ଦଲିପ୍‌ ଟ୍ରଫି: ଇଣ୍ଡିଆ ରେଡ୍‌ ୧୬୩/୨

ଅଲୁର (କର୍ଣ୍ଣାଟକ): ଚଳିତ ଋତୁର ବିସିସିଆଇ ଘରୋଇ ପ୍ରତିଯୋଗିତା ଦଲିପ୍‌ ଟ୍ରଫି ବର୍ଷା ଦ୍ବାରା ପ୍ରଭାବିତ ହେବାରେ ଲାଗିଛି। ବେଙ୍ଗାଲୁରୁରେ ଗତ ସପ୍ତାହରେ ଇଣ୍ଡିଆ ବ୍ଲୁ ଓ ଇଣ୍ଡିଆ ଗ୍ରିନ୍‌ ମଧ୍ୟରେ ଏହି ପ୍ରତିଯୋଗିତାର ପ୍ରଥମ ମୁକାବିଲା ବର୍ଷା ଯୋଗୁଁ ଧୋଇ ଯାଇଥିଲା ବେଳେ ଶୁକ୍ରବାରଠୁ ଇଣ୍ଡିଆ ରେଡ୍‌ ଓ ଇଣ୍ଡିଆ ବ୍ଲୁ ମଧ୍ୟରେ ଆରମ୍ଭ ହୋଇଛି ଦ୍ବିତୀୟ ମୁକାବିଲା। ତେବେ ଅଲୁରରେ ମଧ୍ୟ ବର୍ଷା ଏହି ୪ ଦିନିଆ ମ୍ୟାଚ୍‌ର ପ୍ରଥମ ଦିନକୁ ବାଧା ପହଞ୍ଚାଇଛି। ଫଳରେ ପ୍ରଥମ ଦିନ ୬୮ ଓଭର ଖେଳ ସମ୍ଭବ ହୋଇଛି। ଆଉ ଏଥିରେ ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରିତ ଇଣ୍ଡିଆ ରେଡ୍‌ ଦଳ ୨ ୱିକେଟ୍‌ ହରାଇ ୧୬୩ ରନ୍‌ କରିଛି। ଅଧିନାୟକ ପ୍ରିୟଙ୍କ ପାଞ୍ଚଲ (୧୫) ଓ ଅଭିମନ୍ୟୁ ଈଶ୍ବରନ୍‌ (୦) ପାଭିଲିୟନ୍‌ ଫେରିଯାଇଥିଲା ବେଳେ କରୁଣ ନାୟାର ଓ ଅଙ୍କିତ କାଲ୍‌ସି ପାଳି ସମ୍ଭାଳି ନେଇଛନ୍ତି। ପ୍ରଥମ ଓଭରରେ ହିଁ ଈଶ୍ବରନ୍‌ଙ୍କୁ ଖାତା ଖୋଲିବା ପୂର୍ବରୁ ଅନିକେତ ‌ଚୌଧୁରୀ ଆଉଟ୍‌ କରିଦେଇଥିଲା ବେଳେ ପାଞ୍ଚଲ୍‌ଙ୍କୁ ଦିବେଶ ପଠାଣିଆ ଶିକାର କରିନେଇଥିଲେ। ତେବେ ନାୟର ଧୈର୍ଯ୍ୟପୂର୍ଣ୍ଣ ପାଳି ଖେଳି ଶତକ ଅଭିମୁଖେ ଅଗ୍ରସର ହୋଇଥିଲା ବେଳେ କାଲ୍‌ସି ଉପଯୁକ୍ତ ସହଯୋଗ ଦେଇ ଅର୍ଧଶତକର ନିକଟତର ହୋଇଛନ୍ତି। ନାୟାର ୧୮୯ ବଲ୍‌ରୁ ୯ ଚୌକା ସହାୟତାରେ ୯୨ ରନ୍‌ କରି ଅପରାଜିତ ରହିଥିଲା ବେଳେ କାଲ୍‌ସି ୧୭୭ ବଲ୍‌ରୁ ୪ ଚୌକା ସହାୟତାରେ ୪୮ ରନ୍‌ କରି କ୍ରିଜ୍‌ରେ ରହିଛନ୍ତି। ଉଭୟେ ଅସମାପ୍ତ ତୃତୀୟ ୱିକେଟ୍‌ରେ ୧୨୦ ରନ୍ ଯୋଡ଼ି ସ୍ଥିତି ସୁଧାରି ନେଇଛନ୍ତି।

ସମ୍ବନ୍ଧିତ ଖବର