୧୯୫୪: ପଶ୍ଚିମ ଜର୍ମାନି ଆଶ୍ଚର୍ଯ୍ୟ

ଫିଫା ବିଶ୍ୱକପ୍‌ର ପଞ୍ଚମ ସଂସ୍କରଣର ଆୟୋଜକ ହୋଇଥିଲା ସ୍ୱିଜରଲାଣ୍ଡ। କିନ୍ତୁ ବିଜେତା ହୋଇଥିଲା ପଶ୍ଚିମ ଜର୍ମାନି। ବେର୍ନେର ଓ୍ଵାଙ୍କ୍‌ଡର୍ଫ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଫାଇନାଲ୍‌ରେ ଦୁଇଟି ଗୋଲ୍‌ ପଛରେ ଥାଇ ଆଶ୍ଚର୍ଯ୍ୟଜନକ ଭାବେ ଜର୍ମାନି ୩-୨ରେ ହଙ୍ଗେରିକୁ ହରାଇ ଦେଇଥିଲା। ‘ମିରାକଲ୍‌ ଅଫ ବେର୍ନେ’ ଭାବେ ଏହା ସବୁଦିନ ପାଇଁ ସ୍ମରଣୀୟ ରହିଛି। ଫାଇନାଲ୍‌ ଆସିବା ପୂର୍ବରୁ ହଙ୍ଗେରି ୩୦ଟି ମ୍ୟାଚ୍‌ରେ ଅପରାଜିତ ଥିଲା ଏବଂ ୨୫ଟି ଗୋଲ୍‌ ସ୍କୋର କରିଥିଲା। ଫାଇନାଲ୍‌ ପୂର୍ବରୁ ଦଳ ୯-୦ରେ ଦକ୍ଷିଣ କୋରିଆକୁ ଏବଂ ୮-୩ରେ ଜର୍ମାନିକୁ ମଧ୍ୟ ହରାଇଥିଲା। ସେମିଫାଇନାଲ୍‌ରେ ହଙ୍ଗେରି ପୂର୍ବଥର ବିଜେତା ଉରୁଗୁଏକୁ ୪-୨ରେ ମାତ୍‌ ଦେଇଥିଲା। ତଥାପି ଫେରେଙ୍କ୍‌ ପୁସ୍‌କାସ୍‌ ନୁହନ୍ତି, ଫ୍ରିଜ୍‌ ଓ୍ଵାଲ୍‌ଟର ହାତେଇ ନେଇଥିଲେ ଜୁଲ୍‌ସ ରିମେଟ୍‌ ଟ୍ରଫି। ଦ୍ଵିତୀୟ ବିଶ୍ୱଯୁଦ୍ଧ ପରେ ବିଶ୍ୱକପ୍‌ ମଇଦାନକୁ ପ୍ରଥମ ଥର ଫେରିଥିବା ଜର୍ମାନି ଗ୍ରୁପ୍‌ ପର୍ଯ୍ୟାୟ ପରାଜୟର ପ୍ରତିଶୋଧ ନେଇ ଟ୍ରଫି ଜିତିଥିଲା। ପୂର୍ବ ବିଜେତା ଉରୁଗୁଏକୁ ଚତୁର୍ଥ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡିଥିଲା ଅଷ୍ଟ୍ରିଆ ନିକଟରୁ ହାରି। ଉପବିଜେତା ହଙ୍ଗେରି ଦଳର ସାଣ୍ଡୋର୍‌ କୋକ୍‌ସିସ୍‌ ଗୋଲ୍‌ଡେନ୍‌ ସୁ’ର ବିଜେତା ହୋଇଥିଲେ। ସମ୍ପୂର୍ଣ ୧୬ଟି ଦଳ ଭାଗ ନେଇଥିବା ବେଳେ ୨୬ଟି ମ୍ୟାଚ୍‌ରୁ ରେକର୍ଡ ୧୪୦ ଗୋଲ୍‌ ସ୍କୋର ହୋଇଥିଲା। ପ୍ରଥମ ଥର ପାଇଁ ମ୍ୟାଚ୍‌ ପିଛା ଗୋଲ୍‌ ୫ରୁ ଅଧିକ ରହିଥିଲା। ତୁର୍କି ୭-୦ରେ ଦକ୍ଷିଣ କୋରିଆକୁ, ପଶ୍ଚିମ ଜର୍ମାନି ୭-୨ରେ ତୁର୍କିକୁ, ଉରୁଗୁଏ ୭-୦ରେ ସ୍କଟ୍‌ଲାଣ୍ଡ୍‌କୁ ହରାଇବାରୁ ଗୋଲ୍‌ ହାର ବଢ଼ିଥିଲା। ଅଷ୍ଟ୍ରିଆ-ସ୍ୱିଜରଲାଣ୍ଡ୍‌ କ୍ୱାର୍ଟର ଫାଇନାଲ୍‌ରେ ୬୦ ମିନିଟ୍‌ ମଧ୍ୟରେ ୧୨ଟି ଗୋଲ୍‌ ଦେଖିବାକୁ ମିଳିଥିବା ବେଳେ ଅଷ୍ଟ୍ରିଆ ୭-୫ରେ ବିଜୟୀ ହୋଇଥିଲା। ଫାଇନାଲ୍‌ ମ୍ୟାଚ୍‌କୁ ୬୦,୦୦୦ ଦର୍ଶକ ଉପଭୋଗ କରିଥିଲେ। ଉପବିଜେତା ହଙ୍ଗେରିର ସାଣ୍ଡର୍‌ କକ୍‌ସିସ୍‌ ସର୍ବାଧିକ ୧୧ ଗୋଲ୍‌ ଦେଇ ସ୍ୱର୍ଣ୍ଣ ଜୋତାର ଅଧିକାରୀ ହୋଇଥିଲେ।

ସମ୍ବନ୍ଧିତ ଖବର