ଇନ୍ଦୋର: ସାଧାରଣରେ ଆମେ ଯଦି ଜେଲ୍ କଥା ଭାବୁ ତାହେଲେ ମନରେ ଭୟ ଆସିଯାଏ । ଆଖି ଆଗକୁ ଚାଲିଆସେ ପୋଡା ରୁଟି, ପାଣିଆ ଡାଲି, ଧଳା ପୋଷାକ ଓ ଅନ୍ଧାର କୋଠରୀ । ଏହି ପରି ଦୃଶ୍ୟ ଆମ ଆଖି ସାମ୍ନାକୁ ଚାଲି ଆସେ, କିନ୍ତୁ ଆମ ଭାରତରେ ଏପରି ଏକ ଜେଲ୍ ଅଛି ଯେଉଁଠାରେ କଏଦୀ ଅତି ଆନନ୍ଦରେ ଜୀବନଯାପନ କରିଥାନ୍ତି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ମୁକ୍ତ ଜେଲ୍ ଅଛି ଯେଉଁଠାରେ କଏଦୀମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଆପାଟମେଣ୍ଟ ନିର୍ମାଣ କରାଯାଇଛି । ପ୍ରତି ଆପାଟମେଣ୍ଟରେ ଦୁଇଟି ଲେଖାଏଁ ରୁମ୍ ଅଛି। ଏଠାରେ କଏଦୀମାନେ ତାଙ୍କ ପତ୍ନୀ ଓ ପିଲାଙ୍କ ସହ ରହିପାରିବେ । ଖାଲି ଏତିକି ନୁହେଁ, ଏଠାରେ କଏଦୀମାନଙ୍କୁ ବାହାରକୁ ବୁଲିବାକୁ ଯିବା ପାଇଁ ଓ ବାହାରେ କାମ କରିବା ପାଇଁ ମଧ୍ୟ ସୁବିଧା ଦିଆଯାଏ ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଜେଲ୍ର ନାମ ହେଉଛି ‘ଅହଲ୍ୟାବାଈ ଓପନ୍ କଲୋନି’ । ଜେଲ୍ର ସୁପରିଟେଣ୍ଡେଣ୍ଟଙ୍କ କହିବା ଅନୁଯାୟୀ, ଭାରତେରେ ବହୁତ ଖୋଲା ଜେଲ ଅଛି ଯେଉଁଠାରେ କଏଦୀମାନଙ୍କୁ ବାହାରକୁ ବୁଲିବାକୁ ଛଡାଯାଏ । କିନ୍ତୁ ଭାରତରେ ଏହା ପ୍ରଥମ ଜେଲ ଯେଉଁଠାରେ କଏଦୀମାନଙ୍କୁ ବାହାରକୁ କାମ କରିବା ପାଇଁ ଛାଡିବା ସହ ନିଜ ପରିବାରଙ୍କ ସହ ରହିବା ପାଇଁ ମଧ୍ୟ ସୁବିଧା ଦିଆଯାଏ । ଭୁପିନ୍ଦର ସିଂ ନାମଙ୍କ ଜଣେ କଏଦୀ ହତ୍ୟା ଅଭିଯୋଗରେ ୧୨ ବର୍ଷ ଜେଲ୍ ଦଣ୍ଡ ଭୋଗି ସାରିଲେଣି ବିଭିନ୍ନ ଜେଲରେ। ତାଙ୍କ କହିବା କଥା, ସେ ଯେବେଠାରୁ ଏହି ଜେଲ୍କୁ ଆସିଲେ ତାଙ୍କ ଭାଗ୍ୟ ବଦଳି ଗଲା। ତାଙ୍କୁ ଏପରି ଅନୁଭବ ହେଉଛି ଯେପରି ତାଙ୍କୁ ଜାମିନ ମିଳିଯାଇଛି । ଏହି କଲୋନିରେ ବଛା ବଛା କଏଦୀଙ୍କୁ ରହିବା ପାଇଁ ସ୍ଥାନ ମିଳିଥାଏ, ଯେଉଁମାନଙ୍କୁ ଆଜୀବନ କାରାଦଣ୍ଡ ମିଳିଥାଏ। କିନ୍ତୁ ନିଜର ଉତ୍ତମ ବ୍ୟବହାର ପାଇଁ ତାଙ୍କ ଦଣ୍ଡ କମ୍ କରାଯାଇଥାଏ କିମ୍ବା ଦୁଇ ତିନି ବର୍ଷ ମଧ୍ୟରେ ସଜ୍ଜା ପୂରା ହେବାକୁ ଥାଏ ସେହି କଏଦୀମାନଙ୍କୁ ଏହି ସୁବିଧା ମିଳିଥାଏ । ଅପରାଧୀଙ୍କୁ ଉତ୍ତମ ନାଗରିକ ବନାଇବା ଏହାର ଅସଲ ଉଦ୍ଦେଶ୍ୟ ଅଟେ ।