ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍-୨୦୧୮ : ବିପୁଳ ସମ୍ଭାବନା
ମୋବାଇଲ୍ ଡାଟାରେ ଭାରତ ଏକ ନମ୍ବର, ଓଡ଼ିଶାରେ ମୁଣ୍ଡପିଛା ଡାଟା ବ୍ୟବହାର ସର୍ବାଧିକ, ମୁକେଶ ଖଟାଇବେ ୩ ହଜାର କୋଟି
ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ରେ ସୋମବାର ଆୟୋଜିତ ପ୍ଲେନାରି ଅଧିବେଶନରେ ଶିଳ୍ପପତିମାନେ ବିପୁଳ ପରିମାଣର ପୁଞ୍ଜିନିବେଶ କରିବାର ପ୍ରତିଶ୍ରୁତି ଦେଇଛନ୍ତି। ରାଜ୍ୟରେ ବ୍ୟବସାୟର ଥିବା ସମ୍ଭାବନାକୁ ଦୃଷ୍ଟିରେ ରଖି ରିଲାଏନ୍ସ, ସେଲ୍, ଜେଏସ୍ପିଏଲ୍, ଟାଟା ଗ୍ରୁପ୍, ଆଦିତ୍ୟ ବିର୍ଲା ଗ୍ରୁପ୍ ଓ ବେଦାନ୍ତ ପକ୍ଷରୁ କୋଟି କୋଟି ଟଙ୍କାର ପୁଞ୍ଜିନିବେଶ କରିବାକୁ ଘୋଷଣା କରାଯାଇଛି। ଜେଏସ୍ଡବ୍ଲ୍ୟୁର ମୁଖ୍ୟ ସଜ୍ଜନ ଜିନ୍ଦଲ କହିଛନ୍ତି ରାଜ୍ୟରେ ସେ ବିପୁଳ ପରିମାଣର ନିବେଶ କରି ଏକ ଆଧୁନିକ ଇସ୍ପାତ କାରଖାନା ସ୍ଥାପନ କରିବାକୁ ଚାହୁଛନ୍ତି। ରାଜ୍ୟରେ ଶିଳ୍ପପତିଙ୍କୁ ଋଣ ପ୍ରଦାନ କରିବାକୁ ମଧ୍ୟ ଷ୍ଟେଟ୍ ବ୍ୟାଙ୍କ ଆଗ୍ରହ ଦେଖାଇଛି
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ବର : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ର ମୁଖ୍ୟ ମୁକେଶ ଅମ୍ବାନି ଆଜି ଘୋଷଣା କରିଛନ୍ତି ଯେ ତାଙ୍କ କଂପାନି ଓଡ଼ିଶାରେ ଆଗାମୀ ଦିନରେ ୩୦୦୦ କୋଟି ଟଙ୍କା ନିବେଶ କରିବ। ପୂର୍ବରୁ ବିଭିନ୍ନ ବ୍ୟବସାୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ୬୦୦୦ କୋଟି ଟଙ୍କା ନିବେଶ କରିସାରିଛି।
ସେ କହିଲେ, ବାର୍ଷିକ ୮% ହାରରେ ଆଗକୁ ବଢ଼ୁଥିବା ଓଡ଼ିଶାରେ ରିଲାଏନ୍ସ ହେଉଛି ସର୍ବବୃହତ ପୁଞ୍ଜିନିବେଶକାରୀ। ଏହା ଡିଜିଟାଲ୍ ଭିତ୍ତିଭୂମି ସୃଷ୍ଟି କରିବା ପାଇଁ ପୁଞ୍ଜିନିବେଶ କରୁଛି। ବିଗତ ଦୁଇ ବର୍ଷରେ ରିଲାଏନ୍ସ ଯୋଗୁ ରାଜ୍ୟରେ ୩୦ ହଜାରରୁ ଅଧିକ ଲୋକଙ୍କୁ ରୋଜଗାର ମିଳିଛି। ସେ କହିଛନ୍ତି ଯେ ଜିଓର ଆଗମନ ପରେ ଭାରତ ମୋବାଇଲ୍ ଡାଟା ବ୍ୟବହାର କରିବାରେ ଏକ ନମ୍ବର ଦେଶ ଭାବେ ଉଭା ହୋଇଛି। ଦୁଇ ବର୍ଷ ପୂର୍ବେ ମୋବାଇଲ୍ ବ୍ରଡ୍ବ୍ୟାଣ୍ଡ୍ କ୍ଷେତ୍ରରେ ଭାରତର ରୢାଙ୍କ ୧୫୫ ଥିଲା।
ଜିଓ ଗିଗାଫାଇବର୍କୁ ନେଇ ରିଲାଏନ୍ସ ବହୁତ ବଡ଼ ଯୋଜନା ରହିଛି ବୋଲି ସେ କହିଛନ୍ତି। ଏହା ଜରିଆରେ ଫିକ୍ସଡ୍ ବ୍ରଡବ୍ୟାଣ୍ଡ୍ କ୍ଷେତ୍ରରେ ଭାରତକୁ ଆସନ୍ତା ତିନି ବର୍ଷ ଭିତରେ ବିଶ୍ବର ଶ୍ରେଷ୍ଠ ତିନିଟି ଦେଶରେ ସାମିଲ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି। ଏବେ ଭାରତର ରୢାଙ୍କ ୧୩୫ ରହିଛି।
ମୁକେଶ କହିଛନ୍ତି ଯେ, ସାରା ଦୁନିଆ ଏବେ ଡିଜିଟାଲ୍ ବିପ୍ଳବ ଦେଇ ଗତି କରୁଛି। ଦିନ ଆସିବ ସଙ୍ଗୀତ, ସିନେମା, ବାଣିଜ୍ୟ, ବ୍ୟାଙ୍କିଙ୍ଗ, କାର୍, ଘର, ସ୍ବାସ୍ଥ୍ୟ ସେବା ଓ ଶିକ୍ଷା ଭଳି ଜୀବନର ପ୍ରତିଟି କ୍ଷେତ୍ରରେ ଡିଜିଟାଲ୍ ପ୍ରଯୁକ୍ତି ବ୍ୟବହାର ହେବ। ଡିଜିଟାଲ୍ ପ୍ରଯୁକ୍ତି ଅର୍ଥନୀତିର ପ୍ରତିଟି କ୍ଷେତ୍ରର କାମ କରିବା ଶୈଳୀ ଓ ଲୋକମାନଙ୍କୁ ଜୀବନକୁ ବଦଳାଇଦେବ। କୃତ୍ରିମ ବୁଦ୍ଧିମତା ଭଳି ଡିଜିଟାଲ୍ ପ୍ରଯୁକ୍ତି ଲୋକଙ୍କ ଜୀବନକୁ ଏଭଳି ବଦଳାଇଦେବ ଯାହା ମାନବ ଇତିହାସରେ କେବେ ସମ୍ଭବପର ହୋଇନଥିଲା ବୋଲି ସେ କହିଛନ୍ତି। ଓଡ଼ିଶା ବିଷୟରେ ସେ କହିଛନ୍ତି, ଏହି ରାଜ୍ୟର ପ୍ରତିଟି କୋଣ ଅନୁକୋଣରେ ଆମେ ଡିଜିଟାଲ୍ର ଶକ୍ତି ପହଞ୍ଚାଇବାକୁ ଚାହୁଁଛୁ। ଗୁଣାତ୍ମକ ଶିକ୍ଷା ଓ ସ୍ବାସ୍ଥ୍ୟ ସେବାରେ ଉନ୍ନତି ଆଣିବା, ନୂତନ ଜୀବିକା ସୁଯୋଗ ପ୍ରଦାନ କରିବା ଓ ପ୍ରତିଟି ଲୋକଙ୍କ ଦୁନିଆ ସହିତ ଯୋଡ଼ିବାକୁ ଆମେ ଚାହୁଛୁ। ଜିଓ ସେବା ରାଜ୍ୟର ସମସ୍ତ ସହର ସମେତ ୪୩ ହଜାର ଗାଁରେ ପହଞ୍ଚିଛି। ମାତ୍ର ୧୦୦ ଟଙ୍କାରେ ଗ୍ରାମାଞ୍ଚଳର ଲୋକମାନେ ଟିଭି, କ୍ୟାମେରା, ମ୍ୟୁଜିକ୍ ପ୍ଲେୟାର ଓ ରେଡିଓର ମଜା ନେଇପାରୁଛନ୍ତି। ସଂଯୋଗ ସହିତ ସୁଲଭତା ଯୋଗୁ ଏହି କାର୍ଯ୍ୟ ସମ୍ଭବ ହୋଇପାରିଛି ବୋଲି ମୁକେଶ କହିଛନ୍ତି। ରିଲାଏନ୍ସ ଫାଉଣ୍ଡେସନ୍-ଓଡ଼ିଶା ହାଇ ପରଫର୍ମାନ୍ସ ଆଥ୍ଲେଟିକ୍ସ ସେଣ୍ଟର୍ ସ୍ଥାପନ କରିବା ପାଇଁ ମଧ୍ୟ ରିଲାଏନ୍ସ ପକ୍ଷରୁ ଓଡ଼ିଶା ସରକାରଙ୍କ ସହିତ ସହଯୋଗିତା ସ୍ଥାପନ କରାଯାଇଛି। ଏହି କେନ୍ଦ୍ର ସ୍ଥାନୀୟ ଯୁବକଯୁବତୀଙ୍କୁ ତାଲିମ ପ୍ରଦାନ କରି ସେମାନଙ୍କୁ ଅଲିମ୍ପିକ୍ ମେଡାଲ୍ ଜିତିବା ପାଇଁ ପ୍ରସ୍ତୁତ କରିବ ବୋଲି ମୁକେଶ କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ଓଡ଼ିଶାରେ ମୁଣ୍ଡପିଛା ଡାଟା ବ୍ୟବହାର ଦେଶରେ ଅନ୍ୟତମ ସର୍ବାଧିକ ବୋଲି ସେ କହିଛନ୍ତି। ଏଠାରେ ଲୋକମାନେ ଶିକ୍ଷା, ଆର୍ଥିକ ସେବା, ମନୋରଂଜନ ଓ ଆହୁରି ବହୁତ କାମ ପାଇଁ ଡିଜିଟାଲ୍ ସଂଯୋଗକୁ ବ୍ୟବହାର କରୁଛନ୍ତି। ଲକ୍ଷ ଲକ୍ଷ ମହିଳାଙ୍କୁ ଡିଜିଟାଲ୍ର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ରିଲାଏନ୍ସ କାମ କରୁଛି। ଅନଲାଇନ୍ରୁ ଅଫ୍ଲାଇନ୍ କାରବାରରେ ଉନ୍ନତି ଆଣିବା କ୍ଷେତ୍ରରେ ମଧ୍ୟ ରିଲାଏନ୍ସ କାମ କରୁଛି। ଦେଶର ୩ କୋଟିରୁ ଅଧିକ କ୍ଷୁଦ୍ର ବ୍ୟବସାୟୀଙ୍କୁ ଏହା ନିଜ ନେଟୱର୍କରେ ସାମିଲ କରିଛି।
ବିଜୁ ପଟ୍ଟନାୟକ କହିଥିବା ଏକ କଥାକୁ ମୁକେଶ ମନେ ପକାଇ ଦେଇଥିଲେ। ଅତୀତରେ ବିଜୁ ପଟ୍ଟନାୟକ କହିଥିଲେ ଯେ, ଏକବିଂଶ ଶତାବ୍ଦୀ ପାଇଁ ମୋର ସ୍ବପ୍ନ ହେଉଛି, ନିଜକୁ ନେଇ ଗର୍ବିତ ଓ ବିଶ୍ବାସ ଥିବା ଯୁବକ ଯୁବତୀମାନେ ସେମାନଙ୍କ ବୁଦ୍ଧିମତା, ମସ୍ତିଷ୍କ ଓ ଦକ୍ଷତା ବଳରେ ପୁଣି ଥରେ କଳିଙ୍ଗର ଗୌରବ ଫେରାଇ ଆଣିବେ।’’
ଅଟୋ ଗ୍ରେଡ୍ ଇସ୍ପାତ ଉତ୍ପାଦନ କରିବ ସେଲ୍
ସେଲ୍ ପକ୍ଷରୁ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ୍ର ଉତ୍ପାଦନ କ୍ଷମତାକୁ ବର୍ତ୍ତମାନର ବାର୍ଷିକ ୪.୫ ନିୟୁତ ଟନ୍ରୁ ବଢ଼ାଇ ୧୦ ନିୟୁତ ଟନ୍ କରାଯିବ। ଏବାବଦରେ କଂପାନି ୪୧ ହଜାର କୋଟି ଟଙ୍କା ଖର୍ଚ କରିବ ବୋଲି ସେଲ୍ର ଅଧ୍ୟକ୍ଷ ଅନୀଲ କୁମାର ଚୌଧୁରୀ କହିଛନ୍ତି। ଏହି ସମ୍ପ୍ରସାରଣ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ରାଜ୍ୟରେ ୧୦ ହଜାର ପ୍ରତ୍ୟକ୍ଷ ଓ ୫୦ ହଜାର ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ୍ରେ କଂପାନି ଅଟୋମୋବାଇଲ୍ ଶିଳ୍ପରେ ବ୍ୟବହାର ହେଉଥିବା ମାନର ଇସ୍ପାତ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛି ବୋଲି ସେ କହିଛନ୍ତି।