ଦିନିକିଆ ଶୃଙ୍ଖଳାରୁ ବୁମ୍‌ରାଙ୍କୁ ବିଶ୍ରାମ

ସିଡ୍‌ନି: ପୂରା ଫର୍ମରେ ଥିବା ଭାରତର ଦ୍ରୁତ ବୋଲର ଯଶ୍‌ପ୍ରୀତ୍‌ ବୁମ୍‌ରାଙ୍କୁ ଅଷ୍ଟ୍ରେଲିଆ ଓ ଆଗାମୀ ନ୍ୟୁଜିଲାଣ୍ଡ୍‌ ବିପକ୍ଷ ଦିନିକିଆ ଶୃଙ୍ଖଳାରୁ ବିଶ୍ରାମ ଦିଆଯାଇଛି। ଅଷ୍ଟ୍ରେଲିଆ ବିପକ୍ଷ ଐତିହାସିକ ଟେଷ୍ଟ୍‌ ଶୃଙ୍ଖଳା ବିଜୟରେ ମହତ୍ବପୂର୍ଣ୍ଣ ଅବଦାନ ଛାଡ଼ିଥିବା ବୁମ୍‌ରାଙ୍କୁ ବିଶ୍ରାମ ଦିଆଯାଇଥିବା କଥା ମଙ୍ଗଳବାର ବିସିସିଆଇ ସୂଚାଇ ଦେଇଥିଲା ବେଳେ ତାଙ୍କ ସ୍ଥାନ ପୂରଣ ପାଇଁ ମହମ୍ମଦ ସିରାଜ୍‌ଙ୍କୁ ସୁଯୋଗ ମିଳିଥିବା ଜଣାପଡ଼ିଛି। ଅଷ୍ଟ୍ରେଲିଆ ବିପକ୍ଷ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳାରେ ବୁମ୍‌ରା ମୋଟ ୨୧ ୱିକେଟ୍‌ ଅକ୍ତିଆର କରିଥିଲେ। ଯାହାକି ଶୃଙ୍ଖଳାରେ ଅଷ୍ଟ୍ରେଲୀୟ ସ୍ପିନର ନାଥନ୍‌ ଲାୟନ୍‌ଙ୍କ ସହ ସମାନ ଥିଲା। ଫଳରେ ବୁମ୍‌ରା ଓ ଲାୟନ୍‌ ଶୃଙ୍ଖଳାରେ ଯୁଗ୍ମ ଭାବେ ଅଗ୍ରଣୀ ୱିକେଟ୍‌ ଦଖଲକାରୀ ବୋଲର ରହିଥିଲେ। ତେବେ ଆଗକୁ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଶୃଙ୍ଖଳା ରହିଥିବାରୁ ତାକୁ ଦୃଷ୍ଟିରେ ରଖି ବୁମ୍‌ରାଙ୍କ ଉପରୁ ବୋଝ ଲାଘବ କରିବାକୁ ଦିନିକିଆ ଶୃଙ୍ଖଳାରୁ ବିଶ୍ରାମ ଦିଆଯାଇଥିବା ବିସିସିଆଇ ଏକ ବିବୃତିରେ କହିଛି। ବୁମ୍‌ରାଙ୍କୁ ବିଶ୍ରାମ ଏବଂ ମହମ୍ମଦ ସିରାଜ୍‌ଙ୍କ ସାମିଲ ବ୍ୟତୀତ ନ୍ୟୁଜିଲାଣ୍ଡ୍‌ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ପାଇଁ ପଞ୍ଜାବ ଦ୍ରୁତ ବୋଲର ସିଦ୍ଧାର୍ଥ କୌଲଙ୍କୁ ଦଳରେ ସାମିଲ କରାଯାଇଥିବା ବିସିସିଆଇ କହଛି। ବିଶେଷକରି ଅଧିନାୟକ ବିରାଟ କୋହଲିଙ୍କ ପରାମର୍ଶକ୍ରମେ ବୁମ୍‌ରାଙ୍କୁ ବିଶ୍ରାମ ମିଳିଛି। ଏଠାରେ ସୂଚନାଯୋଗ୍ୟ, ଭାରତ ଆସନ୍ତା ଶନିବାରଠାରୁ ଅଷ୍ଟ୍ରେଲିଆ ସହ ତିନିଟି ଦିନିକିଆ ମ୍ୟାଚ୍‌ ଖେଳି ଗସ୍ତ ଶେଷ କରିବା ମାତ୍ରେ ଚଳିତ ମାସ ୨୩ ତାରିଖରୁ ୫ ଦିନିକିଆ ଓ ୩ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳିବା ପାଇଁ ନ୍ୟୁଜିଲାଣ୍ଡ୍‌ ଗସ୍ତ କରିବ।

ସମ୍ବନ୍ଧିତ ଖବର