ଭୁବନେଶ୍ବର ( ମୋନାଲିସା ଧଳ) : କୁହାଯାଏ, ପରିବେଶ ସୁରକ୍ଷା, ଜୀବନ ରକ୍ଷା। ମାତ୍ର ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ମଣିଷ ନିଜକୁ ନେଇ ଏତେ ବ୍ୟସ୍ତ ଯେ ତା’ପାଇଁ ପରିବେଶ ପ୍ରତି ଚିନ୍ତା କରିବାକୁ ସମୟ ନାହିଁ। ଯାହା ଫଳରେ ଆମେ ପରିବେଶକୁ ବିଭିନ୍ନ ଉପାୟରେ ପ୍ରଦୂଷିତ କରୁଥିଲେ ମଧ୍ୟ ତା’ର ସୁରକ୍ଷା ଲାଗି ଯତ୍ନବାନ ହେଉନାହୁଁ। ତେବେ ଆମ ଭିତରେ ଏପରି ବି ଲୋକ ଅଛନ୍ତି ଯେଉଁମାନେ ନିଜ କାମଧନ୍ଦା ଛାଡ଼ି ପରିବେଶର ଯତ୍ନ ନେଉଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସେମିତି ଜଣେ ବ୍ୟକ୍ତ ହେଉଛନ୍ତି ପ୍ରାଣୀପ୍ରେମୀ ବିଚିତ୍ରାନନ୍ଦ ବିଶ୍ବାଳ। ଘର ପୁରୀ ଜିଲ୍ଲାର ଅସ୍ତରଙ୍ଗ ବ୍ଲକର ଗୁଣ୍ଡଳବା ଗ୍ରାମରେ। ସେ ସ୍ଥାନୀୟ ଅଞ୍ଚଳରେ ଜଣେ ପ୍ରାଣୀପ୍ରେମୀ ଭାବେ ବେଶ୍ ପରିଚିତ। ଅଣ୍ଡାଦାନ ଲାଗି ଲକ୍ଷ ଲକ୍ଷ ସଂଖ୍ୟାରେ ଆସୁଥିବା ଅଲିଭ ରିଡଲେ କଇଁଛଙ୍କୁ ସେ ମୃତ୍ୟୁଯନ୍ତାରୁ ମୁକାଳିବା ଲାଗି ଦିନରାତି ଏକ କରି ଦେଇଛନ୍ତି। ଖାସ୍ ଏଥିଲାଗି ସେ ସମର୍ପି ଦେଇଛନ୍ତି ସାରା ଜୀବନ।
୧୯୯୪ ମସିହା। ସେତେବେଳେ ବିଚିତ୍ରାନନ୍ଦ ଅଷ୍ଟମ ଶ୍ରେଣୀରେ ପଢୁଥିଲେ। ସ୍କୁଲରୁ ଆସିଲା ପରେ ସାଙ୍ଗସାଥୀଙ୍କ ସହ ମିଶି ଘର ପାଖେ ଥିବା ସମୁଦ୍ର ବେଳାଭୂମିକୁ ଖେଳିବାକୁ ଯାଉଥିଲେ। ଯେଉଁ ସମୟରେ ତାଙ୍କର ସାଙ୍ଗସାଥୀମାନେ ଖେଳକୁଦରେ ମାତୁଥିଲେ ଓ ମଉଜ କରୁଥିଲେ, ତାଙ୍କର ଆଖି ପଡିଥିଲା ନିରୀହ କଇଁଛ ଉପରେ । ସେ ଦେଖିଲେ ଯେ ବହୁ ସଂଖ୍ୟାରେ କଇଁଛ ସମୁଦ୍ରକୂଳରେ ମରି ପଡିଛନ୍ତି। ଏହା ତାଙ୍କ ମନକୁ ଆଘାତ ଦେଇଥିଲା ଏବଂ ସେ ସେବେଠାରୁ କଇଁଛଙ୍କ ସୁରକ୍ଷାରେ ଲାଗିପଡ଼ିଲେ। ବିଚିତ୍ରାନନ୍ଦ ଭାବିଲେ, ମନୁଷ୍ୟର କିଛି ହେଇଗଲେ, ସବୁ ପ୍ରକାର ସୁବିଧା ଅଛି। ହେଲେ ଏହି ଜୀବ ମରୁଥିଲେ, ତାକୁ ସୁରକ୍ଷା ଦେବ କିଏ ? ଏହି ଚିନ୍ତା ତାଙ୍କୁ କଇଁଛଙ୍କ ସୁରକ୍ଷା ଲାଗି ଯତ୍ନବାନ କଲା। ସେ ଆରମ୍ଭ କଲେ ଏକକ ଉଦ୍ୟମ। ପାଠପଢ଼ାରେ ଡୋରି ବନ୍ଧା ହେଲା।
ନିଜ ଅଞ୍ଚଳର ଯୁବପିଢି ଓ ମହିଳାଙ୍କୁ ପ୍ରେରିତ କରି ସେ ବେଳଭୂମି ସଫେଇ ଓ କଇଁଛମାନଙ୍କୁ ସୁରକ୍ଷା ଦେବା କାର୍ଯ୍ୟ ଆରମ୍ଭ କରିଥିଲେ। ଅଣ୍ଡାଦାନ ସମୟରେ କଇଁଛଙ୍କୁ ସୁରକ୍ଷା ଦେବା, ଜନ୍ମ ପରେ ସମୁଦ୍ରରେ ଛାଡ଼ିବା ଓ ଅନ୍ୟ ଜୀବଯନ୍ତୁଙ୍କ ଆକ୍ରମଣରୁ କଇଁଛଙ୍କୁ ରକ୍ଷା କରିବା ଭଳି କାର୍ଯ୍ୟ ଜାରି ରଖିଥିଲେ। ତାଙ୍କ ଗ୍ରାମ ନିକଟରେ ସେ ‘‘ଦେବୀ ଅଣ୍ଡାଦାନ ସ୍ଥଳୀ’’ ପ୍ରତିଷ୍ଠା କରି ଦୀର୍ଘଦିନର ପରିଶ୍ରମ ପରେ ପ୍ରାୟ ୮୦ପ୍ରତିଶତ କଇଁଛ ମୃତ୍ୟୁକୁ ରୋକିବାରେ ସଫଳ ହୋଇଛନ୍ତି। ସେ ପ୍ରାୟ ୫୦ ଲକ୍ଷ କଇଁଛ ଛୁଆଙ୍କୁ ସମୁଦ୍ରରେ ସୁରକ୍ଷିତ ଭାବେ ଛାଡିଛନ୍ତି। ସେ ବ୍ୟକ୍ତିଗତ ଭାବେ ବିଭିନ୍ନ ସ୍କୁଲ୍,କଲେଜ ଯାଇ ପିଲାଙ୍କୁ ସଚେତନ କରାଇଛନ୍ତି। ଏଥିସହ ଏବେ ସେ ନିଜସ୍ବ ଉଦ୍ୟମରେ ଘରଚଟିଆଙ୍କ ପାଇଁ ପୁରୀ ଜିଲ୍ଲାର ପେଣ୍ଠକଟା ବସ୍ତିରେ ପ୍ରାୟ ୧୫୦ଟି ମାଟି ତିଆରି କୃତ୍ରିମ ବସା କରିଛନ୍ତି।
କଇଁଛଙ୍କ ସୁରକ୍ଷା ପାଇଁ ବହୁତ ସଂଘର୍ଷ କରିଛନ୍ତି ବିଚିତ୍ରାନନ୍ଦ। ସେ ଏ ନେଇ ପ୍ରଥମେ ବନବିଭାଗକୁ ଜଣାଇଥିଲେ ଏବଂ ସୁରକ୍ଷା ନିମନ୍ତେ ପଦକ୍ଷେପ ଲାଗି ଅନୁରୋଧ କରିଥିଲେ। ତେବେ ୨୦୦୦ ମସିହା ବେଳକୁ ସରକାର କଇଁଛ ସୁରକ୍ଷା ଲାଗି ପଦକ୍ଷେପ ନେଲେ। ତାଙ୍କ ସହଯୋଗରେ ଗଠିତ ମହିଳା ସଂଗଠନ ପୀର ଜାହାନିଆ ମହିଳା ବନ ସୁରକ୍ଷା ସମିତି ୨୦୧୨ ମସିହାରେ ଜୈବ ବିବିଧତା ପୁରସ୍କାର ପାଇଛି । ଏ କ୍ଷେତ୍ରରେ ଦୀର୍ଘ ତିନି ଦଶନ୍ଧି କାମ କରିବା ପରେ ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ତାଙ୍କୁ ବିଜୁ ପଟ୍ଟନାୟକ ବନ୍ୟଜନ୍ତୁ ସଂରକ୍ଷଣ ପୁରସ୍କାରରେ ସମ୍ମାନିତ କରାଯାଇଛି।