ମୁମ୍ବାଇ: ପୂର୍ବରୁ ବିମାନ ମଧ୍ୟରେ ଏକ ଶିଶୁ ଜନ୍ମ ଦେଇଥିବା ଘଟଣା ବେଶ୍ ଚର୍ଚ୍ଚା ପଲଟିଥିଲା। ଏବେ କିନ୍ତୁ ଚର୍ଚ୍ଚାର କାରଣ ଭିନ୍ନ। ଏଥର ଶିଶୁ ବିମାନ ନୁହେଁ ବରଂ ଟ୍ରେନ୍ ମଧ୍ୟରେ ଜନ୍ମ ନେଇଛି। ସୋମବାର ରାତିରେ ମୁମ୍ବାଇର ଦାଦର ଷ୍ଟେସନ୍ର ୩ ନମ୍ବର ପ୍ଲାଟଫର୍ମରେ ଟ୍ରେନ୍ଟି ଅଟକିଥିବା ବେଳେ ଟ୍ରେନ୍ ମଧ୍ୟରେ ଥିବା ଲେଡିଜ୍ କୋଚ୍ରେ ଶିଶୁ ଜନ୍ମ କରାଇଛନ୍ତି ମୁମ୍ବାଇର ‘ଓ୍ଵାନ୍ ରୁପି କ୍ଲିନିକ୍’ର ଡାକ୍ତର। ଶିଶୁ କନ୍ୟାଟିକୁ ଜନ୍ମ ଦେଇଛନ୍ତି ସଲମା ଶେଖ।
Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖଯୋଗ୍ୟ, ୨୬ ବର୍ଷୀୟା ସଲ୍ମା ଶେଖ୍ ମୁମ୍ବାଇର ଲୋକାଲ ଟ୍ରେନ୍ରେ କଲ୍ୟାଣରୁ ଛତ୍ରପତି ଶିବାଜୀ ଟର୍ମିନସ୍ ପର୍ଯ୍ୟନ୍ତ ଯିବାପାଇଁ ଚଢ଼ିଥିଲେ। ଟ୍ରେନ୍ଟି ଯାଇ ଦାଦର ଷ୍ଟେସନ୍ ପାଖାପାଖି ପହଞ୍ଚିଥିବା ବେଳେ ମହିଳାଙ୍କ ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା। ସେ ସେଠାରେ ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲେ। ସଲ୍ମାଙ୍କୁ ତାଙ୍କର ସହଯାତ୍ରୀମାନେ ଖୁବ୍ ସମବେଦନା ଦେଇ ସାହାଯ୍ୟ କରିଥିଲେ।
ସହଯାତ୍ରୀମାନେ ନିଜର ଉପସ୍ଥିତ ବୁଦ୍ଧି ଖଟାଇ ତୁରନ୍ତ ରେଳବାଇ ପୁଲିସ୍ରେ ଏ ସଂପର୍କରେ ସୂଚନା ପ୍ରଦାନ କରିଥିଲେ। ରେଳବାଇ ପକ୍ଷରୁ ତୁରନ୍ତ ରେଳ ଦ୍ୱାରା ପରିଚାଳିତ ‘ଓ୍ଵାନ୍ ରୁପି କ୍ଲିନିକ୍’ର ଡାକ୍ତରଙ୍କ ସହ ଆବଶ୍ୟକୀୟ ଷ୍ଟାଫ୍ ପ୍ରସୂତୀ ଥିବା କମ୍ପାର୍ଟମେଣ୍ଟ୍କୁ ପଠାଯାଇଥିଲା।
ଡାକ୍ତର ପ୍ରଜ୍ଜ୍ୱଲିତ୍ କାମ୍ବଲି ସଲମାଙ୍କ ଅବସ୍ଥା ଦେଖିବା ପରେ ଜାଣିବାକୁ ପାଇଲେ ଯେ ସଲ୍ମା ଶେଷ ପର୍ଯ୍ୟୟରେ ଅଛନ୍ତି। ସେ ପରିସ୍ଥିତିରେ କୌଣସି ନିକଟସ୍ଥ ଡାକ୍ତଖାନାକୁ ନେବା ସମ୍ଭବ ନୁହେଁ। ଡାକ୍ତରଖାନା ନେବା ବାଟରେ ହୁଏତ ଶିଶୁ ଜନ୍ମ ନେଇ ଯାଇଥାନ୍ତା। ସେଥିପାଇଁ ସେ ସେହି ସ୍ଥାନରେ ହିଁ ପିଲା ଜନ୍ମ କରାଇବାକୁ ଉପଯୁକ୍ତ ମଣିଲେ। ତେଣୁ, ସେ ଉକ୍ତ ଲେଡିଜ୍ କମ୍ପାର୍ଟମେଣ୍ଟ୍ ମଧ୍ୟରେ ପ୍ରସବ କରିବାକୁ ନିଷ୍ପତ୍ତି ନେଲେ। ଡାକ୍ତରଙ୍କ ସହ ଥିଲେ କନେଷ୍ଟବଲ୍ ନୀତା ମାଝୀ, ନର୍ସ ସଞ୍ଜିବନୀ ପୌଡଓ୍ଵାଲ ଏବଂ ଅନ୍ୟ ସହଯୋଗୀ।
ଡାକ୍ତରଙ୍କ ଉଦ୍ୟମ କ୍ରମେ ସଲ୍ମାଙ୍କ ଶିଶୁ କନ୍ୟା ରାତି ୧୦.୧୭ ସମୟରେ ଜନ୍ମ ନେଇଥିଲା। ପିଲା ଜନ୍ମ ପରେ ସଲ୍ମାଙ୍କୁ କେଇଏମ୍ ହସ୍ପିଟାଲ୍କୁ ନିଆଯାଇଥିଲା। ଉଭୟ ମାଆ ଓ ଶିଶୁ ଏବେ ସୁସ୍ଥ ଅଛନ୍ତିି।
ନର୍ସ ସଞ୍ଜିବନୀ ପୌଡଓ୍ଵାଲ୍ ଗଣମାଧ୍ୟମକୁ କହିଛନ୍ତି ଯେ ‘ଆମେ କେବେ ଭାବି ନ ଥିଲୁ ଯେ ଏପରି ପରିସ୍ଥିତି ଥିବ। ଆମେ ଚିନ୍ତା କରିଥିଲୁ ଯେ କେବଳ ପ୍ଲାଟଫର୍ମ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ମହିଳାଙ୍କୁ ସାହଯ୍ୟ କରିବା ପରେ ଆମେ ତାଙ୍କୁ ପରେ ନିକଟସ୍ଥ ହସ୍ପିଟାଲକୁ ନେଇଯାଇ ଥାଆନ୍ତୁ। ମାତ୍ର ପରିସ୍ଥିତି ଏପରି ଥିଲା କି ଆମେ ଯାହା ଚିନ୍ତା କରିଥିଲୁ ତାହା କରିପାରିଲୁ ନାହିଁ। ସକ୍ରିୟ ସହଯାତ୍ରୀମାନଙ୍କୁ ସାଲ୍ୟୁଟ୍। ଯେଉଁମାନଙ୍କ ପାଇଁ ମହିଳା ଜଣକ ସଂପୂର୍ଣ୍ଣ ବିପଦମୁକ୍ତ।’
Mumbai: 26-year-old woman delivered a baby with assistance of doctor of One Rupee Clinic & woman RPF on a platform at Dadar station y’day pic.twitter.com/ch4xBxYPKu
— ANI (@ANI) October 10, 2017
କେନ୍ଦ୍ର ରେଳବାଇର ଏହା ଅନ୍ୟ ଏକ ସଫଳତା। ଟ୍ରେନ୍ ମଧ୍ୟରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ତୁରନ୍ତ ସେବା ଯୋଗାଇ ଥିବାରୁ ରେଳବାଇ ସେବାକୁ ସହଯାତ୍ରୀମାନେ କୃତଜ୍ଞତା ଜ୍ଞାପନ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଉପରେ ଉଲ୍ଲେଖ କରାଯାଇଥିବା କ୍ଲିନିକ୍ର ନାମ ଏଥିପାଇଁ ‘ଓ୍ଵାନ୍ ରୁପି କ୍ଲିନିକ୍’ କାରଣ ସେଠାରେ ପରାମର୍ଶ ଏବଂ ରକ୍ତଚାପ ପରୀକ୍ଷା ପାଇଁ ମାତ୍ର ୧୨ ଟଙ୍କା ଦେବାକୁ ପଡ଼ିଥାଏ। ବାକି ରୋଗ ସକାଶେ ମଧ୍ୟ ଫି ଶସ୍ତା ରହିଛି।