ବର୍ତ୍ତମାନ ରାଜ୍ୟରେ ସ୍ଥିତି ଠିକ ନଥିବାରୁ ଜମ୍ମୁ-କାଶ୍ମୀରରେ ହେବ ନାହିଁ ବିଧାନସଭା ନିର୍ବାଚନ !

ନୂଆଦିଲ୍ଲୀ : ୨୦୧୯ ଲୋକସଭା ନିର୍ବାଚନ ତାରିଖ ଘୋଷଣା ହୋଇସାରିଛି । ମୁଖ୍ୟ ନିର୍ବାଚନ କମିଶନର ଲୋକସଭା ନର୍ବାଚନ ସହ ୪ ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ ମଧ୍ୟ ଘୋଷଣା କରିଛନ୍ତି । ଆନ୍ଧ୍ରପ୍ରଦେଶ, ଓଡିଶା, ଅରୁଣାଚଳ ପ୍ରଦେଶ, ସିକିମ ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହୋଇସାରିଛି । କିନ୍ତୁ ସୁରକ୍ଷା ବନ୍ଦୋବସ୍ତ ଦୃଷ୍ଟିକୁ ନଜରରେ ରଖି ବର୍ତମାନ ସମୟରେ ଜାମ୍ମୁକାଶ୍ମୀରରେ ନିର୍ବାଚନ ହେବ ନାହିଁ ।

ଏହି ଚାରି ରାଜ୍ୟର ବିଧାନସଭା ନିର୍ବାଚନ ଲୋକସଭା ନିର୍ବାଚନ ସହ ହେବ । ତେବେ ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ ନିର୍ବାଚନ କମିଶନ ଜାମ୍ମୁ-କାଶ୍ମୀର ସମ୍ପର୍କରେ ରାଜନାଥ ସିଂହ ଓ ଗୃହ ମନ୍ତ୍ରଣାଳୟ ଆଲୋଚନା କରିଥିବା ଜଣାପଡିଛି । ହେଲେ ଏବେ ଜାମ୍ମୁରେ ବିଧାନସଭା ନିର୍ବାଚନ ହେବ ନାହିଁ ବୋଲି ମୁଖ୍ୟ ନିର୍ବାଚନ କମିଶନ ସ୍ପଷ୍ଟ କରିଛନ୍ତି । ଜାମ୍ମୁରେ ମୋଟ ୮୭ଟି ବିଧାନସଭା ଆସନ ରହିଛି । ଜାମ୍ମୁ-କାଶ୍ମୀରରେ ୬ମାସର ରାଜ୍ୟପାଳ ଶାସନ ସରିବାପରେ ସେଠାରେ ବର୍ତମାନ ସମୟରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କର ସୁପାରିଶ କ୍ରମେ ଏହି ସମ୍ପର୍କରେ ଏକ ଘୋଷଣା ପତ୍ରରେ ହସ୍ତାକ୍ଷର କରିଛନ୍ତି ।

ରାଜ୍ୟରେ ମେହେବୁବା ମୁଫତିଙ୍କ ମେଣ୍ଟ ସରକାରରୁ ଜୁନ ମାସରେ ବିଜେପି ସମର୍ଥନ ପ୍ରତ୍ୟାହାର କରିଦେବାରୁ ଜାମ୍ମୁକାଶ୍ମୀରରେ ରାଜନୈତିକ ସଙ୍କଟ ଦେଖାଯାଇଛି । ତେବେ ମିଳିଥିବା ସୂଚନା ଅନୁସାରେ, ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରାଙ୍କ ନେତୃତ୍ୱରେ ଏକ ଟିମ ଜାମ୍ମୁକାଶ୍ମୀରରେ ଗସ୍ତ କରିଥିଲେ । ସେହି ସମୟରେ ସେଠାକାର ବିଭିନ୍ନ ରାଜନୈତିକ ଦଳଙ୍କ ସହ ଆଲୋଚନା ମଧ୍ୟ କରିଥିଲେ ଓ ନିର୍ବାଚନ କରିବା ପାଇଁ ସହମତି ପ୍ରଦାନ ମଧ୍ୟ କରିଥିଲେ। କିନ୍ତୁ ବର୍ତ୍ତମାନର ଅଶାନ୍ତ ପରିସ୍ଥିତିକୁ ନଜରରେ ରଖି ଜମ୍ମୁ-କାଶ୍ମୀରରେ ନିର୍ବାଚନ ନ କରିବାକୁ ଏପରି ନିଷ୍ପତ୍ତି ନେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନର।

ସମ୍ବନ୍ଧିତ ଖବର