ରଥ ଖଳା ହାଲଚାଲ : ଚାଲିଛି କୋଣଗୁଜ, ତୁମ୍ବ ବିନ୍ଧ ଓ ଚଉପଟ କାମ

ପୁରୀ : ନୃସିଂହ ଚତୁର୍ଦ୍ଧଶୀ ତିଥିରେ ଅନୁକୂଳ ହୋଇଥିବା କୋଣଗୁଜ ନିର୍ମାଣକୁ ଆଜି ତିନି ଦିନ ପୂରିଛି। ଆଜି ରୂପକାର ସେବକମାନେ ଗୁଜ କାମକୁ ଆଗେଇ ନେଇଛନ୍ତି। କାଠ ପଟାରେ ଖୋଦେଇ କରି ସେଥିରେ ନୃସିଂହଙ୍କ ମୂର୍ତ୍ତି ତିଆରି କରାଯାଉଛି। ସେପଟେ ବିଶ୍ୱକର୍ମା ସେବକମାନେ ତୁମ୍ବରେ ବିନ୍ଧ କରିବା କାମକ ଜୋରସୋରରେ ଆଗେଇ ନେଇଛନ୍ତି। ଅନ୍ୟପଟେ ବିଶ୍ୱକର୍ମା ସେବକମାନେ ଗୁଜ ନିର୍ମାଣ ପାଇଁ କାଠ ଚଉପଟ କରିବାରେ ବି ଲାଗି ପଡ଼ିଛନ୍ତି। ଆଜି ବି ରଥଖଳାରେ ବିଶ୍ୱକର୍ମାମାନେ ଚଉପଟ କାମ କରିଛନ୍ତି। ସୂଚନାଯୋଗ୍ୟ, ତାଳଧ୍ୱଜ ରଥରେ ୮ଟି, ନନ୍ଦିଘୋଷ ରଥରେ ୮ଟି ଓ ଦର୍ପଦଳନ ରଥରେ ୪ଟି ଗୁଜରେ ନୃସିଂହ ମୂର୍ତ୍ତି ଖୋଦେଇ ହେବାର ପରମ୍ପରା ରହିଛି । ସେହିଭଳି ପ୍ରତ୍ୟେକ ରଥରେ ୧୧ଟି ଲେଖାଏଁ ସାଳି ଗୁଜ ଏବଂ ୯ଟି ଲେଖାଏ ଜଳଯନ୍ତ୍ର ସ୍ଥାପନ କରାଯିବାର ପରମ୍ପରା ରହିଛି । ଏଭଳି ତିନି ରଥରେ ମୋଟ ୮୦ଟି ଗୁଜ ଲାଗିବ। ସେହିପରି ତିନି ରଥର ୪୨ ଚକରେ ମୋଟ ୬୭୨ଟି ଅର ଯୋଡ଼ାଯିବ । ପ୍ରତ୍ୟେକ ଚକ ତୁମ୍ବରେ ଖୋଳା ଯାଇଥିବା ୩୨ଟି ବିନ୍ଧରେ ୧୬ଟି ଅର ଯୋଡ଼ାଯିବ ।

ସମ୍ବନ୍ଧିତ ଖବର