ଲୋକସଭା ଗଲେ ୬ ଖେଳାଳି ଓ ଖେଳ ପ୍ରଶାସକ: ସଂଗୀତା, ଲଳିତେନ୍ଦୁ ରଖିଲେ ସମ୍ମାନ

ନୂଆଦିଲ୍ଲୀ: ସପ୍ତଦଶ ଲୋକସଭାକୁ ତିନି ଜଣ ଲେଖାଏଁ ଖେଳାଳି ଓ ଖେଳ ପ୍ରଶାସକ ନିର୍ବାଚିତ ହୋଇଛନ୍ତି। ଏଥର ନିର୍ବାଚନ ଜିତିଥିବା ଖେଳାଳିମାନେ ହେଲେ ପୂର୍ବୀ ଦିଲ୍ଲୀ ଲୋକସଭା ଆସନରୁ ବିଜେପି ଟିକଟରୁ ଲଢିଥିବା କ୍ରିକେଟର ଗୌତମ ଗମ୍ଭୀର, ରାଜସ୍ଥାନ (ଗ୍ରାମୀଣ) ଆସନରୁ ଲଢିଥିବା କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର ଓ ପୂର୍ବତନ ଅନ୍ତର୍ଜାତୀୟ ଫୁଟ୍‌ବଲ ତାରକା ତଥା ପଶ୍ଚିମବଙ୍ଗର ହାଵଡ଼ାରୁ ତୃଣମୂଳ କଂଗ୍ରେସ ଟିକଟରେ ଲଢ଼ିଥିବା ପ୍ରସୁନ୍‌ ବାନାର୍ଜୀ। ଅଲିମ୍ପିଆନ୍‌ ରାଜ୍ୟବର୍ଦ୍ଧନ ସିଂହ ରାଠୋର ଓ ପ୍ରସୁନ୍‌ ବାନାର୍ଜୀ ଲୋକସଭା ନିର୍ବାଚନରେ ଲଗାତର ଦ୍ବିତୀୟ ଥର ପାଇଁ ନିର୍ବାଚିତ ହୋଇଥିଲା ବେଳେ ୨୦୧୧ ବିଶ୍ବବିଜେତା ଭାରତୀୟ ଦଳର ବାମହାତୀ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଗମ୍ଭୀର ପ୍ରଥମ ଥର ଲଢ଼ି ସଂସଦକୁ ଯାଇଛନ୍ତି। ଗମ୍ଭୀର ପାଖାପାଖି ୭ ଲକ୍ଷ ଭୋଟ ବ୍ୟବଧାନରେ କଂଗ୍ରେସର ପୋଖତ ରାଜନେତା ଅରବିନ୍ଦର ସିଂହଙ୍କୁ ପରାସ୍ତ କରିଛନ୍ତି। ସେହିପରି ଦୁଇ ଅଲିମ୍ପିଆନ୍‌ଙ୍କ ଲଢ଼େଇରେ କ୍ରିଷ୍ଣା ପୂନିଆଙ୍କୁ ପ୍ରାୟ ୪ ଲକ୍ଷ ଭୋଟ ବ୍ୟବଧାନରେ ହରାଇଛନ୍ତି ରାଠୋର।

ଅପରପକ୍ଷେ ଚଳିତ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିଥିବା ଅନ୍ୟ ଖେଳାଳି ଭାବେ କ୍ରିକେଟର କୀର୍ତ୍ତି ଆଜାଦ, ଫୁଟ୍‌ବଲ ତାରକା ବାଇଚୁଙ୍ଗ ଭୂତିଆ ଓ କଲ୍ୟାଣ ଚୌବେ, ଡିସ୍‌କସ୍ ଥ୍ରୋ ଖେଳାଳି କ୍ରିଷ୍ଣା ପୁନିଆ, ମୁଷ୍ଠି ଯୋଦ୍ଧା ତଥା ବିଶ୍ବ ଚାମ୍ପିଅନ୍‌ସିପ୍‌ କାଂସ୍ୟ ପଦକ ବିଜେତା ବିଜେନ୍ଦର ସିଂହ ନିର୍ବାଚନରେ ହାରିଯାଇଛନ୍ତି। ତେବେ ଚଳିତ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିଥିବା ୪ ଜଣ ଖେଳ ପ୍ରଶାସକଙ୍କ ମଧ୍ୟରୁ ୩ ଜଣଙ୍କୁ ବିଜୟ ସ୍ବାଦ ମିଳିଛି। ଉତ୍ତର ପ୍ରଦେଶର କାଇସରଗଞ୍ଜ ଲୋକସଭା ଆସନରୁ ବିଜେପି ଟିକଟରୁ ଲଢିଥିବା ଭାରତୀୟ କୁସ୍ତି ସଂଘର ସଭାପତି ତଥା ସାଂସଦ ବ୍ରିଜ ଭୁଷଣ ଶରଣ ସିଂହ, ଗୁରୁଗ୍ରାମରୁ ଲଢ଼ିଥିବା କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ତଥା ଭାରତୀୟ ପାରା ଅଲିମ୍ପିକ୍ସ କମିଟିର ସଭାପତି ରାଓ ଇନ୍ଦରଜିତ ସିଂହ ଏବଂ ହିମାଚଳ ପ୍ରଦେଶର ହମିରପୁର ଆସନରୁ ଲଢ଼ିଥିବା ଭାରତୀୟ ଅଲିମ୍ପିକ ସଂଘର ବରିଷ୍ଠ ଉପସଭାପତି ତଥା ସାଂସଦ ଅନୁରାଗ ଠାକୁର ବିଜୟ ହାସଲ କରିଛନ୍ତି। ସୂଚନାଯୋଗ୍ୟ, ଏହି ତିନି ଖେଳ ପ୍ରଶାସକ ଲଗାତର ଦ୍ବିତୀୟ ଥର ପାଇଁ ସେମାନଙ୍କ ଆସନରୁ ଜିତିବାରେ ସଫଳ ହୋଇଛନ୍ତି। କିନ୍ତୁ ଅନ୍ୟ ଜଣେ ଖେଳ ପ୍ରଶାସକ ତଥା ଭାରତୀୟ ରାଇଫଲ ସଂଘର ବରିଷ୍ଠ ଉପସଭାପତି ଓ ସାଂସଦ କଳିକେଶ ନାରାୟଣ ସିଂହଦେଓ ନିର୍ବାଚନରେ ପରାସ୍ତ ହୋଇଛନ୍ତି। କଳିକେଶ ନାରାୟଣ ସିଂହଦେଓ ବିଜେଡି ଟିକଟରୁ ବଲାଙ୍ଗୀର ଆସନରୁ ନିର୍ବାଚନ ଲଢ଼ିଥିଲେ।

ସଂଗୀତା, ଲଳିତେନ୍ଦୁ ରଖିଲେ ସମ୍ମାନ
ଭୁବନେଶ୍ବର: ଓଡ଼ିଶାରେ ଏକାଧିକ ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜିତ ହେବା ପରେ ଭୁବନେଶ୍ବରକୁ ଦେଶର କ୍ରୀଡ଼ା ରାଜଧାନୀ କରାଯିବାର ଦାବି ହେଉଥିଲା। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ସଦ୍ୟ ସମାପ୍ତ ସାଧାରଣ ନିର୍ବାଚନରେ ଓଡ଼ିଶାର ଅଧିକାଂଶ ରାଜନୈତିକ ଦଳ ରାଜ୍ୟର ଖ୍ୟାତି ସମ୍ପନ୍ନ ଖେଳାଳିଙ୍କୁ ନିଜ ଦଳର ପ୍ରାର୍ଥୀ କରିବାରେ ଆଦୌ ଗୁରୁତ୍ବ ଦେଇନଥିଲେ। ଯେଉଁ କିଛି ହାତଗଣତି ସୁଯୋଗ ପାଇଥିଲେ ସେମାନଙ୍କ ମଧ୍ୟରୁ ବିଧାନସଭାକୁ ନିର୍ବାଚିତ ହୋଇ ସମ୍ମାନ ରଖିଛନ୍ତି କ୍ରିକେଟର୍‌ରୁ ରାଜନୀତିକୁ ଆସିଥିବା ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର। ବ୍ରହ୍ମଗିରିରୁ ସେ ପୂର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମାଙ୍କୁ ହରାଇ ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ଏଥର ବିଜେଡି ଏବଂ ବିଜେପି‌ ଆଦୌ ରାଜ୍ୟର ଆଗଧାଡ଼ିର ଖେଳାଳିଙ୍କୁ ଗୁରୁତ୍ବ ଦେଇନଥିଲେ। ବରଂ କଂଗ୍ରେସ ଏ କ୍ଷେତ୍ରରେ ସାମାନ୍ୟ ଆଗରେ ରହିଥିଲା। ସୁନ୍ଦରଗଡ଼ ଲୋକସଭା ଆସନରୁ ବିଗତ ଦିନର ହକି‌ ଖେଳାଳି ଜର୍ଜ ତିର୍କି ଏବଂ ସୁନ୍ଦରସ୍ବାସ୍ଥ୍ୟରେ ପ୍ରତିଷ୍ଠା ଅର୍ଜନ କରିଥିବା ସୁରେନ୍ଦ୍ର ସିଂହ ଭୋଇଙ୍କୁ ଟିଟିଲାଗଡ଼ ବିଧାନସଭା ପାଇଁ ପ୍ରାର୍ଥୀ କରିଥିଲା। ଉଭୟ ହାରିଯାଇଛନ୍ତି। କ୍ରିକେଟର୍‌ ରଂଜୀବ ବିଶ୍ବାଳ ବର୍ତ୍ତମାନ ରାଜ୍ୟସଭା ସାଂସଦ ଥିବାରୁ କଂଗ୍ରେସର ଖେଳାଳିଙ୍କ ଗୁରୁତ୍ବ ଧାରା ଅବ୍ୟାହତ ରହିଥିଲା। କ୍ରୀଡ଼ା ପ୍ରଶାସକ ଭାବେ ଦେଖିଲେ ବିଜେପି କେବଳ ସଂଗୀତା ସିଂହଦେଓ ଏବଂ ବିଜେଡି କଳିକେଶ ସିଂହଦେଓଙ୍କୁ ବଲାଙ୍ଗୀରରୁ ଲୋକସଭା ପ୍ରାର୍ଥୀ କରିଥିଲା। ଏହି ରାଜପରିବାର ଲଢ଼େଇରେ ଭାଉଜ ସଂଗୀତା ନିଜର ଦେବର କଳିକେଶଙ୍କୁ ମାତ ଦେଇଛନ୍ତି। ଭାରତୀୟ ରୋଇଂ ସଂଘର ପୂର୍ବତନ ମୁଖ୍ୟ କାମାକ୍ଷାପ୍ରସାଦ ସିଂହ ଦେଓ ଢେଙ୍କାନାଳ ଲୋକସଭାରୁ କଂଗ୍ରେସ ଟିକେଟରେ ଲଢ଼ି ହାରିଯାଇଛନ୍ତି। ଗତ ୫ ବର୍ଷର ନବୀନ ପଟ୍ଟନାୟକ ମନ୍ତ୍ରିମଣ୍ଡଳରେ କ୍ରୀଡ଼ାମନ୍ତ୍ରୀ ଥିବା ସୁଦାମ ମାର୍ଣ୍ଡି ଏବଂ ଚନ୍ଦ୍ରସାରଥୀ ବେହେରା ଯଥାକ୍ରମେ ବାଙ୍ଗିରିପୋଷି ଓ କଟକ ସଦର ଆସନରୁ ବିଜୟୀ ହୋଇଛନ୍ତିି।

ସମ୍ବନ୍ଧିତ ଖବର