ଆଉ ୨୮ ଦିନ, ଓଡ଼ିଶା ଓ ହକି: ଏକ ଆବେଗିକ ବନ୍ଧନ

ଭୁବନେଶ୍ବର: ଉତ୍କର୍ଷ କଳାର ରାଜ୍ୟ ଉତ୍କଳ। ଏହାର କଳା, ସଂସ୍କୃତି, ପରମ୍ପରା, ଇତିହାସ ଯେତିକି ପ୍ରାଚୀନ, ସେତିକି ରୁଦ୍ଦିମନ୍ତ ଓ ସମୃଦ୍ଧ। ଏହାର ଗାଁ, ସହର ସବୁଠାରେ କ୍ରୀଡ଼ା‌େର ମଧ୍ୟ ଢ଼େର ଆଦର। ପୁଚି, ବୋହୁଚୋରୀ, ବାଗୁଡ଼ି ଭଳି ଗ୍ରାମୀଣ କ୍ରୀଡ଼ା ସମେତ କ୍ରିକେଟ୍‌, ଫୁଟ୍‌ବଲ୍‌, ହକି ଆଦି ଆଧୁନିକ କ୍ରୀଡ଼ାକୁ ନେଇ ଓଡ଼ିଶାର ଯୁବପିଢ଼ିଙ୍କ ମଧ୍ୟରେ ବେଶ୍ ଆଗ୍ରହ ଦେଖାଯାଏ। ଓଡ଼ିଶାରେ ପାଳନ କରାଯାଉଥିବା ପର୍ବପର୍ବାଣୀଗୁଡ଼ିକରେ ଅବସର ବିନୋଦନ ପାଇଁ କ୍ରୀଡ଼ାର ବ୍ୟବସ୍ଥା ମଧ୍ୟ ରହିଛି। ଏଠାକାର ଆଦିବାସୀ ବହୁଳ ଅଞ୍ଚଳ ଗୁଡ଼ିକରେ ବି‌େଶଷତଃ ହକି ‌େଖଳର ବେଶ୍‌ ଚାହିଦା ରହିଛି। ସୁନ୍ଦରଗଡ଼ ଜିଲ୍ଲାର ପବିତ୍ର ମାଟି କେତେକେତେ ଅଭିଜ୍ଞ ହକି ଖେଳାଳି ସୃଷ୍ଟି କରିଛି ତା’ର ହିସାବ ନାହିଁ। ଦିଲୀପ ତିର୍କି, ପ୍ର‌ବୋଧ ତିର୍କି, ଇଗ୍ନେସ ତିର୍କି, ସୁଭଦ୍ରା ପ୍ରଧାନ, ସୁନୀତା ଲାକ୍ରାଙ୍କ ଭଳି ବହୁ ଜାତୀୟ ଦଳର ଅଧିନାୟକଙ୍କୁ ‌ଜନ୍ମ ଦେଇଛି ଏହି ମାଟି।

ସୁନ୍ଦରଗଡ଼ ଜିଲ୍ଲାରେ ହକି ‌ଏକ ଖେଳ ନୁହେଁ, ବରଂ ଆବେଗ ସହ ଯୋଡ଼ି ହୋଇଥିବା ଜୀବନ ପ୍ରବାହର ଏକ ଅବିଛେଦ୍ୟ ଅଙ୍ଗ। ସେଠାକାର ଅଧିକାଂଶ ଯୁବପିଢ଼ିଙ୍କର ହକି ପ୍ରତି ରହିଛି ବେଶ୍ ଦୁର୍ବଳତା। ସୂ‌‌େର୍ଯ୍ୟାଦୟର ପହଲି କିରଣ ଏହାର ମାଟିକୁ ସ୍ପର୍ଶ କରିବା ପୂର୍ବରୁ ଏଠାକାର ଯୁବକ ଯୁବତୀ ହକି ଷ୍ଟିକ୍ ଧରି ପଡ଼ିଆକୁ ଚାଲି ଆସନ୍ତି। ନିଜର ସ୍ବପ୍ନକୁ ସାକାର କରିବା ପାଇଁ ପରିଶ୍ରମର ଝାଳ ବୁହାଇ ଚାଲନ୍ତି। ପୂର୍ବରୁ ହକି ଖେଳରେ ସମଗ୍ର ବିଶ୍ବରେ ଉତ୍କ‌ର୍ଷ ହାସଲ କରିଥିବା ଦିଲୀପ ତିର୍କି, ଲାସରୁସ ବାର୍ଲା, ଇଗ୍ନେସ ତିର୍କି, ପ୍ରବୋଧ ତିର୍କି ଆଦିଙ୍କ ସଫଳତାର କାହାଣୀ ଏଠାକାର ଯୁବପିଢ଼ିଙ୍କୁ ବେଶ୍ ଅନୁପ୍ରାରିତ କରିଥାଏ। କେବଳ ସୁନ୍ଦରଗଡ଼ ନୁହେଁ, ବରଂ ପଶ୍ଚିମ ଓଡ଼ିଶା ଏବଂ ସମଗ୍ର ଓଡ଼ିଶାରେ ହକିକୁ ନେଇ ଲୋକପ୍ରିୟତା ବୃଦ୍ଧି ପାଇବାରେ ଲଗିଛି। ଏଥିପାଇଁ ଓଡ଼ିଶା ସରକାରଙ୍କ ତରଫରୁ ବିଗତ କିଛି ବର୍ଷଧରି ହୋଇଥିବା ଉଦ୍ୟମ ବେଶ୍‌ ପ୍ରଶଂସନୀୟ। ପ୍ରଥମତଃ ରାଜ୍ୟର ରାଜଧାନୀ ଭୁବନେଶ୍ବରରେ କଳିଙ୍ଗ ଷ୍ଟାଡିୟମ ଏବଂ ରାଉରକେଲାଠାରେ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ ହକି ଖେଳର ଲୁକ୍କାୟିତ ପ୍ରତିଭାର ବିକାଶ ଦିଗରେ ବିଶେଷ ଭାବେ ସହାୟକ ହେଉଛି। ରାଜ୍ୟରେ ହକି ଚାମ୍ପିଅନ୍ସ ଟ୍ରଫି, ବିଶ୍ବ ହକି ଲିଗ୍ ଭଳି ଆନ୍ତର୍ଜାତିକ ହକି ପ୍ରତିଯୋଗିତା ଆୟୋଜନ କରି ସରକାର ରାଜ୍ୟରେ ହକିର ହୃତଗୌରବ ଓ ଲୋକପ୍ରିୟତାକୁ ‌େଫରାଇ ଆଣିବାରେ ସଫଳ ହୋଇଛନ୍ତି। ‘କଳିଙ୍ଗ ଲନ୍‌ସର୍ସ’ ନାମରେ ଓଡ଼ିଶାରୁ ପ୍ରତିନିଧିତ୍ବ କରୁଥିବା ଏକ ହକି ଦଳକୁ ସରକାର ପ୍ରୋତ୍ସାହିତ କରିଛନ୍ତି। ଏହା ରାଜ୍ୟର ଖେଳାଳିମାନଙ୍କୁ ଜାତୀୟ ତଥା ଅନ୍ତର୍ଜାତୀୟ କ୍ଷେତ୍ରରେ ପରିଚୟ ପ୍ରଦାନ କରୁଛି। ବିଭିନ୍ନ ଆନ୍ତର୍ଜାତିକ ତଥା ଜାତୀୟ ପ୍ରତିଯୋଗିତାରେ କୃତକାର୍ଯ୍ୟ ହେଉଥିବା ଓଡ଼ିଆ ହକି ଖେଳାଳିଙ୍କୁ ସରକାର ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରୁଛନ୍ତି।

ଅନ୍ୟଏକ ଗୁରୁତ୍ବପୂର୍ଣ୍ଣ ଘଟଣା କ୍ରମରେ ଓଡ଼ିଶା ସରକାର ୨୦୧୮ ପୁରୁଷ ବିଶ୍ବକପ୍‌ ଆୟୋଜନ କରିବା ସହ ଭାରତୀୟ ପୁରୁଷ ଓ ମହିଳା ହକି ଦଳର ପ୍ରାୟୋଜକ ଭାବେ ୫ ବର୍ଷ ପାଇଁ ଚୁକ୍ତିବଦ୍ଧ ହୋଇଛନ୍ତି। କୌଣସି ଭାରତୀୟ ରାଜ୍ୟ ଭାବେ ଏଭଳି ଜାତୀୟ ଦଳର ପ୍ରାୟୋଜକ ହେବାରେ ଓଡ଼ିଶା ଦେଶର ତଥା ବିଶ୍ବର ପ୍ରଥମ ଓ ଏକମାତ୍ର ରାଜ୍ୟର ଗୌରବ ଅର୍ଜନ କରିପାରିଛି। ଆଗାମୀ ଦିନରେ ହକି ବିଶ୍ବକପ୍‌ର ସଫଳ ଆୟୋଜନ କରି ଭାରତୀୟ କ୍ରୀଡ଼ା ଇତିହାସରେ ନୂତନ ଫର୍ଦ ଯୋଡ଼ିବାକୁ ଯାଉଛି। ଭାରତୀୟ ଜାତୀୟ ହକି ଦଳ ପ୍ରତି ଓଡ଼ିଶାର ଅବଦାନ ସର୍ବଦା ଅତୁଳନୀୟ। ଓଡ଼ିଶାର କୁଶଳୀ ଓ ପ୍ରତିଭା ସମ୍ପନ୍ନ ହକି ଖେଳାଳିଙ୍କ ଦ୍ବାରା ଭାରତୀୟ ହକି ସମ୍ପଦ ସୁସମୃଦ୍ଧ ହୋଇଛି। ଓଡ଼ିଶା ମାଟିରୁ ଜନ୍ମ ହୋଇ ସମଗ୍ର ବିଶ୍ବରେ ଭାରତୀୟ ହକିକୁ ପ୍ରତିନିଧିତ୍ବ କରିଥିବା ଖେଳାଳିମାନଙ୍କ ମଧ୍ୟରୁ ଲାଜାରୁସ ବାର୍ଲା, ଦିଲୀପ ତିର୍କି, ଇଗ୍ନେସ ତିର୍କି, ପ୍ରବୋଧ ତିର୍କି, ରୋଶନ ମିଞ୍ଜ, ବୀରେନ୍ଦ୍ର ଲାକ୍ରା, ୱିଲିୟମ୍ସ ଖାଲକୋ, ଅମିତ ରୋହିଦାସ, ଦୀପସାନ ତିର୍କି ଏବଂ ମହିଳା ହକି ଖେଳାଳିଙ୍କ ମଧ୍ୟରୁ ଅନୁପା ବର୍ଲା, ଦୀପଗ୍ରେସ ଏକ୍କା, ଜ୍ୟୋତି ସୁନିତା କୁଲୁ, ଲିଲିମା ମିଞ୍ଜ, ସୁଭଦ୍ରା ପ୍ରଧାନ, ପୁନମ ବାର୍ଲା, ସୁନିିତା ଲାକ୍ରା, ବନୀତା ଟପ୍ପୋ ଅନ୍ୟତମ। ବାସ୍ତବରେ ଦେଖିବାକୁ ଗଲେ ଓଡ଼ିଶା ଓ ହକିର ସମ୍ପର୍କ ବେଶ୍‌ ମଧୁର ଏବଂ ଏହା ଚିରକାଳ ପାଇଁ ସୁଦୃଢ଼ ରହିବ ବୋଲି ବିଶ୍ବାସ।

ସମ୍ବନ୍ଧିତ ଖବର