ଶ୍ରୀଜଗନ୍ନାଥଙ୍କ ‘ନନ୍ଦିଘୋଷ’ର ଋଷିପଟା

0 47

ଶ୍ରୀଜଗନ୍ନାଥଙ୍କ ‘ନନ୍ଦିଘୋଷ’ ରଥର ଋଷିପଟାରେ ଅବସ୍ଥାନ କରୁଥିବା ଅଷ୍ଟଋଷି ହେଉଛନ୍ତି- ନାରଦ, ଦେବଳ, ଶୁକ, ବ୍ୟାସ, ପରାଶର, ବଶିଷ୍ଠ, ବିଶ୍ୱାମିତ୍ର ଓ ରୁଦ୍ର। ତେବେ କେତେକ ଆଲୋଚକଙ୍କ ଲେଖାରେ ଏମାନଙ୍କ ମଧ୍ୟରୁ କେବଳ ନାରଦ ସ୍ଥାନ ପାଇଛନ୍ତି। ଅନ୍ୟ ସପ୍ତଋଷିଙ୍କର ମଧ୍ୟରେ ଅଛନ୍ତି ଅମ୍ବରୀଷ, ଜୈମିନୀ, ଅଙ୍ଗିରା, ପଣ୍ଡୁ, ମାର୍କଣ୍ଡେୟ, ପୌଲସ୍ତ୍ୟ ଓ ଭାର୍ଗବ।

ନନ୍ଦିଘୋଷ ରଥର ଅଷ୍ଟଋଷିଙ୍କ ସଂକ୍ଷିପ୍ତ ବିବରଣୀ ଏହିପରି-

୧. ନାରଦ: ‘ହରିବଂଶ’ ଅନୁସାରେ ବ୍ରହ୍ମା ପ୍ରଜାସୃଷ୍ଟି କରିବାକୁ ଇଚ୍ଛା କରି ପ୍ରଥମେ ମରୀଚି, ଅତ୍ରି ଓ ସ୍କନ୍ଦ ପ୍ରଭୃତିଙ୍କୁ ଏବଂ ପରେ ସନକ, ସନନ୍ଦନ, ସନାତନ, ସନତ୍‌କୁମାର, ନାରଦ ଓ ରୁଦ୍ରଦେବଙ୍କୁ ସୃଷ୍ଟି କରିଥିଲେ। ଏଣୁ ନାରଦ ବ୍ରହ୍ମାଙ୍କର ମାନସପୁତ୍ର। ‘ବ୍ରହ୍ମବୈବର୍ତ୍ତ ପୁରାଣ’ ଅନୁସାରେ, ସେ ବ୍ରହ୍ମାଙ୍କ କଣ୍ଠରୁ ଜାତ ହୋଇଥିଲେ।

କିନ୍ତୁ ଯେଉଁ ପ୍ରଜାସୃଷ୍ଟି ଉଦ୍ଦେଶ୍ୟରେ ବ୍ରହ୍ମା ନାରଦଙ୍କୁ ଜାତ କରିଥିଲେ, ସେଥିରେ ନାରଦ ସମ୍ମତ ହେଲେନାହିଁ। ସେ ଦେଖିଲେ, ସୃଷ୍ଟିକର୍ମରେ ପ୍ରବୃତ୍ତ ହେଲେ ନାରାୟଣଙ୍କ ନାମସ୍ମରଣରେ ବାଧା ଉପୁଜିବ। ତେଣୁ ବ୍ରହ୍ମା ତାଙ୍କ ଉପରେ କ୍ଷୁବ୍‌ଧ ହେଲେ। ସେ ଅହରହ ଘୂରିବୁଲିବେ ବୋଲି ଅଭିଶାପ ଦେଲେ। କିନ୍ତୁ ତାହା ସତ୍ତେ୍ଵ, ନାରଦ ପ୍ରଭୁଭକ୍ତିରୁ ବିଚ୍ୟୁତ ହୋଇନଥିଲେ। ତାଙ୍କର ଆତ୍ମା ଥିଲା ନାରାୟଣମୟ। ସେ ଥିଲେ ‘ସାଯୁଜ୍ୟ’ ଭକ୍ତିର ଏକ ମୂର୍ତ୍ତିିମନ୍ତ ବିଗ୍ରହ। ସେହି ଧାରାରେ ରହି ସେ ଦିବ୍ୟଜ୍ଞାନର ଅଧିକାରୀ ହୋଇ ପାରିଥିଲେ। ଭକ୍ତିତତ୍ତ୍ଵପୂର୍ଣ୍ଣ ଗ୍ରନ୍ଥ ‘ନାରଦ ପଞ୍ଚରାତ୍ର’ର ସେ ରଚୟିତା ବୋଲି ଶାସ୍ତ୍ର-ଉଲ୍ଲେଖ ରହିଛି। ଦସ୍ୟୁ ରତ୍ନାକରଙ୍କୁ ରାମନାମ ଦୀକ୍ଷା ଦେଇ ସେ ବାଲ୍ମୀକି କରିଥିଲେ ବୋଲି ମଧ୍ୟ ଆଖ୍ୟାନ ଅଛି। ଦେବର୍ଷି ଭାବରେ ସେ ସୁଖ୍ୟାତ। ନିଜର ସାଯୁଜ୍ୟ ଭକ୍ତିଯୋଗୁ ନାରଦ ଶ୍ରୀଜଗନ୍ନାଥଙ୍କ ରଥର ଋଷିପଟାରେ ସ୍ଥାନ ପାଇଛନ୍ତି।

୨. ଦେବଳ: ପ୍ରଜାପତି ବ୍ରହ୍ମା ପ୍ରଜାବୃଦ୍ଧି କରିବା ନିମନ୍ତେ ନିଜ ଶରୀରର ବିଭିନ୍ନ ଅଙ୍ଗରୁ ଯେଉଁସବୁ ଋଷିଙ୍କୁ ଜାତ କରିଥିଲେ ସେମାନଙ୍କ ମଧ୍ୟରୁ ପ୍ରଚେତା ଜଣେ। ତାଙ୍କର ଦୁଇପୁତ୍ର- ଶ୍ରୀମନ୍‌ ଓ ଅସିତ। ଅସିତ ମୁନିଙ୍କର କୌଣସି ସନ୍ତାନ ନହେବାରୁ ସେ ଶିବଙ୍କୁ ତପସ୍ୟା କଲେ। ମହାମାୟାଙ୍କୁ ତପସ୍ୟା କରିବାକୁ ଶିବ ତାଙ୍କୁ କହିଲେ ଏବଂ ସେ ତପସ୍ୟାରେ ମହାମାୟାଙ୍କୁ ତୁଷ୍ଟ କଲେ। ସେ ଏକ ଅମିତ ତେଜବାନ୍‌ ପୁତ୍ର ଲାଭ କରିବେ ବୋଲି ମହାମାୟା ତାଙ୍କୁ ବରଦେଲେ। ଅସିତଙ୍କର ପୁତ୍ର ହୋଇଥିବାରୁୁ ତାଙ୍କର ନାମ ହେଲା ଅସିତଦେବଳ। ସେ ସୁନ୍ଦର ଓ ଜ୍ଞାନବନ୍ତ ଭାବରେ ଖ୍ୟାତ ହେଲେ। କିନ୍ତୁ ସେ ସାଂସାରିକ ବାସନାର ଊଦ୍ଧ୍ଵର୍ରେ ଥିଲେ। ତେଣୁ ସ୍ୱର୍ଗଲୋକର ଅପ୍ସରୀ ରମ୍ଭାଙ୍କର ରତିଭିକ୍ଷାକୁ ଥରେ ଅସ୍ୱୀକାର କରିବାରୁ, ରମ୍ଭାଙ୍କ ଅଭିଶାପରେ ତାଙ୍କର ଶରୀର ବିକୃତ ଓ ବକ୍ର ହୋଇଗଲା। ସେ ହେଲେ ଅଷ୍ଟାବକ୍ର। କିନ୍ତୁ ତପ ଓ ଦିବ୍ୟଜ୍ଞାନ ସହିତ ଈଶ୍ୱରଭକ୍ତି ତାଙ୍କୁ ସୁଖ୍ୟାତ କଲା। ପରିଶେଷରେ ଦିନେ ଶ୍ରୀକୃଷ୍ଣଙ୍କୁ ସ୍ତୁତି କରିବା ସମୟରେ ସେ ଦିବ୍ୟଗତି ଲାଭ କଲେ। ସେ ଶ୍ରୀକୃଷ୍ଣଙ୍କର ଏପରି ପ୍ରିୟ ଥିଲେ ଯେ ତାଙ୍କର ଶବକୁ ଦୃଢ଼ ଆଲିଙ୍ଗନ କରି ଶ୍ରୀକୃଷ୍ଣ ଶୋକରେ ବିହ୍ଵଳ ହୋଇଗଲେ। ତାଙ୍କ ବକ୍ଷଦେଶର ଉଷ୍ମତାରେ ଅଷ୍ଟାବକ୍ର ଭସ୍ମରେ ପରିଣତ ହେଲେ। ଶ୍ରୀରାଧା ସେ ସଂପର୍କରେ ପଚାରିବାରୁ ଶ୍ରୀକୃଷ୍ଣ ତାଙ୍କୁ କହିଥିଲେ- ଅଷ୍ଟାବକ୍ରଙ୍କ ପରି ମୋର ଭକ୍ତ ଆଗରୁ କେହି ନାହାନ୍ତି କି ପରେ କେବେ ଆସିବେ ନାହିଁ।

ଏହି ଦୃଷ୍ଟିରୁ ଅସିତ ଦେବଳ ବା ଅଷ୍ଟାବକ୍ର ଶ୍ରୀଜଗନ୍ନାଥଙ୍କ ରଥର ଋଷିପଟାରେ ସ୍ଥାନ ପାଇଛନ୍ତି।

୩. ଶୁକ: ବେଦର ବିଭାଗକର୍ତ୍ତା କୃଷ୍ଣ ଦେ୍ଵପାୟନ ବ୍ୟାସଙ୍କର ପୁତ୍ର ହେଉଛନ୍ତି ଶୁକମୁନି। ପଞ୍ଚମହାଭୂତ- ଅର୍ଥାତ୍‌ ଭୂମି, ଜଳ, ଅଗ୍ନି, ବାୟୁ ଓ ଆକାଶ ପରି ଶୁଦ୍ଧ ଓ ଶକ୍ତିମାନ୍‌ ପୁତ୍ରଟିଏ ପାଇବାପାଇଁ ବ୍ୟାସଦେବ ମହାଦେବଙ୍କୁ ତପସ୍ୟା କରି ତାଙ୍କୁ ପାଇଥିଲେ। ପୁତ୍ର ପରମ ବୈଷ୍ଣବ ହେବ ବୋଲି ମଧ୍ୟ ମହାଦେବ ତାଙ୍କୁ ବର ଦେଇଥିଲେ। ସେ ଏପରି ବିଶେଷତ୍ଵର ଅଧିକାରୀ ଥିଲେ ଯେ ଜନ୍ମଗ୍ରହଣ କରିବା ପରେ ଗଙ୍ଗା ଆସି ତାଙ୍କୁ ନିଜର ପବିତ୍ର ଜଳରେ ସ୍ନାନ କରାଇଥିଲେ। ଆକାଶ ତାଙ୍କୁ ଦଣ୍ଡ ଓ କୃଷ୍ଣମୃଗ ଚର୍ମ ପ୍ରଦାନ କରିଥିଲେ। ବାୟୁ ତାଙ୍କ ଉପରେ ଦିବ୍ୟ ପୁଷ୍ପ ବର୍ଷଣ କରିିଥିଲେ। ଇନ୍ଦ୍ର ତାଙ୍କୁ ଅଦ୍ଭୁତ କମଣ୍ଡଳୁ ଓ ଦେବଯୋଗ୍ୟ ବସ୍ତ୍ର ପ୍ରଦାନ କରିଥିଲେ।

କାଳକ୍ରମେ ଶୁକଦେବ ଦେବଗୁରୁ ବୃହସ୍ପତିଙ୍କୁ ଗୁରୁ କରି ବେଦ ଓ ଅନ୍ୟ ସମସ୍ତ ବିଦ୍ୟାରେ ଧୂରୀଣ ହେଲେ। ରାଜର୍ଷି ଜନକଙ୍କ ଠାରୁ ମଧ୍ୟ ସେ ଉପଦେଶ ଗ୍ରହଣ କରିବା ସହିତ ମୋକ୍ଷଧର୍ମ ଶିକ୍ଷା କରି ବ୍ରହ୍ମତେଜ ଲାଭ କରିଥିଲେ। କୈଳାସ ଶିଖରରେ ତପସ୍ୟା କରି ଯୋଗ ବଳରେ ବାୟୁମଣ୍ଡଳର ଊଦ୍ଧ୍ଵର୍କୁ ଯାଇ ସେ ବ୍ରହ୍ମତ୍ଵଲାଭ କରିଥିଲେ। ତାହା ଫଳରେ ପିତା ବ୍ୟାସଦେବ ଓ ପୁତ୍ର ଶୁକଦେବ ଉଭୟଙ୍କର ଗୌରବ ସଚରାଚର ପରିବ୍ୟାପ୍ତ ହୋଇଥିଲା।

ଶୁକଦେବ ଥିଲେ ସମଦର୍ଶୀ ଓ ନିର୍ବିକାର। ଏହି ସ୍ୱଭାବ ସହିତ ହୃଦୟରେ ସଦାସର୍ବଦା ଶ୍ରୀକୃଷ୍ଣଙ୍କ ପ୍ରତି ଭକ୍ତି ଯୋଗୁଁ ନନ୍ଦିଘୋଷର ଋଷିପଟାରେ ସେ ସ୍ଥାନ ପାଇଛନ୍ତି। (କ୍ରମଶଃ)

-ଅସିତ ମହାନ୍ତି

ସମ୍ବନ୍ଧିତ ଖବର

Leave A Reply

Your email address will not be published.