ଚଣ୍ଡିଗଡ଼ର ମଡେଲ୍‌ ବୁରେଲ୍‌ ଜେଲ୍‌ରେ ସଂଗୀତ, ସାହିତ୍ୟ, ନୃତ୍ୟ, ଚିତ୍ର ଓ ରୋଷେଇ ଆଦି ଶିକ୍ଷା ଲାଭ କରିବାର ସୁଯୋଗ ପାଉଛନ୍ତି କଏଦୀ

ଚଣ୍ଡିଗଡ଼: ଜେଲ୍‌ ପରିସରରେ ସୃଜନାତ୍ମକ ଓ ସକାରାତ୍ମକ ପରିବେଶ ସୃଷ୍ଟି କରିବା ପାଇଁ ଚଣ୍ଡିଗଡ଼ ଜେଲ୍‌ ବିଭାଗ ଏକ ନୂଆ ପଦକ୍ଷେପ ନେଇଥିବା ଜାଣିବାକୁ ମିଳିଛି। ଚଣ୍ଡିଗଡ଼ର ମଡେଲ୍‌ ବୁରେଲ୍‌ ଜେଲ୍‌ ଭିତରେ ଥିବା କଏଦୀମାନଙ୍କୁ ଏଣିକି ରୋଷେଇ, ସଂଗୀତ, ସାହିତ୍ୟ, ନୃତ୍ୟ ଓ ଚିତ୍ର ଆଦି ଶିକ୍ଷା ପ୍ରଦାନ କରାଯାଇ ବିଭିନ୍ନ ଦିଗରେ ଦକ୍ଷ କରାଯିବାର ନିଷ୍ପତ୍ତି ନିଆଯାଇଛି।

ଏଥିପାଇଁ ଜେଲ୍‌ ପରିସର ଭିତରେ ସାହିତ୍ୟ କ୍ଲବ, ଚିତ୍ର କ୍ଲବ୍‌, ସଂଗୀତ କ୍ଲବ, କବିମାନଙ୍କ କ୍ଲବ ଆଦି ରହିବା ସହ ରୋଷଇ ଶିକ୍ଷା ବି ଦିଆଯାଉଛି। ଜେଲ୍‌ର ପ୍ରତ୍ୟେକ ବାରାକରେ ଏହି କ୍ଲବ ଗଠନ କରାଯାଇଛି।

Amar Ujala

ଏହି ଜେଲ୍‌ରେ ସମୁଦାୟ ୧୫ଟି ବାରାକ୍‌ ଓ ୧ ହଜାର କଏଦୀ ଅଛନ୍ତି। ଏହା ବ୍ୟତୀତ ୧୭୦୦ ପୁସ୍ତକ ବିଶିଷ୍ଟ ଏକ ଲାଇବ୍ରେରି ବି ଗଠନ କରାଯାଇଛି ଜେଲ୍‌ ଭିତରେ। ଏହି କ୍ଲବ ଗଠନ ପରେ ଜେଲ୍‌ରେ ଥିବା କଏଦୀମାନଙ୍କ ଭିତରୁ ୩୧୦ ଜଣ ନିଜର ଆଗ୍ରହ ପ୍ରକାଶ କରିଛନ୍ତି।

କଏଦୀମାନଙ୍କ ଭିତରେ ସଂଗୀତ ପ୍ରେମ ବେଶି ଦେଖିବାକୁ ମିଳିଛି। ଅଧିକାଂଶ କଏଦୀଙ୍କ ଭିଡ଼ ସଂଗୀତ କ୍ଲବରେ ଜମୁଥିବା ଦେଖିବାକୁ ମିଳୁଛି। କେହି କେହି ନୃତ୍ୟରେ ମଧ୍ୟ ନିଜର ଆଗ୍ରହ ପ୍ରକାଶ କରିଛନ୍ତି। ଏହି କ୍ଲବ୍‌ରେ ନାମ ଲେଖାଇବା ପାଇଁ ଶିକ୍ଷାଗତ ଯୋଗ୍ୟତା ଦେଖା ଯାଉନାହିଁ।

୨୪ ଜଣ କଏଦୀ ଚିତ୍ର କ୍ଲବ୍‌ରେ ନିଜର ଆଗ୍ରହ ଦେଖାଇଥିବା ବେଳେ କେତେ ଜଣ ଏକାଧିକ କ୍ଲବରେ ମଧ୍ୟ ନିଜର ଆଗ୍ରହ ପ୍ରକାଶ କରିଥିବାର ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର