ସ୍ବତନ୍ତ୍ର ପ୍ରଦେଶ ପାଇଁ ସଂଗ୍ରାମ ୧୮୭୫-୧୯୩୬, ଏପ୍ରିଲ୍ ୧

ଆଜି ଓଡ଼ିଶାକୁ ତେୟାଅଶୀ ପୂରି ଚଉରାଅଶୀ ଚାଲିଲା। ୧୯୩୬ ଏପ୍ରିଲ୍‌ ପହିଲାରେ ପ୍ରଥମ ଭାଷାଭିତ୍ତିକ ରାଜ୍ୟ ରୂପେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶର ଜନ୍ମଲାଭ ଥିଲା ଭାରତ ଇତିହାସରେ ଏକ ଯୁଗାନ୍ତକାରୀ ଅଧ୍ୟାୟ। ଇଂରେଜ ଶାସନ କାଳରେ ଓଡ଼ିଆ ଭାଷାକୁ ଲୁପ୍ତ କରିବା ଲାଗି ଯେଉଁ ଷଡ୍‌ଯନ୍ତ୍ର ହୋଇଥିଲା, ତାରି ବିରୋଧରେ ମୁଣ୍ଡ ଟେକିଥିଲା ଓଡ଼ିଆ ଭାଷା ଆନ୍ଦୋଳନ। ସେ ସମୟରେ ଖଣ୍ଡ-ବିଖଣ୍ଡିତ ଓଡ଼ିଆ ଭାଷୀ ଅଞ୍ଚଳକୁ ଏକତ୍ର କରି ସ୍ବତନ୍ତ୍ର ଓଡ଼ିଶା ପ୍ର‌େଦଶ ଗଠନର ପରିକଳ୍ପନା କରାଯାଇଥିଲା। ଏହାର କର୍ଣ୍ଣଧାର ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ, ମହାରାଜା କୃଷ୍ଣଚନ୍ଦ୍ର ଗଜପତିଦେବ ଓ ବ୍ୟାସକବି ଫକୀର ମୋହନଙ୍କ ସମେତ ଅନେକ ମନୀଷୀ। ଏହା ଥିଲା ପ୍ରକୃତରେ ଓଡ଼ିଶାର ନବଜାଗରଣର ଏକ ମହାର୍ଘ ପର୍ବ। ଏହି ଜନଆନ୍ଦୋଳନ ଫଳରେ ସାକାର ହେଲା ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ସ୍ବପ୍ନ। ଆଜିର ଏହି ପବିତ୍ର ଦିବସରେ ସେହି ସ୍ମୃତିକୁ ସଜଳ କରି ଆମର ବିଶେଷ ଉପସ୍ଥାପନା।

ଓଡ଼ିଶା ଓ ବିହାର, ବଙ୍ଗ ପ୍ରଦେଶ ଅନ୍ତଭୁର୍କ୍ତ ଥିବା ବେଳେ, ୧୮୭୫ରେ ବାଲେଶ୍ବରର ରାଜା ଶ୍ୟାମାନନ୍ଦ ଦେ ଏବ˚ ଜାତିପ୍ରେମୀ ବିଚିତ୍ରାନନ୍ଦ ଦାସ, ତତ୍‌କାଳୀନ ଲେଫଟ୍‌ନାନ୍‌ଟ ଗଭର୍ନର‌୍‌ ରିଚାର୍ଡ‌୍ ଟେଂପଲ୍‌ଙ୍କୁ ଭେଟି, ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଦିଗରେ ପଦକ୍ଷେପ ନେବା ପାଇଁ ଏକ ସ୍ମାରକ ପତ୍ର ଦେଇଥିଲେ। ସେଇଟି ଥିଲା, ସ୍ବତନ୍ତ୍ର ପ୍ରଦେଶ ଗଠନ ଦିଗରେ ପ୍ରଥମ ଦାବି-ପତ୍ର। ତେବେ, ଦାବି ସପକ୍ଷରେ କୌଣସି ସ˚ଗଠିତ ଆନ୍ଦୋଳନ ହୋଇ ନ ପାରିବାରୁ, ବ୍ରିଟିସ୍‌ ପ୍ରଶାସନ ତାହାକୁ ବିଶେଷ ଗୁରୁତ୍ବ ଦେଇ ନ ଥିଲା। ୧୮୮୨ରେ ଉତ୍କଳଗୌରବ ମଧୁସୂଦନ କଲକାତା ଛାଡ଼ି, ଓକିଲାତି କରିବା ପାଇଁ, କଟକ ଆସିଲେ। ସେ ଓଡ଼ିଶାର ଖଣ୍ଡ-ବିଖଣ୍ଡିତ ଦୟନୀୟ ଅବସ୍ଥା ଓ ଦୁର୍ଦଶା ଦେଖି, ସ୍ବତନ୍ତ୍ର ପ୍ରଦେଶ ଗଠନ ନିମନ୍ତେ ନୂଆ ଦାବି ଉପସ୍ଥାପନ ଏବଂ ଆନ୍ଦୋଳନ ପାଇଁ ଚିନ୍ତା କରିଥିଲେ। ସେତେ ବେଳେ ପ୍ରଥମ ଓଡ଼ିଆ ସମ୍ବାଦପତ୍ର ‘ଉତ୍କଳ ଦୀପିକା’ର ପ୍ରତିଷ୍ଠାତା-ସ˚ପାଦକ କର୍ମବୀର ଗୌରୀଶଙ୍କର ରାୟ, ସ୍ବତନ୍ତ୍ର ଓଡ଼ିଶା ଗଠନ ନିମନ୍ତେ ସଭା-ସମିତି ଆୟୋଜିତ କରି ସ୍ବର ଉଠାଉଥିଲେ; ଜନମତ ସୃଷ୍ଟି କରୁଥିଲେ। ମଧୁସୂଦନ ତାଙ୍କ ସହ ଯୋଗଦେଇଥିଲେ ଏବଂ ଦାବି ଉପସ୍ଥାପନ ପାଇଁ ଗଠିତ ହୋଇଥିଲା ‘ଉତ୍କଳ ସଭା’; ଓଡ଼ିଆ ନବଜାଗରଣର ପ୍ରଥମ ରାଜନୈତିକ ମଞ୍ଚ।

ସମ୍ବଲପୁରର ଭୂମିକା
୧୮୬୨ରେ ସମ୍ବଲପୁରକୁ ମଧୢ ପ୍ରଦେଶ ସହ ସାମିଲ କରାଯାଇଥିଲା। ବ୍ରିଟିସ୍‌ ପ୍ରଶାସନ ସହ ସ˚ପୃକ୍ତ ପ୍ରାୟ ସମସ୍ତ କର୍ମଚାରୀ ଥିଲେ ହିନ୍ଦୀ ଭାଷୀ। ଶାସନରେ ସମ୍ବଲପୁରବାସୀଙ୍କର କୌଣସି ଭୂମିକା ନ ଥିଲା। ୧୮୯୫ରେ ସରକାରୀ କାର୍ଯ୍ୟାଳୟ, କୋର୍ଟ‌୍-କଚେରି ଆଦିରୁ ଓଡ଼ିଆ ଭାଷା ଉଚ୍ଛେଦ କରି ହିନ୍ଦୀର ପ୍ରଚଳନ କରାଗଲା, ଯାହା କ୍ରମଶଃ ତୀବ୍ର ଜନ-ଅସନ୍ତୋଷର ରୂପ ନେଇଥିଲା। ଓଡ଼ିଆ ଭାଷା ପ୍ରଚଳନ ପାଇଁ ଦାବି ପ୍ରାଦେଶିକ ସ୍ତରର ଆନ୍ଦୋଳନରେ ପରିଣତ ହୋଇଥିଲା। ସମ୍ବଲପୁରବାସୀଙ୍କ ଦୁର୍ଦଶା ଦୂର ପାଇଁ କଟକରେ ସଭା-ସମିତିମାନ ଆୟୋଜିତ ହୋଇଥିଲା। ୧୯୦୧ରେ ସମ୍ବଲପୁରର ମହନ୍ତ ବିହାରୀ ମହାରାଜଙ୍କ ନେତୃତ୍ବରେ ବ୍ରଜମୋହନ ପଟ୍ଟନାୟକ, ଶ୍ରୀପତି ମିଶ୍ର ଏବ˚ ମଦନ ମୋହନ ପଟ୍ଟନାୟକ ପ୍ରମୁଖ ଭାଇସ୍‌ରଏ କର୍ଜନ୍‌ଙ୍କୁ ଭେଟିବା ପାଇଁ ଶିମଲା ଯାଇଥିଲେ। ତେବେ, ସେମାନେ ଭାଇସରଏଙ୍କୁ ସାକ୍ଷାତ୍‌ କରିପାରି ନ ଥିଲେ। ସେନ୍‌ଟ୍ରାଲ୍‌ ପ୍ରୋଭିନ୍‌ସର ଚିଫ୍‌ କମିସନର‌୍‌ ସାର‌୍‌ ଆଣ୍ତ୍ରୁ ଫ୍ରେଜର‌୍‌ଙ୍କୁ ଭେଟି, ସମ୍ବଲପୁରକୁ ଓଡ଼ିଆ ଭାଷା-ଭାଷୀ ଅଞ୍ଚଳରେ ମିଶାଇବା ପାଇଁ ଏକ ଦାବିପତ୍ର ଦେଇଥିଲେ। ସାର‌୍‌ ଫ୍ରେଜର‌୍‌ଙ୍କ ହସ୍ତକ୍ଷେପ ପରେ ୧୯୦୩ରେ ସମ୍ବଲପୁରରେ ଓଡ଼ିଆ ଭାଷା ପୁନଃ-ପ୍ରଚଳିତ ହୋଇଥିଲା। ୧୯୦୫ରେ ତାହାକୁ ଅବଶିଷ୍ଟ ଓଡ଼ିଆ ଭାଷା-ଭାଷୀ ଅଞ୍ଚଳ ସହ ସାମିଲ କରାଯାଇଥିଲା।

ମହାତ୍ମା ଗାନ୍ଧୀଙ୍କ ସମର୍ଥନ
ଭାଷା ଭିତ୍ତିରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଦାବିକୁ ଜାତୀୟ ସ୍ତରରେ ମହାତ୍ମା ଗାନ୍ଧୀ ପ୍ରଥମେ ସମର୍ଥନ ଦେଇଥିଲେ। କ˚ଗ୍ରେସ୍‌ ସ˚ଗଠନ ମଧ୍ୟ ଓଡ଼ିଶା ପ୍ରଦେଶ ଗଠନ ଦାବିକୁ ଔପଚାରିକ ସ୍ବୀକୃତି ଦେଇଥିଲା। ୧୯୨୧ରେ ମହାତ୍ମାଙ୍କ ପରାମର୍ଶକ୍ରମେ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ନେଇ ‘ଉତ୍କଳ କ˚ଗ୍ରେସ୍‌ କମିଟି’ ଗଢ଼ାଯାଇଥିଲା ଏବ˚ ଏହାର ପ୍ରଥମ ସଭାପତି ହୋଇଥିଲେ ଉତ୍କଳମଣି ଗୋପବନ୍ଧୁ ଦାସ। ଉତ୍କଳଗୌରବ ମଧୁସୂଦନ ଓ ଗୋପବନ୍ଧୁଙ୍କ ସହ ମହାତ୍ମାଙ୍କର ଘନିଷ୍ଠ ସ˚ପର୍କ ଥିଲା। ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଦାବିକୁ ମହାତ୍ମାଙ୍କ ସମର୍ଥନ ଏବଂ ଜାତୀୟ ସ୍ତର‌େର କ˚ଗ୍ରେସ୍‌ ସ˚ଗଠନରେ ମାନ୍ୟତା, ସେତେ ବେଳର ଏକ ଉଲ୍ଲେଖନୀୟ ରାଜନୈତିକ ଘଟନା। ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସପକ୍ଷରେ ମହାତ୍ମା ବଳିଷ୍ଠ ଯୁକ୍ତି ଦର୍ଶାଇ, ଭାଇସ୍‌ରଏଙ୍କୁ ମଧ୍ୟ ପ୍ରଭାବିତ କରିଥିଲେ।

‘ଗଞ୍ଜାମ ହିତବାଦିନୀ ସଭା’

୧୮୭୫ର ପ୍ରଥମ ସ୍ମାରକ-ପତ୍ର ପୂର୍ବରୁ ଓଡ଼ିଆ ଭାଷା ଆନ୍ଦୋଳନର ପ୍ରଥମ ସ୍ବର ଶୁଭିଥିଲା କନ୍ଧମାଳ ମାଟିରୁ। ୧୮୬୪ରେ ଭେଙ୍କଟେଶ୍ବର ଦେଓ, କାଟିଙ୍ଗିଆ ଜମିଦାରିର ଦାୟିତ୍ବ ନେଇଥିଲେ। ସେତେ ବେଳେ ତାଙ୍କୁ ଲାଗିଥିଲା, ଓଡ଼ିଆ ଭାଷା-ଭାଷୀ ଅଞ୍ଚଳକୁ ଏକତ୍ର କରା ନ କଲେ ଓଡ଼ିଶାର ଅସ୍ତିତ୍ବ ଲୋପପାଇଯିବ। ସେ ହିଁ ପ୍ରଥମେ ଓଡ଼ିଆ ଭାଷା ଆନ୍ଦୋଳନ ପାଇଁ ଆହ୍ବାନ ଦେଇଥିଲେ। ସେ ଦାନିଏଲ ମହାନ୍ତି, ବଳରାମ ମହାରଣା, ରସୁଲକୁଣ୍ତାର ଦୀନବନ୍ଧୁ ମହାନ୍ତି, ପୁରୁଷୋତ୍ତମପୁରର ସବ୍‌-ରେଜିଷ୍ଟ୍ରାର‌୍‌ ନରସି˚ହ ଦାସ, କନକତୁରୁର ଜନାର୍ଦନ ଦାସ ପ୍ରମୁଖଙ୍କୁ ନେଇ ସେ ୧୮୬୮ରେ ଗଢ଼ିଥିଲେ ‘ଗଞ୍ଜାମ ହିତବାଦିନୀ ସଭା’। ୧୮୭୦ରେ ଏହି ସ˚ଗଠନର ପ୍ରଥମ ବୈଠକ ରସୁଲକୁଣ୍ତା(ଆଧୁନିକ ଭଞ୍ଜନଗର)ରେ ଅନୁଷ୍ଠିତ ହୋଇଥିଲା। ଏହି ସଂଗଠନ ପକ୍ଷରୁ ଓଡ଼ିଆ ଭାଷୀ ଅଞ୍ଚଳରେ, ଓଡ଼ିଆ ଭାଷାର ପ୍ରଚଳନ ଲାଗି ମାନ୍ଦ୍ରାଜ‌େର ଅବସ୍ଥାପିତ ବ୍ରିଟିସ୍‌ ଅଧିକାରୀଙ୍କୁ ସ୍ମାରକ-ପତ୍ର ଦିଆଯାଇଥିଲା। କାରଣ, ସେତେ ବେଳେ ଗଞ୍ଜାମ ସମେତ ଦକ୍ଷିଣ ଓଡ଼ିଶାର ବ୍ୟାପକ ଅଞ୍ଚଳ ମାନ୍ଦ୍ରାଜ ପ୍ରେସିଡେନ୍‌ସି ଅଧୀନରେ ଥିଲା। ଏହି ସଂଗଠନର ଚାପର ସୁଫଳ ସ୍ବରୂପ ଗଞ୍ଜାମରେ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ପୁନଃ-ପ୍ରଚଳନ ଆରମ୍ଭ ହୋଇଥିଲା। କିଛି କାଳ ପରେ ଭେଙ୍କଟେଶ୍ବର ଦେଓଙ୍କୁ କାଟିଙ୍ଗିଆ ଜମିଦାରିରୁ ଉଚ୍ଛେଦ କରାଯାଇଥିଲା। ରାଜନୈତିକ ଷଡ଼୍‌ଯନ୍ତ୍ରର ଶିକାର ହୋଇ, ନିଜର ସ˚ପତ୍ତି ହରାଇ, ସେ ଅକାଳରେ ମୃତ୍ୟୁବରଣ କରିଥିଲେ।

ଘଟଣାକ୍ରମ…

୧୮୭୫: ବାଲେଶ୍ବରର ରାଜା ଶ୍ୟାମାନନ୍ଦ ଦେ ଏବ˚ କଟକର ବିଚିତ୍ରାନନ୍ଦ ଦାସଙ୍କ ଦ୍ବାରା ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ବଙ୍ଗଳାର ଲେଫଟ୍‌ନାନ୍‌ଟ ଗଭର୍ଣ୍ଣରଙ୍କୁ ସ୍ମାରକପତ୍ର ପ୍ରଦାନ।
୧୮୮୨: ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଦ୍ବାରା ଓଡ଼ିଶାର ପ୍ରଥମ ରାଜନୈତିକ ମଞ୍ଚ ‘ଉତ୍କଳ ସଭା’ ଗଠନ।
୧୮୯୫: ସମ୍ବଲପୁର କୋର୍ଟ‌୍‌ କଚେରିରୁ ଓଡ଼ିଆ ଭାଷା ଉଚ୍ଛେଦକୁ ବିରୋଧ ଓ ଆନ୍ଦୋଳନ।
୧୯୦୧: ଖଲ୍ଲିକୋଟ୍‌ ରାଜା ହରିହର ମର୍ଦ୍ଦରାଜ ଦେବଙ୍କ ନେତୃତ୍ବରେ ଓଡ଼ିଶା ପ୍ରଦେଶ ଗଠନ ସମ୍ପର୍କରେ ଆଲୋଚନା।
୧୯୦୩: ମଧୁସୂଦନ ଦାସଙ୍କ ନେତୃତ୍ବରେ ‘ଉତ୍କଳ ସମ୍ମିଳନୀ’ର ଜନ୍ମଲାଭ।
୧୯୦୫: ସମ୍ବଲପୁର ଜିଲା ବଙ୍ଗଳା ପ୍ରେସିଡେନ୍‌ସୀ ଅନ୍ତର୍ଗତ ଓଡ଼ିଶା ଡିଭିଜନ୍‌ରେ ମିଶ୍ରଣ।
୧୯୧୨: ଓଡ଼ିଶା ଓ ବିହାର ପ୍ରଦେଶ ଗଠିତ।
୧୯୨୭: ସାଇମନ୍‌ କମିଶନ୍‌ଙ୍କ ନିକଟରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଦାବି।
୧୯୩୧: ଦ୍ବିତୀୟ ଗୋଲ ଟେବୁଲ ବୈଠକରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦେବଙ୍କ ଯୋଗଦାନ ଓ ସ୍ବତନ୍ତ୍ର ରାଜ୍ୟ ଗଠନ ଦାବି।
୧୯୩୨: ବ୍ରିଟିଶ୍‌ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଲାଗି ମତ ପ୍ରଦାନ।
୧୯୩୫: ‘ଭାରତ ଶାସନ ଆଇନ୍‌’ ମାଧୢମରେ ସରକାର ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନକୁ ବିଚାରକୁ ନେଲେ।
୧୯୩୬ ଏପ୍ରିଲ ୧: କଟକ, ପୁରୀ, ବାଲେଶ୍ବର, ସମ୍ବଲପୁର, ଗଞ୍ଜାମ ଓ କୋରାପୁଟ ଜିଲ୍ଲାକୁ ନେଇ ଭାଷା ଭିତ୍ତିରେ ‘ସ୍ବତନ୍ତ୍ର ଉତ୍କଳ ପ୍ରଦେଶ’ର ଆତ୍ମପ୍ରକାଶ।

ସମ୍ବନ୍ଧିତ ଖବର