୪ଟି ଗୋଡ ଓ ୪ଟି ହାତ। ପଶ୍ଚିମବଙ୍ଗ ମୁର୍ସିଦାବାଦ ଜିଲ୍ଲାର ୨୧ ବର୍ଷୀୟ ମହିଳା ସାବିନା ଜ୍ୟାସ୍ମିନ ଏହି ଯୋଡା ଶିଶୁକୁ ଗତ ଅଗଷ୍ଟ ମାସରେ ଜନ୍ମ ଦେଇଥିଲେ। ଅସ୍ୱାଭାବିକ ଭାବେ ଜନ୍ମ ନେଇଥିବା ଏହି ଶିଶୁ ପୁତ୍ରଟିର ବିକାଶ ଅସମ୍ଭବ ଥିଲା। ଏପରିକି ଜୀବନ, ମରଣ ସଂକଟ ଉପୁଜିଥିଲା। ଶିଶୁର ସୁରକ୍ଷା ପାଇଁ ଅତିରିକ୍ତ ପେଟ, ଗୋଡ ଓ ହାତକୁ କାଟି ଅଲଗା କରିଦେବା ଜରୁରୀ ହୋଇପଡିଥିଲା।

ଏଭଳି ଏକ ଆହ୍ଵାନପୂର୍ଣ୍ଣ ଅସ୍ତ୍ରୋପଚାର ପାଇଁ ଆଗେଇ ଆସିଥିଲେ ଜଣେ ଓଡିଆ ଡାକ୍ତର। ଶିଶୁ ଶଲ୍ୟ ବିଭାଗର ବରିଷ୍ଠ ପ୍ରଫେସର ଡାକ୍ତର ପ୍ରଫୁଲ୍ଲ କୁମାର ମିଶ୍ର। ଅତ୍ୟନ୍ତ ଜଟିଳ ଅବସ୍ଥାରେ ଥିବା ଶିଶୁଟିକୁ ନିରୀକ୍ଷଣ କରିବା ପରେ ଅପରେସନ ଆରମ୍ଭ କରିଥିଲେ ଡାକ୍ତର ମିଶ୍ର। ଆଉ ତାଙ୍କୁ ସହଯୋଗ କରିଥିଲେ ହୃଦରୋଗ ବିଶେଷଜ୍ଞ ରଞ୍ଜନ ଶର୍ମା। ଚିକିତ୍ସା ବିଜ୍ଞାନରେ ପାରାସାଇଟିକ ଟ୍ଵିନ୍‌ସ ବା ପରାଙ୍ଗପୋଷି ଜମଜ କୁହାଯାଉଥିବା ଏହି ଶିଶୁକୁ ଅଲଗା କରିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଗତ ବୁଧବାର କୋଲକାତାସ୍ଥିତ ଏନଆରଏସ ମେଡିକାଲ କଲେଜରେ ସଫଳତାର ସହ ଏହି ବିରଳ ଅସ୍ତ୍ରୋପଚାର ଶେଷ ହୋଇଛି।

ପରାଙ୍ଗପୋଷି ଯମଜଙ୍କ କ୍ଷେତ୍ରରେ ଗୋଟିଏ ମସ୍ତିସ୍କ ଓ ଗୋଟିଏ ହୃତିପିଣ୍ଡ ହୋଇଥିବାରୁ ଶରୀରରୁ ଅତିରିକ୍ତ ଅଂଶ କାଟି ଅଲଗା କରିବାକୁ ପଡିଥାଏ। ଯାହା ଏହି ଶିଶୁପୁତ୍ର କ୍ଷେତ୍ରରେ କରାଯାଇଛି। ପ୍ରାୟ ମାସକର ଏହି ପୁତ୍ର ସନ୍ତାନଟି ଏବେ ସୁସ୍ଥ ଥିବା ବେଳେ ହୃତପିଣ୍ଡରେ କିଛି ସମସ୍ୟା ରହିଥିବାରୁ ଆଗାମୀ ଚିକିତ୍ସା ଡାକ୍ତର ମିଶ୍ରଙ୍କ ପାଇଁ ବେଶ ଆହ୍ଵାନ ପୂର୍ଣ୍ଣ ରହିଛି। ତେବେ ଡାକ୍ତର ମିଶ୍ରଙ୍କ ତତ୍ୱାବଧାନରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ଶିଶୁଟିର ଚିକିତ୍ସା ଦାୟିତ୍ୱରେ ରହିଛନ୍ତି। ଦିଲ୍ଲୀ ଏମ୍‌ସରେ ଓଡିଆ ଡାକ୍ତର ଅଶୋକ ମହାପାତ୍ରଙ୍କ ତତ୍ୱାବଧାନରେ ଜୋଡାମୁଣ୍ଡ ଶିଶୁ ଜଗା ବଳିଆଙ୍କ ଅସ୍ତ୍ରୋପଚାର ସମ୍ଭବ ହୋଇଥିଲା। ଆଉ ଏବେ କୋଲକାତାରେ ଜଣେ ଓଡିଆ ଡାକ୍ତର କରିସ୍ମା କରି ଦେଖାଇଛନ୍ତି। ଯାହା ଫଳରେ ଶିଶୁ ସନ୍ତାନଟିକୁ ନୂଆ ଜୀବନ ମିଳିଯାଇଛି।

ସମ୍ବନ୍ଧିତ ଖବର