୨୬ ଛକା, ୩୫ ଚୌକା କୋହଲିଙ୍କ ଶତକ ନେଲା ପ୍ରତିଶୋଧ

କୋଲ୍‌କାତା: ବିରାଟ କୋହଲିଙ୍କ ୫୭ ବଲ୍‌ ଶତକ ବଳରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ ୧୦ ରନ୍‌ରେ କୋଲ୍‌କାତା ନାଇଟ୍ ରାଇଡର୍ସକୁ ପରାସ୍ତ କରିଛି। ଆନ୍ଦ୍ରେ ରସେଲ, ନୀତିଶ ରାଣାଙ୍କ ଛକା ବର୍ଷା ଅର୍ଧଶତକ ସତ୍ତ୍ବେ କେକେଆର୍‌କୁ ଲଗାତାର ଚତୁର୍ଥ ପରାଜୟ ବରଣ କରିବାକୁ ପଡ଼ିଛି। ଉଭୟ ଦଳର ପ୍ରଥମ ମୁକାବିଲାରେ ‌ବାଙ୍ଗାଲୋର୍‌ ୨୦୫ ରନ୍ କରିଥିଲେ ମଧ୍ୟ ଆନ୍ଦ୍ରେ ରସେଲଙ୍କ ୧୩ ବଲ୍ ୪୮* ରନ୍ ପାଇଁ ହାରିଥିଲା। କୋହଲି-ମୋଇନଙ୍କ ପାଳି ପାଇଁ କିନ୍ତୁ ବାଙ୍ଗାଲୋର୍‌ ଏହାର ପ୍ରତିଶୋଧ ନେଇଯାଇଥିଲା। ଶୁକ୍ରବାରର ଏହି ମ୍ୟାଚ୍‌ର ଉଭୟ ପାଳିରେ ମୋଟ ୨୬ ଛକା ଏବଂ ୩୫ ‌ଚୌକା ନଜରକୁ ଆସିଥିଲା। ପୂର୍ବରୁ ବିରାଟ କୋହଲି (୧୦୦, ୫୮ ବଲ୍‌, ୯ ଚୌକା, ୪ ଛକା)ଙ୍କ ଶତକ ସାଙ୍ଗକୁ ମୋଇନ ଅଲ୍ଲୀ (୬୬, ୨୮ ବଲ୍‌, ୫ ଚୌକା, ୬ ଛକା)ଙ୍କ ଅର୍ଧଶତକ ବଳରେ ‌ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ୪ ୱିକେଟ୍‌ ହରାଇ ୨୧୩ ରନ୍‌ କରିଥିଲା। ତୃତୀୟ ୱିକେଟ୍‌ରେ କୋହଲି ଓ ମୋଇନଙ୍କ ୯୦ ରନ୍‌ର ଭାଗୀଦାରି ବାଙ୍ଗଲୋରକୁ ୨୦୦ ରନ୍‌ ଟପିବାର ସହଯୋଗ କରିଥିଲା। ୧୬ତମ ଓଭରରେ ମୋଇନ୍‌ (୪, ୬, ୪, ୬, ୧ୱାଇଡ୍‌, ୬) ମୋଟ ୨୭ ରନ୍‌ ସଂଗ୍ରହ କରିଥିଲେ। ‌ଏହି ଓଭରର ଶେଷ ବଲ୍‌ରେ କୁଲଦୀପ ତାଙ୍କୁ ପ୍ରସିଦ୍ଧ କୃଷ୍ଣଙ୍କ ହାତରେ କ୍ୟାଚ୍‌ କରାଇ ପ୍ୟାଭିଲିୟନ୍‌ର ବାଟ ଦେଖାଇଥିଲେ। ଏହାପରେ କୋହଲିଙ୍କ ସହ ମାର୍କସ ଷ୍ଟୋଇନିସ୍‌ (୧୭*, ୮ ବଲ୍‌, ୨ ଚୌକା, ୧ ଛକା) ମିଶି ଦଳୀୟ ସ୍କୋର୍‌ ୨୦୦ ଡିଆଁଇଥିଲେ। ‌କୋହଲି ୨୦ତମ ଓଭରର ପଞ୍ଚମ ବଲ୍‌ରେ ଚୌକା ମାରି ଚଳିତ ଆଇପିଏଲ୍‌ର ପ୍ରଥମ ଏବଂ ଜୀବନର ପଞ୍ଚମ ଆଇପିଏଲ୍‌ ଶତକ ପୂର୍ଣ୍ଣ କରିଥିଲେ। ହେଲେ ଏହାର ପର ବଲ୍‌ରେ ସେ ହାରି ଗୁର୍ଣ୍ଣିଙ୍କ ବଲ୍‌ରେ ଶୁଭମ ଗିଲ୍‌ଙ୍କ ହାତରେ ଧରାପଡ଼ି ପାଭିଲିୟନ ଫେରିଥିଲେ। ଶେଷ ୬ ଓଭରରେ ବାଙ୍ଗାଲୋର୍‌ ୧୦୩ ଯୋଡ଼ିବା ସବୁଠାରୁ ଉଲ୍ଲେଖନୀୟ ଥିଲା। ଗୁର୍ଣ୍ଣିଙ୍କୁ ଦ୍ବିତୀୟ ଶେଷ ବଲରେ ଚୌକା ମାରି କୋହଲି ଶତକ ହାସଲ କରିଥିଲେ। ଶେଷ ବଲ୍‌ରେ କିନ୍ତୁ ସେ ଆଉଟ୍ ହୋଇଯାଇଥିଲେ। ଏହା ପୂର୍ବରୁ ସେ ୪୦ ବଲରୁ ୫୦ ରନ୍ କରିଥିଲେ ମଧ୍ୟ ପରବର୍ତୀ ୧୭ ବଲ୍‌ରୁ ଦ୍ବିତୀୟ ୫୦ ରନ୍ କରିଥିଲେ। ବାଙ୍ଗାଲୋର୍‌ର ୨୧୩ ରନ୍‌କୁ ପିଛା କରିଥିବା କୋଲକାତା ନାଇଟ୍ ରାଇଡର୍ସ ୫ ଓଭର ବେଳକୁ ୩୩ ରନ୍‌ରେ ୩ ୱିକେଟ୍‌ ହରାଇ ଦେଇଥିଲା। ତେବେ ନୀତିଶ ରାଣା ୩୩ ବଲରୁ ଏବଂ ଆନ୍ଦ୍ରେ ରସେଲ ୨୧ ବଲ୍‌ରୁ ଅର୍ଧଶତକ ହାସଲ କରିବାରୁ କୋଲକାତା ଶେଷ ପର୍ଯ୍ୟନ୍ତ ମ୍ୟାଚ୍‌କୁ ରୋମାଞ୍ଚକ ସ୍ଥିତିରେ ରଖିଥିଲା। ଶେଷ ଓଭରରୁ କୋଲକାତାକୁ ୨୪ ରନ୍ ଆବଶ୍ୟକ ପଡ଼ିଥିଲା। ମୋଇନ୍ ଅଲୀ କିନ୍ତୁ ୧୩ ରନ୍ ବ୍ୟୟ କରିଥିଲେ। ରସେଲ (୬୫, ୨୫ ବଲ୍, ୨ ଚୌକା, ୯ ଛକା) ଏବଂ ରାଣା (୮୫*, ୪୬ ବଲ୍, ୯ ଚୌକା, ୪ ଛକା)ଙ୍କ ପ୍ରୟାସ ବେକାର ଯାଇଥିଲା। କେକେଆର୍‌ ପାଳି ୨୦୩/୫ରେ ସୀମିତ ରହିଥିଲା।

ସଂକ୍ଷିପ୍ତ ସ୍କୋର: ରୟାଲ୍‌ ଚାଲେଞ୍ଜର୍ସ ବାଙ୍ଗାଲୋର ୨୦ ଓଭରରେ ୨୧୩/୪ (ବିରାଟ କୋହଲି ୧୦୦, ମୋଇନ ଅଲ୍ଲୀ ୬୬, ମାର୍କସ ଷ୍ଟୋଇନିସ୍‌ ୧୭*, ଆନ୍ଦ୍ରେ ରସେଲ ୧/୧୭, ସୁନିଲ ନରିନ ୧/୩୨)। କୋଲ୍‌କାତା ନାଇଟ୍‌ ରାଇଡର୍ସ : ୨୦ ଓଭରରେ ୨୦୩/୫ (ନୀତିଶ ରାଣା-୮୫*, ଆନ୍ଦ୍ରେ ରସେଲ-୬୫, ଡେଲ୍ ଷ୍ଟେନ୍-୨/୪୦, ନଭଦୀପ୍ ସାଇନି-୧/୩୧, ମାର୍କସ ଷ୍ଟୋଇନିସ-୧/୩୨)।

ସମ୍ବନ୍ଧିତ ଖବର