ଟ୍ରେନ୍‌ରେ ଯାତ୍ରା କରୁଥିବା ସମୟରେ ପ୍ରେମରେ ପଡ଼ିଲେ ଯୁବକ, ପ୍ରେମିକାକୁ ଖୋଜିବା ପାଇଁ ସହରରେ ଲଗାଇଲେ ୪ହଜାର ପୋଷ୍ଟର

କୋଲକତା: କୋଲକତା ଟ୍ରେନ୍‌ରେ ଜଣେ ଯୁବକ ଜଣେ ଯୁବତୀକୁ ଦେଖିବା ପରେ ପ୍ରେମରେ ପଡ଼ିଥିଲେ। ଏହାପରେ ଯୁବକ ସେହି ଯୁବତୀଙ୍କୁ ଖୋଜିବା ପାଇଁ କେନ୍ନଗର ଓ ବଲ୍ଲି ମଧ୍ୟରେ ୪୦୦୦ ପୋଷ୍ଟର ଲଗାଇଥିଲେ। କେବଳ ଏତିକି ନୁହେଁ, ଏହି ଘଟଣା ଉପରେ ୭ମିନିଟ୍‌ର ଏକ ସର୍ଟ ସିନେମା ବନାଇ ୟୁଟ୍ୟୁବ୍‌ରେ ପୋଷ୍ଟ ମଧ୍ୟ କରିଛନ୍ତି। ଏହି ପାଗଳପ୍ରେମିକ ଜଣକ ଜଣେ ସରକାରୀ କର୍ମଚାରୀ ବୋଲି ଜଣାପଡ଼ିଛି।

ବେହେଲାସ୍ଥିତ ଜୋକାରେ ରହୁଥିବା ପଶ୍ଚିମବଙ୍ଗ ରାଜ୍ୟ ପର୍ଯ୍ୟବରଣ ବିଭାଗରେ କାମ କରୁଥିବା ୨୯ବର୍ଷୀୟ ବିଶ୍ୱଜିତ ପୋଦ୍ଦାର ସଲଟ୍ଲେକରେ କାର୍ଯ୍ୟରତ। ଅଫିସ୍‌ରୁ ଘରକୁ ସେ ଟ୍ରେନ୍‌ରେ ଯିବା ଆସିବା କରନ୍ତି। ଜୁଲାଇ ମାସରେ ଗୋଟିଏ ଦିନ ସେ ଷ୍ଟେସନ୍‌ରୁ ଟ୍ରେନ୍‌ରେ ଯିବାକୁ ଅପେକ୍ଷା କରି ବସିଥିଲେ। ସେତେବେଳେ ସେ ଜଣେ ଯୁବତୀଙ୍କୁ ଦେଖିବାକୁ ପାଇଥିଲେ। ଦେଖୁଦେଖୁ ବିଶ୍ୱଜିତ ସେହି ଯୁବତୀଙ୍କ ପ୍ରେମରେ ପଡ଼ିଗଲେ। ତା’ପରେ ସେ ସେହି ଯୁବତୀଙ୍କୁ ଖୋଜିବା ପାଇଁ ୪୦୦୦ ପୋଷ୍ଟର ଲଗାଇଥିଲେ। ଏହି ପୋଷ୍ଟରରେ ବିଶ୍ୱଜିତ ମୋବାଇଲ୍‌ ନମ୍ବର ଦେବା ସହିତ ସେ ବନାଇଥିବା ସିନେମାର ୟୁଟୁବ୍‌ ଲିଙ୍କ ବି ଦେଇଛନ୍ତି।

ଏହି ଘଟଣାକୁ ନେଇ ବିଶ୍ୱଜିତ କହନ୍ତି, ‘ମୋତେ ଲୋକମାନେ ପାଗଳ ବୋଲି ଭାବୁଛନ୍ତି। ମୁଁ ଜାଣିଛି ଯାହା କରୁଛି ତାହା ବହୁତ ଅଦ୍ଭୁତ, କିନ୍ତୁ ମୁଁ କିଛି ବି କରି ପାରିବି ହେଲେ ସେହି ଯୁବତୀଙ୍କୁ ମନରୁ କାଢ଼ି ପାରିବି ନାହିଁ। ମୁଁ ତାଙ୍କୁ କୌଣସି ଅସୁବିଧାରେ ପକାଇବାକୁ ଚାହେଁ ନାହିଁ, ନା ହିଁ ତାଙ୍କୁ ବଦନାମ୍‌ କରିବାକୁ । ମୁଁ ଏହା ଏଥିପାଇଁ କରୁଛି କି, ସେ ଯୁବତୀ ଜାଣି ପାରନ୍ତୁ କି ତାଙ୍କୁ ମୁଁ ଖୋଜୁଛି। ସେ ଚାହିଁଲେ ମୋତେ ଯୋଗାଯୋଗ କରି ପାରିବେ।’

ସମ୍ବନ୍ଧିତ ଖବର