ବିଶ୍ବକପ୍ ବିପର୍ଯ୍ୟୟ ପାଇଁ କୋହଲିଙ୍କୁ କୈଫିୟତ ଦେବାକୁ ପଡ଼ିଥିଲା

କୋହଲି-କୁମ୍ବଲେ ବିବାଦ ବିଷୟରେ ଜାଣି ନାହାନ୍ତି ବିନୋଦ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ ବିଶ୍ବକପ୍‌ ସେମିଫାଇନାଲରୁ ବିଦାୟ ନେବା ପରେ ଭାରତୀୟ କ୍ରିକେଟ୍‌ରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ସେମିରେ ନ୍ୟୁଜିଲାଣ୍ଡଠାରୁ କୋହଲି ବାହିନୀ ୧୮ ରନ୍‌ରେ ପରାଜିତ ହେବା ପରେ ପ୍ରଶଂସକ ନିରାଶ ହୋଇଥିଲେ। ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ବ ଶୈଳୀକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠାଇଥିଲେ। ବିସିସିଆଇର ପରିଚାଳନା ଲାଗି ଉଚ୍ଚତମ ନ୍ୟାୟାଳୟ ଗଠନ କରିଥିବା ପ୍ରଶାସନିକ ସମିତି (ସିଓଏ) ମଧ୍ୟ ଅଣଆନୁଷ୍ଠାନିକ ଭାବେ କୋହଲିଙ୍କଠାରୁ ଏହାର କାରଣ ଜାଣିବାକୁ ଚାହିଁଥିଲା। ସିଓଏ ମୁଖ୍ୟ ବିନୋଦ ରାଏ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ବିଶ୍ବକପ୍ ବିପର୍ଯ୍ୟୟ ପାଇଁ କେହି କୋହଲିଙ୍କୁ ଦାୟୀ କରି ନଥିବା ଖବର ଠିକ୍ ନୁ‌ହେଁ। ଆମେ କୋହଲିଙ୍କଠାରୁ ଏହାର କାରଣ ଜାଣିବା ଲାଗି ଚେଷ୍ଟା କରିଥିଲୁ। ବିଶ୍ବକପ୍ ପରେ ଆମେ ଅନେକ ରୁଦ୍ଧ ଦ୍ବାର ବୈଠକ କରିଛୁ। ସବୁ କ୍ଷେତ୍ରରେ ଦାୟିତ୍ବ ସହ ଉତ୍ତରଦାୟିତ୍ବ ରହିବା ଦରକାର। ଦଳ ଖରାପ କଲେ, କେବଳ ଅଧିନାୟକଙ୍କୁ କିନ୍ତୁ ଦାୟୀ କରାଯାଇ ନପାରେ।

କୋହଲି-କୁମ୍ବଲେ ବିବାଦ ବିଷୟରେ ଜାଣି ନାହାନ୍ତି ବିନୋଦ
ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଏବଂ ପୂର୍ବତନ ପ୍ରଶିକ୍ଷକ ତଥା କିମ୍ବଦନ୍ତୀ ସ୍ପିନର ଅନୀଲ କୁମ୍ବଲେଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ବିଷୟରେ ସିଓଏ ମୁଖ୍ୟ ବିନୋଦ ରାଏ କିଛି ଜାଣି ନାହାନ୍ତି। ଏକ ସାକ୍ଷାତକାର ଅବସରରେ ଖୋଦ୍ ରାଏ ଏକଥା‌ କହିଛନ୍ତି। ଆମେ ୨୦୧୭ ଜାନୁଆରି ୩୦ରେ ଦାୟିତ୍ବ ଗ୍ରହଣ କଲୁ। ଏପ୍ରିଲ ମାସରେ ଆଇପିଏଲର ପ୍ରଥମ ମ୍ୟାଚ୍ ବେଳେ କୁମ୍ବଲେଙ୍କ ଚୁକ୍ତି ମୁଁ ଦେଖିବାକୁ ପାଇଥିଲି। କୁମ୍ବଲେଙ୍କ ଚୟନ ଦୁଇ ବର୍ଷ ପାଇଁ ହୋଇଥିଲା। ହେଲେ ତାଙ୍କୁ ଏକ ବର୍ଷର ଚୁକ୍ତି ଦିଆଯାଇଥିଲା, ଏଥିରେ କାର୍ଯ୍ୟକାଳ ବଢ଼ାଇବାର ସର୍ତ୍ତ ନଥିଲା। ଏଣୁ ଆମ ହାତରେ କିଛି ନଥିଲା ବୋଲି ସେ ଏହି ଅବସରରେ କହିଛନ୍ତି। ସୂଚନାଯୋଗ୍ୟ ଯେ ରବି ଶାସ୍ତ୍ରୀଙ୍କ ପୂର୍ବରୁ କୁମ୍ବଲେ ଭାରତୀୟ ଦଳର ପ୍ରଶିକ୍ଷକ ଥିଲେ। ହେଲେ କୋହଲିଙ୍କ ସହ ମତପାର୍ଥକ୍ୟ ହେବା ପରେ ନିଜ କାର୍ଯ୍ୟକାଳ ପୂର୍ବରୁ ସେ ଇସ୍ତଫା ପ୍ରଦାନ କରିଥିଲେ। କୋହଲି ଓ କୁମ୍ବଲେଙ୍କ ଭିତରେ କ’ଣ ହୋଇଥିଲା। ସେମାନଙ୍କ ସଂପର୍କ କିଭଳି ଖରାପ ହୋଇଥିଲା ସେ ବିଷୟରେ ମୋର କୌଣସି ଜ୍ଞାନ ନାହିଁ ବୋଲି ରାଏ କହିଛନ୍ତି।

ସମ୍ବନ୍ଧିତ ଖବର