ସ୍ୱାଭିମାନ ଦିବସ : ଚିରସ୍ମରଣୀୟ କୁଳବୃଦ୍ଧ

ସେ ଥିଲେ ପ୍ରଚଣ୍ଡ ସ୍ୱାଭିମାନୀ, ସ୍ୱପ୍ନଦ୍ରଷ୍ଟା ଆଉ ସଂପୂର୍ଣ୍ଣ ଓଡ଼ିଆ ପ୍ରାଣ। ଶୋଇ ପଡ଼ୁଥିବା ଓଡ଼ିଆ ପୁଅକୁ ସେ ସ୍ୱାଭିମାନର ଛାଟ ଦେଇ ଉଠାଉ ଥିଲେ। ବ୍ୟକ୍ତି ସ୍ୱାର୍ଥକୁ ବଳୀ ଦେଇ ଜାତି ନନ୍ଦିଘୋଷକୁ ଆଗେଇ ନେବାକୁ ଆହ୍ଵାନ ଦେଉଥିଲେ। ଉତ୍କଳ ଆଉ ଓଡ଼ିଆର ସ୍ୱତନ୍ତ୍ରତା ପାଇଁ ଶେଷ ଶ୍ୱାସ ପର୍ଯ୍ୟନ୍ତ ସଂଗ୍ରାମ କରି ଚାଲିଥିଲେ। ସେହି ଯୋଗଜନ୍ମା ମହାପୁରୁଷ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ଜନ୍ମ ହୋଇଥିଲା, କଟକ ଜିଲ୍ଲାର ସତ୍ୟଭାମାପୁର ଗ୍ରାମରେ ପିତା ଚୌଧୁରୀ ରଘୁନାଥ ଦାସ ଓ ମାତା ପାର୍ବତୀ ଦେବୀଙ୍କ ଔରସରୁ ୧୮୪୮ ମସିହା ଏପ୍ରିଲ ୨୮ ତାରିଖରେ।

ଜନ୍ମଭୂମି ସତ୍ୟଭାମାପୁରରୁ ତାଙ୍କର ଯାତ୍ରା କଲିକତା, ବ୍ରିଟେନ ଦେଇ ଶେଷ ହୋଇଥିଲା କର୍ମଭୂମି କଟକ ସହରରେ। ଆଉ ଏହି ଲମ୍ବା ଯାତ୍ରା ଓଡ଼ିଆ ଓ ଓଡ଼ିଶା ପାଇଁ ଯୁଗଯୁଗର ସ୍ୱତନ୍ତ୍ରତାକୁ ନିଶ୍ଚିତ କରି ଯାଇଥିଲା। ଏ ଜାତି, ଏ ମାଟି ତାଙ୍କ ନିକଟରେ ଚିର କୃତଜ୍ଞ ରହିବାକୁ ବାଧ୍ୟ। ତାଙ୍କ ନାମରେ ରାସ୍ତା, ପୋଲ, ନଗର, ପାଠାଗାରର ନାମକରଣ କରି ସେ ଋଣ ଶୁଝିବାକୁ ସାମାନ୍ୟ ଉଦ୍ୟମ ହୋଇ ଆସିଛି ସତ କିନ୍ତୁ ସ୍ୱାର୍ଥ ଆଉ ଅଭିମାନକୁ ବଳି ଦେଇ ସ୍ୱାଭିମାନର ଧ୍ୱଜା ଧାରଣ ପାଇଁ କୁଳବୃଦ୍ଧଙ୍କ ଆହ୍ଵାନରେ ଉଦ୍‌ବୁଦ୍ଧ ହେବା ହିଁ ହେବ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି।

ପ୍ରସ୍ତୁତି: ଦେବୀପ୍ରସନ୍ନ ଖୁଣ୍ଟିଆ, ଜ୍ୟୋତିପ୍ରକାଶ ମହାପାତ୍ର

ମଧୁଙ୍କ ସ୍ମୃତିରେ

ମଧୁବାବୁ ପେନ୍‌ସନ୍‌ ଯୋଜନା

ପୂର୍ବରୁ ପ୍ରଚଳିତ ବାର୍ଦ୍ଧକ୍ୟ ଭତ୍ତା ଓ ଭିନ୍ନକ୍ଷମ ଭତ୍ତାକୁ ରାଜ୍ୟ ସରକାର ମିଶ୍ରଣ କରି ୨୦୦୮ ଜାନୁଆରି ୧ ତାରିଖରୁ ମଧୁବାବୁ ପେନସନ୍‌ ଯୋଜନା ନାମରେ ନାମିତ କରିଥିଲେ। ଏହି ଯୋଜନାରେ ୭୯ ବର୍ଷ ପର୍ଯ୍ୟନ୍ତ ବ୍ୟକ୍ତିଙ୍କୁ ୩ଶହ ଟଙ୍କା ଓ ୮୦ ଅଥବା ତା’ଠୁ ଅଧିକ ବୟସରୁ ବ୍ୟକ୍ତିଙ୍କୁ ୫ଶହ ଟଙ୍କା ଭତ୍ତା ପ୍ରଦାନ କରାଯାଉଛି।

ମଧୁସୂଦନ ସଂଗ୍ରହାଳୟ

ଶୈଳବାଳା ସ୍ୱଂୟଶାସିତ ମହିଳା କଲେଜ ପରିସରକୁ ଲାଗି ରହିଛି ମଧୁସୂଦନ ସଂଗ୍ରହାଳୟ। ମଧୁସୂଦନଙ୍କ ଘରର ଏକ ପାର୍ଶ୍ୱକୁ ସଂଗ୍ରହାଳୟରେ ପରିଣତ କରାଯାଇଛି। ଏହାକୁ ୨୦୦୭ ମସିହାରେ ସର୍ବସାଧାରଣଙ୍କ ନିମନ୍ତେ ଉତ୍ସର୍ଗ କରାଯାଇଥିଲା। ୧୧ ବର୍ଷ ବିତି ଯାଇଥିଲେ ବି ଏହାର ବିକାଶ ପାଇଁ ସେପରି କିଛି ଉଦ୍ୟମ କରାଯାଇ ନଥିବା ଅଭିଯୋଗ ହୋଇଛି। ସଂଗ୍ରହାଳୟରେ ମଧୁ ବାବୁ ବ୍ୟବହାର କରୁଥିବା, ଲୁଗା, ଚମଡା ଜୋତା ଓ ବ୍ୟାଗ, ଟୋପି, ପିତ୍ତଳ ଓ ମାର୍ବଲର ବାସନ କୁସନ, କପ୍‌, ପ୍ଲେଟ୍‌, ଖଟ, ଟେବୁଲ, ଚୌକି, କଲମ ଓ ଦୁଆତ, ପୁରୁଣା ଗ୍ରନ୍ଥ, ହୋମିଓପାଥି ଔଷଧ ସରଞ୍ଜାମ ରହିଛି। ଏହାସହ ତାଙ୍କ ଜୀବନର ବିଭିନ୍ନ ଅବସ୍ଥାର ଫଟୋ ମଧ୍ୟ ଏଠାରେ ପ୍ରଦର୍ଶିତ କରାଯାଇଛି। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଏହାର ପ୍ରଚାର ଓ ପ୍ରସାର ଦିଗରେ ସେପରି କିଛି କରାଯାଇ ନଥିବା ବେଳେ ୧୧ବର୍ଷ ମଧ୍ୟରେ ମାତ୍ର ୮ହଜାର ୪୧୮ଜଣ ପର୍ଯ୍ୟଟକ ଏଠାକୁ ଆସିଥିବାର ରେକର୍ଡ କହୁଛି। ସଂଗ୍ରହାଳୟରେ ଏବେ ମାତ୍ର ଜଣେ ତତ୍ତ୍ୱାବଧାରକ ଥିବା ବେଳେ ଏହାକୁ ସଫା କରିବାକୁ ଏବେ ଝାଡୁ ଖଣ୍ଡେ ବି ନଥିବା ଅଭିଯୋଗ ହୋଇଛି।

ଚହଟା-ନୂଆପାଟଣା ଉତ୍କଳଗୌରବ ମଧୁସୂଦନ ସେତୁ

୨୦୧୮, ଏପ୍ରିଲ ୧ ତାରିଖ, ଉତ୍କଳ ଦିବସ ଅବସରରେ ମହାନଦୀରେ ଚହଟା-ନୂଆପାଟଣା ସେତୁକୁ ‘ଉତ୍କଳ ଗୌରବ ମଧୁସୂଦନ ସେତୁ’ ଭାବେ ନାମିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି। ୧୫୭ କୋଟି ୪୭ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ସେତୁ କଟକ ସହରର ପଶ୍ଚିମାଞ୍ଚଳରୁ ଚୌଦ୍ୱାର, ଆଠଗଡ଼ ଏବଂ ଚୌଦ୍ୱାର-କଟକ ନିର୍ବାଚନମଣ୍ଡଳୀକୁ ଯୋଗାଯୋଗ ସହଜ କରିଛି।

ମଧୁସୂଦନ ନବ ଉଦ୍ୟାନ

କଟକ ମହାନଗର ନିଗମ ପକ୍ଷରୁ ୨୦୦୮ରେ ତୁଳସୀପୁର ସ୍ଥିତ ଡିଅର ପାର୍କର ପଛପଟେ ନିର୍ମାଣ କରାଯାଇଛି ‘ମଧୁସୂଦନ ନବ ଉଦ୍ୟାନ’। ଉଦ୍ୟାନ ମଧ୍ୟରେ ମଧୁ ବାବୁଙ୍କ ଏକ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି। କିନ୍ତୁ ଉଦ୍ୟାନଟିରେ ପ୍ରାୟତ ସବୁ ସମୟରେ ତାଲା ଝୁଲୁ ଥିବା ବେଳେ କେବଳ ମଧୁ ଜୟନ୍ତୀରେ ଏହାକୁ ଖୋଲା ଯାଉଥିବା ଦେଖିବାକୁ ମିଳେ।

ମଧୁସୂଦନ ପାଠାଗାର

ତୁଳସୀପୁର, ମଧୁସୂଦନ ନଗର ଠାରେ ରହିଛି ମଧୁସୂଦନ ପାଠାଗାର। ୧୯୯୨ରେ ସ୍ଥାପିତ ହୋଇଥିବା ପାଠାଗାରରେ ଏବେ ରହିଛି ୧୦ ହଜାରରୁ ଅଧିକ ସଂଖ୍ୟାର ବହି। ପ୍ରତ୍ୟେକ ସଂଧ୍ୟା ୫ରୁ ରାତି ସାଢେ ୮ପର୍ଯ୍ୟନ୍ତ ଏହା ଖୋଲା ରହେ। ଏହି ପାଠାଗାର ଏବେ ରୌପ୍ୟ ଜୟନ୍ତୀ ପାଳନ କରୁଛି।

ମଧୁସୂଦନ ଆଇନ ମହାବିଦ୍ୟାଳୟ

ଓଡ଼ିଶାର ସର୍ବପୁରାତନ ଆଇନ ମହାବିଦ୍ୟାଳ ଭାବେ ଏହାର ଖ୍ୟତି ରହିଛି। ଉତ୍କଳ ବିଶ୍ୱବିଦ୍ୟାଳୟର ଏହା ହେଉଛି ପ୍ରଥମ ସିଟିଙ୍ଗ୍‌ ବିଭାଗ। ୧୮୬୯ ମସିହରେ ରେଭେନ୍ସା କଲଜିଏଟ୍‌ ସ୍କୁଲରେ ଆଇନ୍‌ରେ ଡିପ୍ଲୋମା କୋର୍ସ ଆରମ୍ଭ କରାଯାଇଥିଲା। ଏହାପରେ ଏହାକୁ ୧୮୮୧ରେ ଆଇନରେ ସ୍ନାତକ ପାଠ୍ୟକ୍ରମ ରେଭେନ୍ସା କଲେଜରେ ଆରମ୍ଭ କରାଗଲା। ଏହାପରେ କଲେଜଟି ନିଜସ୍ୱ ସ୍ଥାନରେ ଆରମ୍ଭ ହୋଇଥିଲା। ଏବେ ଏଠାରେ ତିନି ବର୍ଷିଆ ବିଏ ଏଲ.ଏଲ. ବି, ୫ବର୍ଷିଆ ଇଣ୍ଟିଗ୍ରେଟେଡ୍‌ ବିଏ ଏଲ.ଏଲ.ବି, ଦୁଇ ବର୍ଷିଆ ଏମ୍‌.ଏ.ଏଲ.ଏଲ.ବି ପାଠ୍ୟକ୍ରମରେ ପିଲାଙ୍କୁ ଶିକ୍ଷା ଦିଆଯାଉଛି।

ମଧୁସୂଦନ ନଗର

କଟକ ମହାନଗର ନିଗମର ୧୬ ନମ୍ବର ଓ୍ଵାର୍ଡରେ ରହିଛି ମଧୁସୂଦନ ନଗର। ୧୭ବର୍ଷରୁ ଅଧିକ ବର୍ଷ ହେବ ଓ୍ଵାର୍ଡର ତୁଳସୀପୁର ଅଞ୍ଚଳର କିଛି ସ୍ଥାନକୁ ମଧୁ ସୂଦନଙ୍କ ନାମରେ ନାମିତ କରାଯାଇଛି। ଏଠାରେ ଏବେ ୪ଶହରୁ ଅଧିକ ପରିବାର ବାସ କରୁଛନ୍ତି। ଏହାର ପରିସୀମା ମଧ୍ୟରେ ମଧୁ ପାର୍କ, ପାଠାଗାର, ମଧୁ ବାବୁଙ୍କ ସମାଧି ସ୍ଥାନ ରହିଛି।

ସ୍ଥିତି ଖୋଜୁଛି ଜନ୍ମମାଟି

କଟକ ଜିଲ୍ଲାର ସତ୍ୟଭାମାପୁର ଗ୍ରାମରେ ସାଢେ ଚାରି ଏକର ଜାଗାରେ ରହିଛି ମଧୁବାବୁଙ୍କ ଜନ୍ମସ୍ଥାନ। ଏଠାରେ ଚୌଧୁରୀ ରଘୁନାଥ ଦାସଙ୍କ ୪ ବଖରା ଘର ଥିବାବେଳେ ମଝିରେ ରହିଛି ଏକ ପାଠାଗାର। ଏହି ପାଠାଗାରକୁ ମଧୁସୂଦନଙ୍କ ସାନ ଭାଇ ଗୋପାଳ ବଲ୍ଲଭ ଦାସ ସ୍ଥାପନ କରିଥିଲେ । ପାଠାଗାର ନିକଟରେ ରହିଛି ମଧୁ ମଣ୍ଡପ ଏବଂ ତା’ ପାଖରେ ରହିଛି କୁଳବୃଦ୍ଧଙ୍କ ଏନ୍ତୁଡିଶାଳ । ୧୯୨୫ରେ ମଧୁବାବୁଙ୍କ ଦେବାଳିଆ ପରିସ୍ଥିତି ପାଇଁ ଅଧା ଜାଗା ନିଲାମ ହୋଇଯାଇଥିଲା। କିନ୍ତୁ ଏହାକୁ ଋଣମୁକ୍ତ କରିଥିଲେ ମଧୁସୂଦନଙ୍କ ଝିଆରୀ ତଥା ଗୋପାଳବଲ୍ଲଭଙ୍କ ଝିଅ ରମାଦେବୀ। ମହାତ୍ମା ଗାନ୍ଧୀଙ୍କ ଠାରୁ ୪ ହଜାର ଟଙ୍କା ଧାର ସୂତ୍ରରେ ଆଣି ସେ ଏହି ସମ୍ପତ୍ତିକୁ ବନ୍ଧକ ମୁକ୍ତ କରିଥିଲେ। ଏବେ ଏହି ଜାଗା କସ୍ତୁରବା ଗାନ୍ଧୀ ରାଷ୍ଟ୍ରୀୟ ସ୍ମାରକ ଟ୍ରଷ୍ଟ ଅଧୀନରେ ରହିଛି । ଅବଶିଷ୍ଟ ଜାଗା ମଧୁସୂଦନ ସ୍ମୃତି କମିଟି ନିୟନ୍ତ୍ରଣରେ ରହିଛି।
ମଧୁବାବୁଙ୍କ ଏହି ଜନ୍ମପୀଠରେ ରହିଛି ଦୁଇଟି ପୋଖରୀ, ରସକୁଣ୍ଡ ଓ କନକ ଦଣ୍ଡା। ଟ୍ରଷ୍ଟ ଦ୍ୱାରା ପରିଚାଳିତ ଏହି ସ୍ଥାନରେ ଏକ କନ୍ୟାଶ୍ରମ, ମାତୃମଙ୍ଗଳ କେନ୍ଦ୍ର ରହିଛି। ତେବେ ସରକାରଙ୍କ ଜନନୀ ସୁରକ୍ଷା କାର୍ଯ୍ୟକ୍ରମ କାରଣରୁ ଏହି ମାତୃମଙ୍ଗଳ କେନ୍ଦ୍ର ଏବେ ବନ୍ଦ ହୋଇ ରହିଛି।

ଜବରଦଖଲରେ ସଂଯୋଗ ରାସ୍ତା
ମଧୁବାବୁଙ୍କ ଜନ୍ମପୀଠରୁ ମଧୁକୋଠିର ଦୂରତା ହେଉଛି ମାତ୍ର ଦୁଇଶହ ମିଟର । ପୂର୍ବରେ ମଧୁବାବୁଙ୍କ ଜନ୍ମସ୍ଥାନ ଥିବାବେଳେ ପଶ୍ଚିମରେ ଥିବା ୧୮୮୧ରେ ନିର୍ମିତ ମଧୁକୋଠିକୁ ଯିବା ପାଇଁ ରାସ୍ତା ରହିଛି । ଏହି ରାସ୍ତା ଏବେ ଜବରଦଖଲ ହୋଇଥିବାବେଳେ ମଧୁକୋଠିକୁ ଯିବା ପାଇଁ ମୁଖ୍ୟ ରାସ୍ତା ବ୍ୟବହାର କରିବାକୁ ପଡୁଛି । ତେବେ ଏହି ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ବାରମ୍ବାର ଦାବି ହେଉଥିଲେ ବି ପ୍ରଶାସନର ନିଦ ଭାଙ୍ଗୁନି।

ଗାଁରେ ନାହିଁ ହାଇସ୍କୁଲ, ମେଡିକାଲ
ଉତ୍କଳ ଗୌରବ ମଧୁସୂୂଦନ ଶିଳ୍ପ ତଥା ନାରୀ ଶିକ୍ଷାର ବିକାଶ ପାଇଁ ଅହରହ ଉଦ୍ୟମ କରିଆସୁଥିଲେ । ହେଲେ ଆଜି ମଧୁସୂଦନଙ୍କ ଜନ୍ମମାଟିରେ ହାଇସ୍କୁଲଟିଏ ନାହିଁ । ଏଠାରେ ଥିବା ବାଳିକା ପ୍ରାଥମିକ ବିଦ୍ୟାଳୟଟି ମଧୁବାବୁ ପ୍ରତିଷ୍ଠା କରିଥିବା ବେଳେ ହାଇସ୍କୁଲ ଶିକ୍ଷା ପାଇଁ ଅନ୍ୟତ୍ର ଯିବାକୁ ପଡୁଛି । ସେହିପରି ଏଠାରେ ମେଡିକାଲ ପାଇଁ ଯୋଜନା ଥିଲେ ମଧ୍ୟ ଆଜି ସୁଦ୍ଧା ତାହା କେବଳ ଯୋଜନାରେ ସୀମିତ ରହିଥିବା ଗ୍ରାମର ମଧୁପ୍ରେମୀ ତଥା ସମାଜସେବୀ ବାସୁଦେବ ରାଉତ ଅଭିଯୋଗ କରିଛନ୍ତି ।

ଘୋଷଣାର ବର୍ଷକ ପରେ ଶିଳାନ୍ୟାସ
ମଧୁବାବୁଙ୍କ ଜନ୍ମପୀଠକୁ ପର୍ଯ୍ୟଟନ କେନ୍ଦ୍ରର ମାନ୍ୟତା ଦେଇଛନ୍ତି ରାଜ୍ୟ ସରକାର । ମଧୁ ଜୟନ୍ତୀ ଅବସରରେ ଗତ ବର୍ଷ ସରକାର ଏହି ଘୋଷଣା କରିଥିବାବେଳେ ଏଥିପାଇଁ ୧ କୋଟି ୬୨ ଲକ୍ଷ ମଞ୍ଜୁର କରିଛନ୍ତି । ଯୋଜନା ଅନୁଯାୟୀ, ଏହି ଅର୍ଥରେ ଏକ ସଂଗ୍ରହାଳୟ ନିର୍ମାଣ ହେବା ସହ ଭିତରେ ଥିବା ଦୁଇଟି ପୋଖରୀ ରସକୁଣ୍ଡ ଏବଂ କନକଦଣ୍ଡାର ପୁନରୁଦ୍ଧାର ହେବ । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପୋଖରୀ ଚାରିପଟେ ଗଛ ଲଗାଯିବା ସହ ଉଜ୍ୱଳ ଆଲୋକର ବନ୍ଦୋବସ୍ତ ହେବ । ତେବେ ଘୋଷଣାର ବର୍ଷକ ପରେ ଏହି ପର୍ଯ୍ୟଟନ କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଗତ ୨୩ ତାରିଖରେ ଏହାର ଶିଳାନ୍ୟାସ ହୋଇଛି । ତେବେ ଜନ୍ମସ୍ଥାନର ପଛ ପଟରେ ଥିବା ପୁରୁଣା ଘରକୁ ଭାଙ୍ଗି ସେଠାରେ ସଂଗ୍ରହାଳୟ କରିବା ପାଇଁ ଦାବି ହୋଇଥିବା ବେଳେ ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ନ ଦେଇ ସାମନାରେ ଥିବା ଖୋଲା ଜାଗାରେ ନିର୍ମାଣ ଆରମ୍ଭ କରିଛି।

ଐତିହ୍ୟ କୋଠାରୁ ପାଣି ଗଳୁଛି
ମଧୁବାବୁଙ୍କ ଜନ୍ମପୀଠରେ ରହିଛି ଦୁଇ ଶହ ବର୍ଷର ପୁରୁଣା କୋଠା। ୨୦୧୩-୧୪ରେ ଇନଟାକ ପକ୍ଷରୁ ଏହାର ମରାମତି ହୋଇଥିଲା। ପରିସରରେ ଥିବା ଏନ୍ତୁଡିଶାଳର ବାଉଁଶ ଆଟୁ ନିର୍ମାଣ ହେବା ସହ ସମ୍ମୁଖରେ ପଥର ପ୍ୟାକିଂ ହୋଇଥିଲା । ତେବେ ଦୁଇ ଶହ ବର୍ଷର ପୁରୁଣା ଘରର ଛାତରୁ ଏବେ ପାଣି ଗଳୁଥିବା ଅଭିଯୋଗ ହୋଇଛି । ଅନ୍ୟପଟେ କାନାଡାବାସୀଙ୍କ ସହଯୋଗରେ ନିର୍ମିତ ପାଚେରି ଏବେ ରକ୍ଷଣାବେକ୍ଷଣ ଅଭାବରୁ ଭୁଶୁଡି ପଡିଥିବା ଅଭିଯୋଗ ହୋଇଛି।

‘ଭାରତ ରତ୍ନ’ ପାଇଁ ଦସ୍ତଖତ ଅଭିଯାନ

ମଧୁବାବୁଙ୍କୁ ଦିଆଯାଉ ଭାରତରତ୍ନ ଉପାଧି। ତାସହିତ ତାଙ୍କ ଜନ୍ମପୀଠକୁ ଜାତୀୟ ସ୍ମାରକୀ ଭବେ ଘୋଷଣା କରାଯାଉ। ଏଭଳି ଦାବି ଦୀର୍ଘ ଦିନ ହେଲା ଆରମ୍ଭ ହୋଇଛି ମଧୁମାଟି ସାଲେପୁରରୁ। ସାଲେପୁର ମହୋତ୍ସବ ମାଧ୍ୟମରେ ଏଥିପାଇଁ ଆରମ୍ଭ ହୋଇଛି ଦସ୍ତଖତ ସଂଗ୍ରହ ଅଭିଯାନ। ୧୦ ଲକ୍ଷ ଦସ୍ତଖତ ସଂଗ୍ରହ କରାଯାଇ ଏହି ଦାବି କେନ୍ଦ୍ର ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବ। ଅନ୍ୟପଟେ ମଧୁବାବୁଙ୍କ ମହାପ୍ରୟାଣ ଦିବସରେ ଜନ୍ମମାଟି ସତ୍ୟଭାମାପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଜାତୀୟ ସ୍ମାରକୀ ଭାବେ ପରିଣତ କରିବା ପାଇଁ ଘୋଷଣା କରିଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ଏହାର ଯୋଜନା ପ୍ରସ୍ତୁତ ହୋଇପାରିନି।

ଓକିଲାତି ପେସା, ଓଡ଼ିଶାର ବିକାଶ ନିଶା

ଉତ୍କଳ ଗୌରବ ମଧୁସୂଦନ ଇଂରାଜୀରେ ଏମଏ ପାସ୍‌ କରିବା ପରେ କଲିକତାରେ ଓକିଲ ହେବା ଝୁଙ୍କରେ ବିଏଲ୍‌ ପଢିଲେ। ନାଇଟ କଲେଜରେ ପାଠ ପଢିଲେ। ଯାହାକି ସହଧର୍ମିଣୀ ସୌଦାମିନୀଙ୍କୁ ଠିକ୍‌ ଲାଗୁ ନଥାଏ। ସେ ମଧୁବାବୁଙ୍କୁ କହିଲେ ଯଦି ଓକିଲ ହେବାରେ ମନ ଥିଲା, ବିଏ ପାସ ପରେ ଲ’ ତୁମେ ପଢି ପାରିଥାନ୍ତ। ଏମଏ ପାଠ କଣ ଦରକାର ଥିଲା? ଏହାର ଉତ୍ତରରେ ମଧୁବାବୁ କହିଥିଲେ ଯେ ବିଏଲ୍‌ ପାଠ ପଢି ମୁଁ ଓକିଲ ହୋଇ ପଇସା ରୋଜଗାର କରିବାକୁ ଚାହୁଁ ନାହିଁ। ଉତ୍କଳର ଉନ୍ନତି ପାଇଁ ଇଂରେଜ ସରକାର ସହିତ ମୁକାବିଲା କରିବା ପାଇଁ ଏହା ଅତ୍ୟନ୍ତ ଜରୁରି। ମଧୁବାବୁଙ୍କ ମତ ଥିଲା ଆଇନ ପାଠ ନ ଜାଣିଲେ ଇଂରେଜ ସରକାରଙ୍କ ସମନା କରିବା ସମ୍ଭବ ନୁହେଁ। ମଧୁସୂଦନ ଥିଲେ ପ୍ରଥମ ଓଡ଼ିଆ ଓକିଲ। ତାଙ୍କ କନ୍ୟା ସୁଧାଂଶୁବାଳା ଥିଲେ ସମଗ୍ର ଭାରତବର୍ଷର ପ୍ରଥମ ମହିଳା ଓକିଲ। ସେତେବେଳେ ମହିଳାମାନଙ୍କୁ ଓକିଲାତି କରିବାକୁ ସ୍ୱୀକୃତି ମିଳୁ ନଥିଲା। ମଧୁବାବୁଙ୍କ ଉଦ୍ୟମ ଓ ଆଇନଗତ ଲଢେଇ ଫଳ ସ୍ୱରୂପ ତାଙ୍କ କନ୍ୟା ସୁଧାଂଶୁବାଳା ପ୍ରଥମ ମହିଳା ଓକିଲ ଭାବେ ଇଂରେଜ ସରକାରଙ୍କ ନିକଟରୁ ସ୍ୱୀକୃତି ପାଇଥିଲେ। ମଧୁବାବୁ ବିହାର-ଓଡ଼ିଶାର ସ୍ୱାୟତ୍ତ ଶାସନ ବିଭାଗର ମନ୍ତ୍ରୀ ଥିବା ବେଳେ ମନ୍ତ୍ରୀ ହିସାବରେ ଅବୈତନିକ ଭାବେ କାର୍ଯ୍ୟ କରିବା ପାଇଁ ଓ ନିଜର ପ୍ରତିପୋଷଣ ପାଇଁ ଓକିଲାତି କରିବା ଲାଗି ଅନୁମତି ଦେବା ପାଇଁ ଏକ ପ୍ରସ୍ତାବ ବ୍ରିଟିଶ ସରକାରଙ୍କୁ ଦେଇଥିଲେ। ମାତ୍ର ଏହା ଖାରଜ ହୋଇଯିବାରୁ ମଧୁବାବୁ ମନ୍ତ୍ରୀ ପଦ ତ୍ୟାଗ କରିଥିଲେ। ମଧୁବାବୁ ଓକିଲାତି ବୃତ୍ତିରେ ପ୍ରଚୁର ଅର୍ଥ ରୋଜଗାର କରିଥିଲେ ମଧ୍ୟ ଜାତିର ସର୍ବାଙ୍ଗୀନ ଉନ୍ନତି ପାଇଁ ସମସ୍ତ ଆୟ ଖର୍ଚ୍ଚ କରି ଶେଷରେ ଦେବାଳିଆ ହୋଇ ପଡିଥିଲେ। ଓକିଲାତି ତାଙ୍କ ପେସା ଥିଲା ସତ କିନ୍ତୁ ଓଡ଼ିଶାର ବିକାଶ ଥିଲା ତାଙ୍କର ଏକ ମାତ୍ର ନିଶା।
ଦେବସ୍ନାନ ଦାସ, ଆଇନଜୀବୀ

ନୂତନ ଚିନ୍ତାଧାରାର ପ୍ରବର୍ତ୍ତକ

ମଧୁବାବୁ ନୂତନ ଓଡ଼ିଶାର ଚିନ୍ତା ନାୟକ। ଓଡ଼ିଶାରେ ଶିଳ୍ପାୟନ, ସାହିତ୍ୟ, ପ୍ରଶାସନିକ ସ୍ତରରେ ଆଇନ ପ୍ରଣୟନ କ୍ଷେତ୍ରରେ ମଧୁବାବୁଙ୍କ ଅବଦାନ ଅତୁଳନୀୟ। ସେ ନୂତନ ଚିନ୍ତାଧାରାର ପ୍ରବର୍ତ୍ତକ। ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପ୍ରସଂଗରେ ସେ ଚିର ସ୍ମରଣୀୟ। ସେ ଓଡ଼ିଶାରୁ କଲିକତା ଓ ପରେ ବିଲାତ ଯାଇଥିଲେ କେବଳ ଓଡ଼ିଶା ପ୍ରଦେଶ ଓ ଓଡ଼ିଆ ଜାତିର ସ୍ୱାର୍ଥ ରକ୍ଷା ପାଇଁ। ମଧୁବାବୁଙ୍କ ଚିନ୍ତାଧାରା ଓ ଆଦର୍ଶକୁ ଯଦି ଅନ୍ୟମାନେ ଗ୍ରହଣ କରି ପାଳନ କରୁ ଥାନ୍ତେ ତେବେ ଆଜି ଏପରି ପରିସ୍ଥିତି ସୃଷ୍ଟି ହେଉ ନଥାନ୍ତା।
ଡକ୍ଟର ଅଶୋକ କୁମାର ମହାପାତ୍ର, ବରିଷ୍ଠ ଆଇନଜୀବୀ

ସ୍ୱାଭିମାନର ସଂଗ୍ରାମୀ

ମଧୁବାବୁ ସାରା ଜୀବନ ଓଡ଼ିଆ ଭାଷା ଓ ଜାତିର ଉନ୍ନତି ପାଇଁ କାର୍ଯ୍ୟ କରିଥିଲେ। ତାଙ୍କ ଉଦ୍ୟମରେ ୧୯୩୬ରେ ଓଡ଼ିଶା ଭାଷାଭିତ୍ତିକ ପ୍ରଦେଶ ଭାବେ ସ୍ୱୀକୃତି ପାଇଥିଲା। ଓଡ଼ିଶାରେ ବେଙ୍ଗଲୀ ଓକିଲଙ୍କ ପ୍ରଭାବ ଥିଲା। ସେ ଓଡ଼ିଆ ଓକିଲ ଭାବେ ରାଜ୍ୟ ତଥା ରାଜ୍ୟ ବାହାରେ ସୁନାମ ଅର୍ଜନ କରିବା ସହିତ ଓଡ଼ିଆ ଓକିଲଙ୍କ ପାଇଁ ପଥ ପରିଷ୍କାର କରିଥିଲେ।। ସେ ଜଗନ୍ନାଥ ମନ୍ଦିରର ସୁରକ୍ଷା ପାଇଁ ମୋକଦ୍ଦମା ଲଢିଥିଲେ। ଗଜପତିଙ୍କ ପାଇଁ ମାମଲା ପରିଚାଳନା କରିଥିଲେ। ଓଡ଼ିଶା ପ୍ରଦେଶ ତଥା ଓଡ଼ିଆଙ୍କ ସ୍ୱାଭିମାନ ପାଇଁ ସେ ସଫଳତାର ସହିତ ଲଢେଇ ଜାରି ରଖିଥିଲେ। ଦେଶ ଓ ଜାତି ପାଇଁ ସ୍ୱାର୍ଥ ତ୍ୟାଗ କରି କାର୍ଯ୍ୟ କରିବା ପାଇଁ ସେ କହୁଥିଲେ। ଯୁବପିଢୀ ଏହି ଆଦର୍ଶରେ ଅନୁପ୍ରାଣିତ ହେବା ଆବଶ୍ୟକ।
ବିଜୟ କୁମାର ରଗଡ, ଆଇନଜୀବୀ

ଗରିବଙ୍କ ପାଇଁ ମାଗଣା ଓକିଲାତି କରୁଥିଲେ

ମଧୁବାବୁ କେବଳ ଜଣେ ଆଇନଜ୍ଞ ନଥିଲେ। ସେ ଥିଲେ ଜଣେ ଶିଳ୍ପେଦ୍ୟୋଗୀ। ସେ ଓଡ଼ିଶାରେ ସ୍ୱଦେଶୀ ଜ୍ଞାନକୌଶଳରେ ଶିଳ୍ପ ପ୍ରତିଷ୍ଠା ଉପରେ ଗୁରୁତ୍ୱ ଦେଉଥିଲେ। ଏବେ ଗରିବ ଓ ମହିଳାଙ୍କ ପାଇଁ ମାଗଣା ଆଇନ ସହାୟତା ପାଇଁ ସାରା ଦେଶରେ ଗୁରୁତ୍ୱାରୋପ କରାଯାଉଛି। ସେତେବେଳେ ମଧୁବାବୁ ଏହି କାର୍ଯ୍ୟ ଖୁବ୍‌ ସଫଳତାର ସହିତ କରୁଥିଲେ। ଗରିବଙ୍କ ପାଇଁ ସେ ମାଗଣାରେ ଓକିଲାତି କରୁଥିଲେ। ନ୍ୟାୟ ଦେବା ପାଇଁ ସେ ନିଷ୍ଠାର ସହିତ କାର୍ଯ୍ୟ କରୁଥିଲେ। ସେ ଥିଲେ କର୍ତ୍ତବ୍ୟ ପରାୟଣ। ବର୍ତ୍ତମାନର ଓକିଲମାନେ ମଧୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେଲେ ରାଜ୍ୟ ତଥା ଦେଶରେ ସକରାତ୍କମ ପରିବର୍ତ୍ତନ ଆସି ପାରିବ।
ଜଗବନ୍ଧୁ ସାହୁ, ବରିଷ୍ଠ ଆଇନଜୀବୀ

ସମ୍ବନ୍ଧିତ ଖବର