ଝିଅକୁ ତାଲିମ ଦେବା ସହ ରୋଷେଇ ଶିଖୁଛନ୍ତି ଅଲିମ୍ପିଆନ୍ ଅନୁରାଧା

ଭୁବନେଶ୍ବର: କରୋନା ମହାମାରୀର ଭୟାବହତା କାରଣରୁ ଏବେ ଓଡ଼ିଶାର କ୍ରୀଡ଼ା ଦୁନିଆ ବି ଏକାନ୍ତବାସରେ। ବହୁ ପ୍ରତିଯୋଗିତା ବାତିଲ ଓ ସ୍ଥଗିତ କାରଣରୁ ଓଡ଼ିଶାର ଖେଳାଳିମାନେ ବି ନିଜକୁ ଗୃହାବଦ୍ଧ ରଖିବାକୁ ବାଧ୍ୟ ହୋଇଛନ୍ତି। ଏଭଳି ପରିସ୍ଥିତିରେ ନିଜ ପରିବାର ସହ ଅଧିକ ସମୟ କାଟୁଛନ୍ତି ଅଲିମ୍ପିଆନ୍ ଅନୁରାଧା ବିଶ୍ବାଳ। ୨୦୦୦ ମସିହା ସିଡନି ଅଲିମ୍ପିକ୍ସରେ ଭାରତୀୟ ଦଳରେ ସାମିଲ ଥିବା ଜାତୀୟ ରେକର୍ଡଧାରୀ ଏହି ବାଧାଦୌଡ଼ାଳି ଏବେ ଝିଅ ଆଂଶିକାର କ୍ରୀଡ଼ା ତାଲିମରେ ନିଜକୁ ନିୟୋଜିତ ରଖିଛନ୍ତି। ଚନ୍ଦ୍ରଶେଖରପୁର ନାଲ୍‌କୋ କଲୋନିରେ ନିଜ କ୍ବାର୍ଟର ଆଗରେ ଖୋଲା ପଡିଆ ଥିବାରୁ ସେ ଆଂଶିକାର କ୍ରୀଡ଼ା ତାଲିମ ପରିଚାଳନା କରିବାରେ କିଛି ଅସୁବିଧାର ସମ୍ମୁଖୀନ ହେଉନାହାନ୍ତି। ରାଜ୍ୟର ଉଦୀୟମାନ ସଟ୍‌ପୁଟର୍‌ ଭାବେ ଆଂଶିକା ଜାତୀୟ ବିଦ୍ୟାଳୟ, ଜାତୀୟ ଉପକନିଷ୍ଠ ଏବଂ ରାଜ୍ୟ ପ୍ରତିଯୋଗିତାରେ ନୂଆ କୀର୍ତ୍ତିମାନ କରି ସାରିଛନ୍ତି।

ନିଜ କ୍ରୀଡ଼ା ଜୀବନର ଅବଶିଷ୍ଟ ଅଧୁରା ସ୍ବପ୍ନକୁ ସାକାର କରିବା ଲାଗି ଏବେ ଝିଅ ପଛରେ ଲାଗି ପଡ଼ିଛନ୍ତି ଅନୁରାଧା। ତେବେ ଗୃହାବଦ୍ଧ କାରଣରୁ ବ୍ୟଥିତ ଥିବା ଅନୁରାଧା ଏହି ଅବସରରେ ନିଜକୁ ରୋଷେଇ ଶିକ୍ଷାରେ ବି କଟାଉଛନ୍ତି। ମୁଁ ଏବଂ ଗାନ୍ଧୀ ବାବୁ (ସ୍ବାମୀ ପରମାନନ୍ଦ ରାଉତରାୟ)ଙ୍କୁ ରୋଷେଇ ଜଣାନାହିଁ। ଆଗରୁ ବି କ୍ବଚିତ କରିଥାଉ, ଏବେ ଦୁହେଁ ମିଳିମିଶି ରୋଷେଇ କରୁଛୁ ଓ ଶିଖୁଛୁ। ଏଥି ସହିତ ଘରେ ପିଲା ଦୁହିଁଙ୍କୁ ବିଭିନ୍ନ ଛୋଟ ଛୋଟ କାମରେ ନିୟୋଜିତ କରିବାର ଶିକ୍ଷା ଦେଉଛୁ। ଫୁଲ ଗଛର ଯତ୍ନ ନେଉଛୁ ଏବଂ ପାଣି ବି ଦେଉଛୁ। ସେମାନଙ୍କୁ ବିଭିନ୍ନ କାହାଣୀ ବି କହୁଛି। ‌ତା ସହିତ ରାମାୟଣ ଏବଂ ମହାଭାରତ ଧାରାବାହିକକୁ ଟିଭିରେ ପିଲାଙ୍କ ସହ ଦେଖିବାର ମଜା ନେଉଛୁ। ଏହି ଦୁଇ ପୌରାଣିକ କାହାଣୀ ଭିତ୍ତିକ ଟେଲି ଧାରାବାହିକ ସେମାନଙ୍କ ପାଇଁ ବେଶ୍‌ ଶିକ୍ଷଣୀୟ ଓ ଉପାଦେୟ ହେବ ‌ବୋଲି ଆଶା ରଖିଛନ୍ତି ଅନୁରାଧା।

ସୂଚନାଯୋଗ୍ୟ, କ୍ରୀଡ଼ା ଦମ୍ପତ୍ତି ଭାବେ ପରିଚିତ ଅନୁରାଧା-ପରମାନନ୍ଦଙ୍କ ଦୁଇ ସନ୍ତାନ ହେଲେ ଆଂଶିକା (୧୪) ଏବଂ ସାଇ ସ୍ବସ୍ତିକ ରାଉତରାୟ (୪)। ରାଜ୍ୟର କ୍ରୀଡ଼ାବିତ୍‌ମାନେ ନିଜକୁ ଘରେ ରଖିବା ସହିତ ବିଭିନ୍ନ ଫିଟନେସ୍‌ ପ୍ରଣାଳୀ ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ ଅନୁରାଧା।

ସମ୍ବନ୍ଧିତ ଖବର