ଆଇସିସି ଦିନିକିଆ ମାନ୍ୟତା ଭାରତ ଦ୍ବିତୀୟ

କୋହଲି, ବୁମ୍‌ରା ଶୀର୍ଷରେ ସ୍ଥିର

ଦୁବାଇ: ଭାରତୀୟ କ୍ରିକେଟ୍‌ ଦଳ ସୋମବାର ଘୋଷିତ ଆଇସିସି ଦିନିକିଆ ମାନ୍ୟତାରେ ଦ୍ବିତୀୟ ସ୍ଥାନରେ ରହିଛି। ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ‌ଦ୍ରୁତ ବୋଲର ଜସପ୍ରୀତ ବୁମ୍‌ରା ଯଥାକ୍ରମେ ବ୍ୟାଟିଂ ଓ ବୋଲିଂରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ବିପକ୍ଷ ଶୃଙ୍ଖଳା ଜିତିବା ପରେ ଭାରତ ୧୨୨ ପଏଣ୍ଟ୍‌ ସହ ଇଂଲଣ୍ଡ (୧୨୬) ପଛକୁ ଏହି ସ୍ଥାନରେ ରହିଛି। ଗତ ମାସ ଅଷ୍ଟ୍ରେଲିଆ ବିପକ୍ଷ ଶୃଙ୍ଖଳାରେ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିବା ମହେନ୍ଦ୍ର ସିଂହ ଧୋନି ୩ ସ୍ଥାନ ଲମ୍ଫ ଦେଇ ସପ୍ତଦଶରେ ପହଞ୍ଚିଛନ୍ତି। ଗତ ଭାରତ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ସର୍ବାଧିକ ୱିକେଟ୍‌ ନେଇଥିବା ନ୍ୟୁଜିଲାଣ୍ଡ୍‌ର ଦ୍ରୁତ ‌ବୋଲର ଟ୍ରେଣ୍ଟ୍‌ ବୋଲ୍ଟ ୭ ସ୍ଥାନ ଉପରକୁ ଉଠି ତୃତୀୟରେ ରହିଛନ୍ତି। ତାଙ୍କ ଅଗରେ ଆଫ୍‌ଗାନିସ୍ଥାନ ଲେଗ୍‌ ସ୍ପିନର ରସିଦ ଖାନ୍‌ (ଦ୍ବିତୀୟ) ରହିଛନ୍ତି। ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲ ଗୋଟିଏ ସ୍ଥାନ ଏବଂ ଦ୍ରୁତ ବୋଲର ଭୁବନେଶ୍ବର କୁମାର ୬ ସ୍ଥାନ ଉପରକୁ ଉଠି ଯଥାକ୍ରମେ ପଞ୍ଚମ ଓ ସପ୍ତଦଶରେ ରହିଛନ୍ତି। ବ୍ୟାଟିଂରେ କେଦା‌ର ଯାଦବ ଗୋଟିଏ ସ୍ଥାନ ଉନ୍ନୀତ ହୋଇ ଅଷ୍ଟମରେ ରହିଛନ୍ତି। ଭାରତଠୁ ପରାଜିତ ହେବା ପରେ ନ୍ୟୁଜିଲାଣ୍ଡ୍‌ ତଳକୁ ଖସି ଦକ୍ଷିଣ ଆଫ୍ରିକା ପଛକୁ ଚତୁର୍ଥରେ ରହିଛି।

ସମ୍ବନ୍ଧିତ ଖବର