ଗୋଟେ କିଲୋ ପ୍ଲାଷ୍ଟିକ୍ରୁ ଗୋଟେ ଲିଟର ପେଟ୍ରୋଲ ଏବଂ ଡିଜେଲ ବାହାରି ପାରୁଥିବା ମେସିନ୍ ଆବିଷ୍କାର କରି ଚର୍ଚ୍ଚାରେ ଫ୍ରାନ୍ସ ଆବିଷ୍କାରକ
ନୂଆଦିଲ୍ଲୀ : ପରିବେଶକୁ ପ୍ରଦୂଷିତ କରୁଥିବାରୁ କିଛି ଦିନ ତଳେ ସରକାର ପ୍ଲାଷ୍ଟିକ୍ର ବ୍ୟବହାର ଉପରେ କଟକଣା ଲଗାଇଥିଲେ । ପ୍ଲାଷ୍ଟିକ୍ ପରିବର୍ତ୍ତେ କାଗଜ ଠୁଙ୍ଗାର ବ୍ୟବହାର ଆରମ୍ଭ କରିବା ପାଇଁ ସରକାର ଆଦେଶ ଦେଇଥିଲେ । କିନ୍ତୁ ଦେଶର ବିଭିନ୍ନ ସ୍ଥାନରେ ଏବେ ବି ପ୍ଲାଷ୍ଟିକ୍ର ବ୍ୟବହାର କରା ଯାଉଥିବା ବେଳେ ଏହାର ପୁନଃବ୍ୟବହାର କିପରି କରାଯାଇ ପାରିବ, ସେ ନେଇ ଚିନ୍ତାରେ ସରକାର । ତେବେ ଏତେ ସବୁ ମଧ୍ୟରେ ଫ୍ରାନ୍ସର ଜଣେ ଆବିଷ୍କାରକ ଯେଉଁ ଚମତ୍କାର କରିଛନ୍ତି ତାହା ବିଶ୍ୱର ଏକ ବଡ଼ ସମସ୍ୟାର ସମାଧାନ କରି ପାରିବ ବୋଲି ଆଶା କରାଯାଉଛି । ବ୍ୟବହାର ହୋଇ ସାରିଥିବା ପ୍ଲାଷ୍ଟିକ୍କୁ ପୁନଃ ବ୍ୟବହାର କରି ସେଥିରୁ ପେଟ୍ରୋଲ ଏବଂ ଡିଜେଲ ବାହାର କରାଯାଇ ପାରୁଥିବା ଏକ ମେସିନ୍ ତିଆରି କରି ଏବେ ଚର୍ଚ୍ଚାରେ ରହିଛନ୍ତି କ୍ରିଷ୍ଟୋଫର୍ କସ୍ଟେସ୍ ।
Sambad is now on WhatsApp
Join and get latest news updates delivered to you via WhatsApp
ଫ୍ରାନ୍ସରେ ରହୁଥିବା କ୍ରିଷ୍ଟୋଫର୍ଙ୍କ କହିବା ଅନୁଯାୟୀ, ସେ ଏକ ଏମିତି ମେସିନ୍ ତିଆରି କରିଛନ୍ତି, ଯାହା ଅଧିକ ପରିମାଣର ପ୍ଲାଷ୍ଟିକ୍କୁ ତରଳ ଇନ୍ଧନରେ ପରିବର୍ତ୍ତନ କରି ପାରିବ । ପ୍ଲାଷ୍ଟିକ୍କୁ ମେସିନ୍ ଭିତରେ ରଖା ଯାଇ ତାହାକୁ ଅଧିକ ତାପମାତ୍ରାରେ ତରଳାଇ ଦିଆଯିବ । ତରଳିବା ପରେ ସେଥିରୁ ୬୫ପ୍ରତିଶତ ଡିଜେଲ ବାହାରିବ, ଯାହାକୁ ଜେନେରେଟର ଏବଂ ଡଙ୍ଗାରେ ବ୍ୟବହାର କରାଯାଉଥିବା ମୋଟରକୁ ଚଲାଇବାରେ ବ୍ୟବହାର କରାଯାଇ ପାରିବ । ଏହା ସହ ୧୮ପ୍ରତିଶତ ପେଟ୍ରୋଲ ବାହାରିବ ଯାହାକୁ ଲଣ୍ଠନ ଜଳାଇବାରେ ବ୍ୟବହାର କରାଯାଇ ପାରିବ । ଏହି ତରଳାଇବାର ପ୍ରକ୍ରିୟାକୁ ପାଇରୋଲାଇଜିଙ୍ଗ୍ର ନାଁ ଦେଇଛନ୍ତି କ୍ରିଷ୍ଟୋଫର୍ । ପାଇରୋଲାଇଜିଙ୍ଗ୍ ପ୍ରକ୍ରିୟାରେ ପ୍ଲାଷ୍ଟିକ୍କୁ ହାଇଡ୍ରୋକାର୍ବନରେ ପରିବର୍ତ୍ତନ କରାଯାଇଥାଏ । ଏହା ପରେ ତାହା ଡିଷ୍ଟିଲେସନ ଟାଓ୍ଵାରକୁ ଯିବା ସହ ପେଟ୍ରୋଲ ଏବଂ ଡିଜେଲ ଅଲଗା ହୋଇ ଯାଇଥାଏ । ମେସିନ ଦ୍ୱାରା ଗୋଟେ କିଲୋ ପ୍ଲାଷ୍ଟିକ୍ରୁ ଗୋଟେ ଲିଟର ଡିଜେଲ ଏବଂ ପେଟ୍ରୋଲ ବାହାରି ପାରିବ ବୋଲି ଦାବି କରିଛନ୍ତି କ୍ରିଷ୍ଟୋଫର୍ ।