ପୁଲହ, ପୁଲସ୍ତ୍ୟ, ଅତ୍ରି, ଅଙ୍ଗିରା ଓ ଅଗସ୍ତ୍ୟଙ୍କ ପରି ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥର ଋଷିପଟାରେ ସ୍ଥାନପାଇଥିବା ଅନ୍ୟ ତିନି ଋଷି ହେଉଛନ୍ତି- କୃଷ୍ଣ, ମୁଦ୍ଗଲ ଓ କଶ୍ୟପ। ସେମାନଙ୍କର ସଂକ୍ଷିପ୍ତ ବିବରଣୀ ଏହିପରି-
Sambad is now on WhatsApp
Join and get latest news updates delivered to you via WhatsApp
୬. କୃଷ୍ଣ: ବ୍ୟାସକୃତ ‘ମହାଭାରତ’ ବା ‘ଭାଗବତ’ର ଭଗବାନ ଶ୍ରୀକୃଷ୍ଣ ଏ ନୁହନ୍ତି- ଏ ‘ସ୍କନ୍ଦପୁରାଣ’ ବର୍ଣ୍ଣିିତ ତପସ୍ୱୀ କୃଷ୍ଣ। ‘ରାମକୃଷ୍ଣ’ ରୂପେ ମଧ୍ୟ ସେ ପରିଚିତ। ଭେଙ୍କଟାଚଳପର୍ବତ ଉପରେ ସେ ସହସ୍ର ବର୍ଷ କଠୋର ତପସ୍ୟା କରିଥିଲେ। ସେ ଏପରି ନିଶ୍ଚଳ ଭାବରେ ଧ୍ୟାନସ୍ଥ ରହିଲେ ଯେ ତାଙ୍କ ଉପରେ ଉଈହୁଙ୍କା ମାଡ଼ିଗଲା। ଇନ୍ଦ୍ର ସେହି ଦୃଢ଼ ତପସ୍ୟାରେ ବିଚଳିତ ହୋଇ ତାଙ୍କର ତପଭଙ୍ଗ କରିବାକୁ ଘୋର ବର୍ଷା କଲେ। କିନ୍ତୁ ସେଥିରେ ତାଙ୍କର ତପଭଙ୍ଗ ନହେବାରୁ ତାଙ୍କ ଉପରେ ବଜ୍ର ପ୍ରହାର କଲେ। କିନ୍ତୁ ତାହାକୁ ବି ସେ ତପଶକ୍ତି ବଳରେ ସହ୍ୟ କରିଗଲେ। ଶେଷରେ ଭଗବାନ ବିଷ୍ଣୁ ତାଙ୍କ ସମ୍ମୁଖରେ ଆବିର୍ଭୂତ ହେଲେ ଏବଂ ତାଙ୍କର ତପସ୍ୟା ଯୋଗୁଁ ସେହି ସ୍ଥାନ ଅତ୍ୟନ୍ତ ପବିତ୍ର ହୋଇଛି ବୋଲି କହିଲେ। ବିଷ୍ଣୁଙ୍କ ବରରେ ସେହି ସ୍ଥାନ ‘କୃଷ୍ଣତୀର୍ଥ’ରେ ପରିଣତ ହେଲା। ସୂର୍ଯ୍ୟ ମକର ରାଶିରେ ଅବସ୍ଥାନ କରୁଥିବାବେଳେ, ପୁଷ୍ୟା ନକ୍ଷତ୍ରଯୁକ୍ତ ପୂର୍ଣ୍ଣିିମା ମହାତିଥିରେ ସେଠାରେ ସ୍ନାନ କରିବା ଅଶେଷ ପୁଣ୍ୟଦାୟକ ଭାବରେ ବିବେଚିତ ହେଲା।
୭. ମୁଦ୍ଗଲ: କୁରୁକ୍ଷେତ୍ରବାସୀ ଜଣେ ଋଷି ହେଉଛନ୍ତି ମୁଦ୍ଗଲ। ଭଗବାନ ବିଷ୍ଣୁଙ୍କର ଏକନିଷ୍ଠ ଭକ୍ତ ଏହି ଋଷିଙ୍କଠାରୁ ମୌଦ୍ଗଲ୍ୟ ବ୍ରାହ୍ମଣବଂଶର ଉତ୍ପତ୍ତି ହୋଇଛି। ସେ ଉଚ୍ଛ ବୃତ୍ତିଧାରୀ ଥିଲେ ଏବଂ ଅମାବାସ୍ୟା ଓ ପୂର୍ଣ୍ଣିିମାରେ ଯଜ୍ଞ କରିବା ପରେ ପ୍ରଥମେ ଅତିଥିଙ୍କୁ ଅନ୍ନ ଦାନ କରି, ତା’ପରେ ପରିବାର ସହ ଭୋଜନ କରୁଥିଲେ। ତେଣୁ ପ୍ରତି ପକ୍ଷରେ ସେ ଓ ତାଙ୍କର ପରିବାର ଥରେ ମାତ୍ର ଆହାର କରୁଥିଲେ।
ତାଙ୍କୁ ପରୀକ୍ଷା କରିବାକୁ ଦିନେ ଦୁର୍ବାସା ଋଷି ଆସି ସେଠାରେ ପହଞ୍ଚିଲେ ଏବଂ ସମସ୍ତ ଅନ୍ନ ଭକ୍ଷଣ କରିଦେବା ସହିତ ବଳକା ଅନ୍ନକୁ ନିଜ ଦେହରେ ବୋଳି ଦେଇ ଚାଲିଗଲେ। ଦୁର୍ବାସା ଏହିପରି ୧୫ ଦିନରେ ଥରେ ଲେଖାଏଁ ଛଅ ପକ୍ଷ କଲେ। କିନ୍ତୁ ସେଥିରେ ତିଳେମାତ୍ର ବିଚଳିତ ନହୋଇ ମୁଦ୍ଗଲ ସପରିବାର ଉପାସ ରହି ନିଜର ବ୍ରତ ନିଷ୍ଠା ଅବ୍ୟାହତ ରଖିଲେ। ତାଙ୍କର ସେହି ନିଷ୍ଠାରେ ତୁଷ୍ଟ ହୋଇ ଦୁର୍ବାସା ତାଙ୍କୁ ସ୍ୱଶରୀରରେ ସ୍ୱର୍ଗକୁ ପଠାଇବାକୁ ଚାହିଁଥିଲେ। ମାତ୍ର ମୁଦ୍ଗଲ ସେଥିରେ ରାଜି ହେଲେ ନାହିଁ। ଦୁର୍ବାସାଙ୍କୁ କହିଲେ- ମର୍ତ୍ତ୍ୟ ହିଁ ମନୁଷ୍ୟର କର୍ମଭୂମି। ଏହିଠାରେ ହିଁ ମନୁଷ୍ୟ ସୁଖଦୁଃଖର ଆବର୍ତ୍ତ ମଧ୍ୟରେ ଗତିକରି ପରମାତ୍ମାଙ୍କୁ ଭକ୍ତିକରେ ଏବଂ ପରିଶେଷରେ ତାଙ୍କୁ ଲାଭକରି ମୋକ୍ଷ ପ୍ରାପ୍ତ ହୁଏ।
କେବଳ ଦୁର୍ବାସା ନୁହନ୍ତି, ଭଗବାନ ବିଷ୍ଣୁ ମଧ୍ୟ ଥରେ ତାଙ୍କର ବ୍ରତରେ ତୁଷ୍ଟ ହୋଇ ତାଙ୍କ ନିକଟକୁ ଆସି ବର ଯାଚିଥିଲେ। କିନ୍ତୁ ‘‘ଭଗବାନଙ୍କ ଦର୍ଶନ ହିଁ ମୋର ଶ୍ରେଷ୍ଠ ବର, ଆଉ କିଛି ବର ମୋର ଲୋଡ଼ା ନାହିଁ’’ ବୋଲି ମୁଦ୍ଗଲ ତାଙ୍କୁ କହିଥିଲେ। ତଥାପି ବିଷ୍ଣୁ ତାଙ୍କୁ ବର ଯାଚିବାରୁ, ବିଷ୍ଣୁଙ୍କ ସ୍ୱରୂପ ଅଗ୍ନିଙ୍କୁ ତୃପ୍ତ କରିବାପାଇଁ ଗୋମାତାଙ୍କ କ୍ଷୀରରେ ହବନ କରିବାକୁ ଚାହେଁ ବୋଲି ସେ କହିଥିଲେ। ଫଳରେ ବିଷ୍ଣୁ ଦେବଶିଳ୍ପୀ ବିଶ୍ୱକର୍ମାଙ୍କଦ୍ଵାରା ମୁଦ୍ଗଲଙ୍କ ଆଶ୍ରମ ନିକଟରେ ଏକ ସରୋବର ନିର୍ମାଣ କରାଇଦେଲେ ଏବଂ ତାହାକୁ କ୍ଷୀରରେ ପୂର୍ଣ୍ଣ କରିଦେବାକୁ ସ୍ୱର୍ଗଗାଭୀ ସୁରଭିଙ୍କୁ କହିଲେ। ତାଙ୍କର ସେହି ଆଶ୍ରମ ‘କ୍ଷୀର-ସରୋବର’ ଭାବରେ ଖ୍ୟାତ। ସେହିଠାରେ ସେ ବିଷ୍ଣୁ ଆରାଧନା କରି ପରିଶେଷରେ ମୋକ୍ଷପ୍ରାପ୍ତ ହୋଇଥିଲେ।
୮. କଶ୍ୟପ: ‘କଶ୍ୟପ’ ଓ ‘କାଶ୍ୟପ’ ନାମରେ ଦୁଇଜଣ ଋଷିଙ୍କର ପ୍ରସଙ୍ଗ ପୁରାଣମାନଙ୍କରେ ଅଛି। ଏହି ଦୁଇ ନାମକୁ ଆଲୋଚକମାନେ ଓଲଟପାଲଟ କରି ଉଲ୍ଲେଖ କରିଥାଆନ୍ତି। ଏହା ଫଳରେ ବିଭ୍ରାନ୍ତି ଜାତ ହୁଏ। ‘କାଶ୍ୟପ’ ହେଉଛନ୍ତି ଶକୁନ୍ତଳାଙ୍କ ପାଳକପିତା। ‘କଣ୍ଵ’ ରୂପେ ମଧ୍ୟ ସେ ଖ୍ୟାତ। କିନ୍ତୁ ସୁପ୍ରାଚୀନ ଋଷି କଶ୍ୟପ ପ୍ରଜାପତି ହିଁ ଶ୍ରୀବଳଭଦ୍ରଙ୍କ ରଥର ଋଷିପଟାରେ ସ୍ଥାନ ପାଇଛନ୍ତି। ସେ ମରୀଚିଙ୍କର ପୁତ୍ର ଓ ବ୍ରହ୍ମାଙ୍କର ପୌତ୍ର। ସେ ଜଣେ ଗୋତ୍ର-ପ୍ରବର୍ତ୍ତକ ଋଷି।
କଶ୍ୟପ ଦକ୍ଷ ପ୍ରଜାପତିଙ୍କର ତେର ଜଣ କନ୍ୟାଙ୍କୁ ବିବାହ କରିଥିଲେଏବଂ ସେମାନେ ଭିନ୍ନଭିନ୍ନ ଗଣଙ୍କର ମାତା ହୋଇଥିଲେ। ସେହି ତେର କନ୍ୟା ହେଉଛନ୍ତି- ଅଦିତି, ଦିତି, ଦନୁ, କାଷ୍ଠା, ଅରିଷ୍ଟା, ସୁରମା, ଇଳା, ମୁନି, କ୍ରୋଧବସା, ତାମ୍ରା, ସୁରଭି, ସରମା ଓ ତିମି। ଅଦିତିଙ୍କଠାରୁ ଦେବଗଣ, ଦିତିଙ୍କଠାରୁ ଦୈତ୍ୟଗଣ, ଦନୁଙ୍କଠାରୁ ଦାନବଗଣ, କାଷ୍ଠାଙ୍କଠାରୁ ଅଶ୍ୱାଦି ପଶୁଗଣ, ଅରିଷ୍ଟାଙ୍କଠାରୁ ଗନ୍ଧର୍ବଗଣ, ସୁରମାଙ୍କଠାରୁ ରାକ୍ଷସଗଣ, ଇଳାଙ୍କଠାରୁ ଉଦ୍ଭିଦ ସମୂହ, ମୁନିଙ୍କଠାରୁ ଅପ୍ସରାଗଣ, କ୍ରୋଧବସାଙ୍କଠାରୁ ପିଶାଚଗଣ, ତାମ୍ରାଙ୍କଠାରୁ ପକ୍ଷୀଗଣ, ସୁରଭିଙ୍କଠାରୁ ଗୋ-ମହିଷାଦି ଚତୁଷ୍ପଦଗଣ, ସରମାଙ୍କଠାରୁ ଶ୍ୱାପଦଗଣ ଓ ତିମିଙ୍କଠାରୁ ଜଳଜୀବଗଣ ସୃଷ୍ଟି ହୋଇଥିଲେ।
ତେବେ, କଶ୍ୟପ ଯେ କେବଳ ଏ ସମସ୍ତ ପ୍ରଜାଙ୍କର ପିତା, ତାହା ନୁହେଁ। ଭଗବାନ ବିଷ୍ଣୁଙ୍କର ବିଭିନ୍ନ ଅବତାରରେ ମଧ୍ୟ ସେ ଅଦିତିଙ୍କ ସହିତ ସେମାନଙ୍କର ପିତା-ମାତା ହୋଇଛନ୍ତି। ସତ୍ୟଯୁଗରେ ସେମାନେ ଜମଦଗ୍ନି ଓ ରେଣୁକା ରୂପେ ପର୍ଶୁରାମଙ୍କ ପିତାମାତା, ତ୍ରେତୟା ଯୁଗରେ ଦଶରଥ ଓ କୌଶଲ୍ୟା ରୂପେ ରାମଚନ୍ଦ୍ରଙ୍କ ପିତାମାତା ଏବଂ ଦ୍ଵାପର ଯୁଗରେ ବସୁଦେବ ଓ ଦେବକୀ ରୂପେ ଶ୍ରୀକୃଷ୍ଣଙ୍କର ପିତାମାତା ହୋଇଥିଲେ। ଶ୍ରୀମନ୍ଦିରରେ ତେଣୁ ଶ୍ରୀଜଗନ୍ନାଥ କଶ୍ୟପ ଓ ଅଦିତି, ଦଶରଥ ଓ କୌଶଲ୍ୟା ଏବଂ ଦେବକୀ ଓ ବସୁଦେବଙ୍କର ଶ୍ରାଦ୍ଧକର୍ମ କରିଥାଆନ୍ତି। ଏ ଦୃଷ୍ଟିରୁ କଶ୍ୟପ ଏବଂ ଅନ୍ୟ ସପ୍ତଋଷି ଶ୍ରୀବଳଭଦ୍ରଙ୍କ ରଥରେ ସ୍ଥାନ ପାଇବା ତାତ୍ପର୍ଯ୍ୟପୂର୍ଣ୍ଣ।
-ଅସିତ ମହାନ୍ତି