ମହାଯଜ୍ଞ ମହାବେଦୀରେ ଦାରୁମୟ ମହେଶ୍ୱର

0 109

‘ସ୍କନ୍ଦପୁରାଣ-ଶ୍ରୀପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ’ର ୩୩ ଅଧ୍ୟାୟରେ ଶ୍ରୀଗୁଣ୍ଡିଚା ଯାତ୍ରାକୁ ‘ମହାବେଦୀ ମହୋତ୍ସବ’ କୁହାଯାଇଛି। କାରଣ, ତାହା ଥିଲା ପୁରାଣପ୍ରସିଦ୍ଧ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଅଶ୍ୱମେଧ ମହାଯଜ୍ଞର ବେଦୀ। ସେହି ଦୃଷ୍ଟିରୁ ତାହା ମଧ୍ୟ ‘ଯଜ୍ଞ ମଣ୍ଡପ’ ରୂପେ ଖ୍ୟାତ। ସେହିଠାରେ ଦାରୁବ୍ରହ୍ମଙ୍କର ଆବିର୍ଭାବ ଘଟିଥିବାରୁ ତାହା ମଧ୍ୟ ତାଙ୍କର ଜନ୍ମସ୍ଥାନ, ଜନ୍ମବେଦୀ। ସ୍ୱୟଂ ତ୍ରିଲୋକେଶ ହରି, ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ପୂର୍ବରୁ ଦେଇଥିବା ବଚନର ସମ୍ମାନ ରକ୍ଷାକରି, ପ୍ରତିବର୍ଷ ରଥରେ ଆରୋହଣ କରି ପରମ କୁତୂହଳରେ ନିଜର ସେହି ଜନ୍ମସ୍ଥାନ- ଗୁଣ୍ଡିଚା ମଣ୍ଡପକୁ ଯାଇଥାଆନ୍ତି ବୋଲି ସେହି ଅଧ୍ୟାୟରେ ବର୍ଣ୍ଣନା ଅଛି।

ଶ୍ରୀଜଗନ୍ନାଥ ନିଜେ ପୂର୍ବକାଳରେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ଏହି ବର ଦେଇଥିଲେ। ୩୪ ଅଧ୍ୟାୟରେ ଏହାର ବର୍ଣ୍ଣନା ଅଛି। ସେଥିରେ ଇନ୍ଦ୍ରଦ୍ୟୁମ୍ନ ସରୋବରକୁ ‘ବିନ୍ଦୁତୀର୍ଥ’ କୁହାଯାଇଛି। ବର୍ଣ୍ଣିିତ ଅଛି- ଏହି ବିନ୍ଦୁତୀର୍ଥ ତଟକୁ ଗମନକରି ଭଗବାନ୍‌ ସାତଦିନ ଧରି ସେଠାରେ ଅବସ୍ଥାନ କରନ୍ତି। ପୂର୍ବକାଳରେ ସେ (ଶ୍ରୀଜଗନ୍ନାଥ) ସ୍ୱୟଂ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ବର ଦେଇ କହିଥିଲେ, ‘‘ହେ ରାଜେନ୍ଦ୍ର ! ମୁଁ ପ୍ରତିବର୍ଷ ସେହି ବିନ୍ଦୁତୀର୍ଥର ତୀରଭାଗରେ ସପ୍ତଦିନ ବ୍ୟାପୀ ଅବସ୍ଥାନ କରିବି। ମୋର ଅବସ୍ଥାନ ହେତୁ ସମସ୍ତ ତୀର୍ଥ ସେଠାରେ ଅବସ୍ଥାନ କରିବେ।’’

ସେହି ଅନୁସାରେ ନବଦିନ ବ୍ୟାପୀ ଯାତ୍ରା ମଧ୍ୟରୁ ଆଷାଢ଼ ଶୁକ୍ଳ ଦ୍ଵିତୀୟାର ଶ୍ରୀଗୁଣ୍ଡିଚାଯାତ୍ରା ଏବଂ ଆଷାଢ଼ ଶୁକ୍ଳ ଦଶମୀର ବାହୁଡ଼ା ଯାତ୍ରା ବ୍ୟତୀତ, ଅନ୍ୟ ସାତଦିନ ଶ୍ରୀଜଗନ୍ନାଥଙ୍କ ସହିତ ଶ୍ରୀବଳଭଦ୍ର, ଦେବୀସୁଭଦ୍ରା, ଶ୍ରୀସୁଦର୍ଶନ ଏବଂ ରାମ, କୃଷ୍ଣ ଓ ମଦନମୋହନ- ଏହି ସପ୍ତବିଗ୍ରହ ଇନ୍ଦ୍ରଦ୍ୟୁମ୍ନ ସରୋବର ସନ୍ନିକଟ ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ଅବସ୍ଥାନ କରିଥାଆନ୍ତି। ତିନିଟି ଯାକ ରଥ ମଧ୍ୟ ସେଠାରେ ଅବସ୍ଥାନ କରନ୍ତି।

ଶ୍ରୀଗୁଣ୍ଡିଚା ମନ୍ଦିରର ଅନେକଗୁଡ଼ିଏ ନାମ ରହିଛି। ସେଥିମଧ୍ୟରୁ ‘ଶ୍ରୀଗୁଣ୍ଡିଚା’ ନାମର ଇତିହାସ ଓ ରହସ୍ୟ ସଂପର୍କରେ ପୂର୍ବରୁ (ରଥକଥା- ୪୩, ୪୪ ଓ ୪୫, ୨୦୧୭) ବର୍ଣ୍ଣିିତ ହୋଇଛି। ଏହା କାହିଁକି ‘ଆଡ଼ପ ମଣ୍ଡପ’ ରୂପେ କଥିତ ହୁଏ, ତାହା ମଧ୍ୟ ସେଥିରେ ବର୍ଣ୍ଣିିତ ଅଛି।

‘ସ୍କନ୍ଦପୁରାଣ’ର ୩୩ ଅଧ୍ୟାୟର ୫୬ ଶ୍ଳୋକରେ ଶ୍ରୀଗୁଣ୍ଡିଚା ଯାତ୍ରାକୁ ‘ସବୁଠୁ ଶ୍ରେୟସ୍କର ବିଷ୍ଣୁ ମହୋତ୍ସବ’ ବୋଲି କୁହାଯାଇଛି। ଏହି ମହାବେଦୀ ଗମନ କାଳରେ ରଥାରୂଢ଼ ଶ୍ରୀପୁରୁଷୋତ୍ତମ, ଶ୍ରୀବଳଦେବ ଓ ଦେବୀସୁଭଦ୍ରାଙ୍କର ଦର୍ଶନ ପରମ ପୁଣ୍ୟଦାୟକ ବୋଲି ମଧ୍ୟ ସେଥିରେ ଉଲ୍ଲେଖ ଅଛି।

ଏହି ପ୍ରସଙ୍ଗରେ ଶ୍ରୀମନ୍ଦିରର ସିଂହଦ୍ଵାରଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବିସ୍ତୃତ ‘ରଥମାର୍ଗ’ ସଂପର୍କରେ ସୂଚନା ରହିଛି। ଉଲ୍ଲେଖନୀୟ ଯେ ପୂର୍ବେ ଏହି ରଥମାର୍ଗ ଆଜିପରି ଶକ୍ତ ଓ ସୁଗଠିତ ନଥିଲା। ଏହା ବୃଷ୍ଟିପାତ ଫଳରେ ପଙ୍କିଳ ହେଉଥିଲା। ତେଣୁ ସେ ସଂପର୍କରେ ତାତ୍ପର୍ଯ୍ୟପୂର୍ଣ୍ଣ ଉଲ୍ଲେଖ ‘ସ୍କନ୍ଦପୁରାଣ’ର ଉକ୍ତ ଅଧ୍ୟାୟରେ ରହିଛି। କୁହାଯାଇଛି- ରଥମାର୍ଗ ବହୁଳ ବୃଷ୍ଟିପାତରେ ପଙ୍କିଳ ହୋଇଥିଲେ ମଧ୍ୟ ଭଗବାନଙ୍କର ଦିବ୍ୟ ଦୃଷ୍ଟିପାତ ହେଉଛି- ନିଖିଳର ଅନ୍ତର୍ମଳ ଅପହରଣକାରୀ। ଏଣୁ ଯେଉଁ ଭକ୍ତବୃନ୍ଦ ସେହି ପଥରେ ମଥା ଛୁଆଁଇ ଭଗବାନଙ୍କୁ ପ୍ରଣାମ କରନ୍ତି, ସେମାନେ ଅସୀମ ପାପପଙ୍କକୁ ବିଦୂରିତ କରି ମୋକ୍ଷପ୍ରାପ୍ତ ହୋଇଥାଆନ୍ତି। ଆହୁରି ମଧ୍ୟ କୁହାଯାଇଛି- ଯେଉଁ ମନୁଷ୍ୟ ଭଗବାନଙ୍କର ଗୁଣ୍ଡିଚା ଗମନ କାଳରେ, ପରମ ଭକ୍ତିରେ ବାରମ୍ବାର ତାଙ୍କର ନାମ କୀର୍ତ୍ତନ କରନ୍ତି ସେ ସଂସାର-ଚକ୍ରରୁ ମୁକ୍ତିପାଆନ୍ତି। ଏହି ଧରାପୃଷ୍ଠରେ ସେ ଆଉ ଜନ୍ମଗ୍ରହଣ କରିବାର କଷ୍ଟ ସହନ୍ତିନାହିଁ। ଏ ପ୍ରସଙ୍ଗରେ ରଥ ପରିକ୍ରମା ମଧ୍ୟ ପରମ ପୁଣ୍ୟଦାୟକ ବୋଲି କୁହାଯାଇଛି ଏବଂ ରଥ ପରିକ୍ରମା ସହିତ, ରଥସ୍ଥ ଦେବତାମାନଙ୍କୁ ଯେଉଁମାନେ ସ୍ତୁତି ଓ ପ୍ରଣାମ କରନ୍ତି, ସେମାନେ ନିଶ୍ଚିତ ଭାବରେ ବ୍ରହ୍ମଲୋକ ଲାଭ କରନ୍ତି ବୋଲି ଉଲ୍ଲେଖ ଅଛି।

ଏହାପରେ ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ଅନ୍ୟାନ୍ୟ ନୀତିର ସୂଚନା ଅଛି। କୁହାଯାଇଛି- ତିନିଟିଯାକ ରଥ ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚିବା ପରେ, ଅପରାହ୍‌ଣରେ ରଥସ୍ଥିତ ଦେବତାମାନଙ୍କୁ ପୁନର୍ବାର ମୃଦୁ ଭାବରେ ପହଣ୍ଡି ବିଜୟ କରାଇବ। ସେମାନଙ୍କୁ ନେଇ ଗୁଣ୍ଡିଚା ନାମକ ମନୋହର ମଣ୍ଡପ ମଧ୍ୟରେ ସଂସ୍ଥାପିତ କରିବ। ସେଠାରେ ସେମାନଙ୍କୁ ଦର୍ଶନ କରିବା ମାତ୍ରେ ଭକ୍ତବୃନ୍ଦଙ୍କର ମନେହେବ ଯେ ଉକ୍ତ ସ୍ଥାନଟି ତିନିଲୋକ ମଧ୍ୟରେ ଆଡ଼ମ୍ବରଯୁକ୍ତ ମହାଯଜ୍ଞର ମହାବେଦୀ- ଯେଉଁଠାରେ ଦାରୁମୟ ମହେଶ୍ୱର ଆବିର୍ଭୂତ ହୋଇଅଛନ୍ତି।

-ଅସିତ ମହାନ୍ତି

ସମ୍ବନ୍ଧିତ ଖବର

Leave A Reply

Your email address will not be published.