କୃଷ୍ଣଙ୍କ ଗୋପଲୀଳା ବିଷୟରେ ତ ଅଳ୍ପ-ବହୁତ ଜ୍ଞାନ ନିଶ୍ଚୟ ଥିବ। ସାରା ଗୋପବାସୀଙ୍କୁ ନିଜର ସ୍ନେହରେ ବାନ୍ଧି ଦେବା ପରେ ଗୋପ ଛାଡ଼ି ମଥୁରା ଯିବା ବେଳେ କୃଷ୍ଣଙ୍କୁ ଝୁରି ଖାଲି ଗୋପବାସୀ କାହିଁକି, ଯମୁନା ଓ କଦମ୍ବ ବି ଲୁହ ଝରାଉଥିଲେ। ମାମୁ କଂସ ମଥୁରାରେ ଧନୁଯାତ୍ରା କରି କପଟରେ ଭଣଜା କୃଷ୍ଣଙ୍କୁ ଯାତ ଦେଖି ଯିବାକୁ ଡକାଇ ପଠାଇଥିଲେ। ମାମୁ ଡାକରା ପାଇବା ମାତ୍ରେ ଗୋପଛାଡ଼ି ମଥୁରା ଯିବାକୁ ପ୍ରସ୍ତୁତ ହେଉଥାନ୍ତି କୃଷ୍ଣ। କୃଷ୍ଣଙ୍କ ବହାରିବା ମାତ୍ରେ ସାରା ଗୋପବାସୀ କୃଷ୍ଣଙ୍କ ପଥ ଅବରୋଧ କରି ଅଟକାଇବାକୁ ଲାଗିଲେ। ମାତ୍ର ସେମାନଙ୍କ ମେଳରେ ରାଧା ନ ଥିଲେ। ରାଧାଙ୍କୁ ମନେ ମନେ ଖୋଜୁଥିଲେ ମୁରଲୀଧର।
Sambad is now on WhatsApp
Join and get latest news updates delivered to you via WhatsApp
ଅଧାବାଟ ଯିବା ପରେ ବାଟରେ ଠିଆ ହୋଇଥିଲେ ରାଧା । ହାତରେ ଧରି ଥିଲେ ଅର୍ଘ୍ୟ ଥାଳି। କୃଷ୍ଣଙ୍କୁ ବନ୍ଦାପନା କରି ବିଦା ଦେବା ବେଳେ କୃଷ୍ଣ ରାଧାକୁ କହିଲେ କି, ତୁମେ ମୋତେ ଅଟକାଇବନି ତ ରାଧେ? ରାଧା ଯାହା କହିଥିଲେ କୃଷ୍ଣ ସେଥିରେ ଖୁବ୍ ଆନନ୍ଦିତ ହୋଇଥିଲେ। ରାଧା କହିଥିଲେ କି, ‘ସଂକୀର୍ଣ୍ଣ ସ୍ୱାର୍ଥଠାରୁ ସମୂହ ସ୍ୱାର୍ଥ ମହାନ ହୋଇଥାଏ। ମୋ ଖୁସି ପାଇଁ ମୁଁ ଜଗତ ମଙ୍ଗଳ ପାଇଁ ବାହାରୁଥିବା କୃଷ୍ଣଙ୍କୁ ଅଟକାଇବି ନାହିଁ। ଜଗତ୍ କଲ୍ୟାଣ ପାଇଁ ଯାହାଙ୍କ ଜନ୍ମ ସେ କଲ୍ୟାଣ ହିଁ କରନ୍ତୁ। ମୋ ପ୍ରେମ ପାଇଁ ମୁଁ ସ୍ୱାର୍ଥୀ ହୋଇପାରିବି ନାହିଁ।’
ରାଧାଙ୍କ ମୁହଁରୁ ଏକଥା ଶୁଣିବା ପରେ କୃଷ୍ଣ ଅତ୍ୟନ୍ତ ଖୁସି ହୋଇ ଯାଇଥିଲେ। ସେ ତାଙ୍କୁ ଏକ ସୁନ୍ଦର ଉପହାର ଦେଇଥିଲେ। ଯାହା ଆଜି ବି ରାଧାଙ୍କ ସହ ରହିଛି। କୃଷ୍ଣ ଦେଇଥିବା ଉପହାରଟି ହେଉଛି ତାଙ୍କ ନାମ। କୃଷ୍ଣଙ୍କ କହିଥିଲେ , ‘ହେ ରାଧେ ଆଜିଠାରୁ ମୋ ନାମ ପୂର୍ବରୁ ଲୋକେ ତୁମ ନାମ ନେବେ। ମୋ ନାମ ସହ ତୁମ ନାମ ବି ଅମର ହେବ। ଅାଜିଠାରୁ ଲୋକେ କୃଷ୍ଣ-ରାଧା ନୁହେଁ ବରଂ ରାଧା-କୃଷ୍ଣ କହିବେ। ମୋଠାରୁ ଆଗ ତୁମେ ଆସିବ।’ ବିଶ୍ବାସ କରାଯାଏ ସେଦିନ ଠାରୁ ଉଭୟଙ୍କ ନାମକୁ ଯେତେବେଳେ ବି ଏକତ୍ର ଉଚ୍ଚାରଣ କରାଯାଏ, ପ୍ରଥମେ କୃଷ୍ଣଙ୍କ ନାମ ବଦଳରେ ରାଧାଙ୍କ ନାମ ନିଆଯାଏ।